ଭାରତ ବିଦା, ସେମିରେ ଇଂଲଣ୍ଡ୍‌ଠୁ ୮ ୱିକେଟ୍‌ରେ ହାରିଲା

ନର୍ଥ ସାଉଣ୍ଡ୍‌: ଭାରତୀୟ ମହିଳା ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ହାସଲ ଆଶା ଶେଷରେ ମଉଳିଗଲା। ଚଳିତ ବିଶ୍ବକପ୍‌ରେ ଆୟର୍ଲାଣ୍ଡ୍‌କୁ ବାଦ୍‌ ଦେଲେ ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ଗ୍ରୁପ୍‌ ପର୍ଯ୍ୟାୟରେ ମାତ୍‌ ଦେଇ ଅପରାଜେୟ ସହ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିବା ଭାରତୀୟ ଦଳ ଶେଷରେ ଇଂଲଣ୍ଡ୍‌ ନିକଟରୁ ହାରି ଫାଇନାଲ୍‌ ପୂର୍ବରୁ ବିଦାୟ ନେଲା। ଗତ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଇଂଲଣ୍ଡ୍‌ ନିକଟରୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିବା ଭାରତ ଏଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧୁର ପ୍ରତିଶୋଧ ନେବାର ସୁଯୋଗ ପାଇଥିଲା। ହେଲେ ହର୍‌ମନ୍‌ପ୍ରୀତ୍‌ କୌରଙ୍କ ଦଳ ପ୍ରତିଶୋଧ ନେବା ପରିବର୍ତେ ଇଂଲଣ୍ଡ ନିକଟରେ ଆତ୍ମସମର୍ପଣ କରିନେଲା। ଶୁକ୍ରବାର ଖେଳାଯାଇଥିବା‌ ସେମିଫାଇନାଲ୍‌ରେ ଭାରତକୁ ୮ ୱିକେଟ୍‌ରେ ସହଜରେ ପରାସ୍ତ କରି ଇଂଲଣ୍ଡ୍‌ ତା’ର ସଫଳତା ଧାରାକୁ ଲମ୍ବାଇନେଲା। ବିଶେଷକରି ଅଧିନାୟିକା ହିଦର ନାଇଟ୍‌, ଆମି ଜୋନ୍‌ସ ଓ ନାତାଲି ସିଭର୍‌ ହିଁ ଇଂଲଣ୍ଡ୍‌ ବିଜୟର ନାୟିକା ସାଜିଥିଲେ। ଜୋନ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ଟସ୍‌ ଜିତିବା ପରେ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତାନିଆ ଭାଟିଆ ଓ ସ୍ମୃତି ମନ୍ଧାନା ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ୱିକେଟ୍‌ରେ ୬ ଓଭରରେ ୪୩ ରନ୍‌ ଯୋଡ଼ିବା ପରେ ବିଛିନ୍ନ ହୋଇଥିଲେ। ଏହାପରେ ଜେମିମା ରୋଦ୍ରିଗୁଏଜ୍‌ ଓ ହର୍‌ମନ୍‌ପ୍ରୀତ୍‌ ଦୁଇ ଅଙ୍କ ଛୁଇଁବାରୁ ଏକ ସମୟରେ ୯୩ ରନ୍‌ରେ ୩ ୱିକେଟ୍‌ ହରାଇ ଭାରତ ମଜବୁତ୍‌ ସ୍ଥିତିରେ ରହିଥିଲା। ମାତ୍ର ଏହାପରେ ୧୯ ରନ୍‌ ମଧ୍ୟରେ ୭ ୱିକେଟ୍‌ ହରାଇ ଭାରତ ପୂରା ୨୦ ଓଭର ତିଷ୍ଠି ରହିପାରିନଥିଲା। ଦଳ ୧୯.୩ ଓଭରରେ ୧୧୨ ରନ୍‌ କରିପାରିଥିଲା। ଇଂଲଣ୍ଡ୍‌ ପକ୍ଷରୁ ହିଦର ନାଇଟ୍‌ ୯ ରନ୍‌ରେ ୩, କାଟି ଗର୍ଡନ୍‌ ୨୦ ରନ୍‌ରେ ୨ ଓ ସୋଫି ଏକ୍‌ଲେଷ୍ଟୋନ୍‌ ୨୨ ରନ୍‌ରେ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଜୋନ୍‌ସ (୫୩*) ଓ ସିଭର୍‌ (୫୨*)ଙ୍କ ଅପରାଜିତ ଅର୍ଧଶତକ ବଳରେ ଇଂଲଣ୍ଡ୍‌ ୧୭.୧ ଓଭରରେ ୧୧୬ ରନ୍‌ କରି ବିଜୟ ମୁଣ୍ଡି ମାରିଥିଲା। ଦୁହେଁ ଅସମାପ୍ତ ତୃତୀୟ ୱିକେଟ୍‌ରେ ୯୨ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଏହି ବିଜୟ ସହ ଇଂଲଣ୍ଡ୍‌ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି।

ମିତାଲିଙ୍କୁ ନ ଖେଳାଇବା ମହଙ୍ଗ‌ା ପଡ଼ିଲା
ଆହତରୁ ମୁକୁଳିବା ପରେ ସେମିଫାଇନାଲ୍‌ ପାଇଁ ଦଳକୁ ଫେରିଥିଲେ ଅଭିଜ୍ଞ ମିତାଲି ରାଜ୍‌। ସେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ସ୍କୋର୍‌ କରିବାର କୀର୍ତିମାନ ପାଇଛନ୍ତି। ପୁଣି ସେ ମଧ୍ୟ ଚଳିତ ବିଶ୍ବକପ୍‌ରେ ବେଶ୍‌ ଭଲ ଫର୍ମରେ ଥିଲେ। ଲାଗ ଲାଗ (ଆୟର୍ଲାଣ୍ଡ୍‌ ଓ ପାକିସ୍ତାନ ବିପକ୍ଷ) ଦୁଇଟି ଅର୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ। ହେଲେ ସମସ୍ତଙ୍କୁ ଚକିତ କରି ଇଂଲଣ୍ଡ୍‌ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ୍‌ର ଚୂଡାନ୍ତ ଏକାଦଶରୁ ମିତାଲିଙ୍କୁ ବାଦ୍‌ ଦିଆଯାଇଥିଲା। ଆଉ ତାଙ୍କୁ ନଖେଳାଇବା ତଥା ତାଙ୍କ ଅନୁପସ୍ଥିତି ହିଁ ଭାରତ ପାଇଁ ମହଙ୍ଗା ପଡ଼ିଲା। ଭାରତ ସେମିଫାଇନାଲ୍‌ରୁ ବିଦା ହୋଇଗଲା। ତେବେ ମିତାଲିଙ୍କୁ ନଖେଳାଇବା ନେଇ ବିଭିନ୍ନ ଆଡୁ ସମାଲୋଚନା ଉଠିଥିଲା ବେଳେ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ ଏହାକୁ ଦଳୀୟ କର୍ତୃପକ୍ଷଙ୍କ ନିଷ୍ପତ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର