ସୁଝୌ (ଚୀନ): ଚଳିତ ସୁଦିରମଣ କପ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଗ୍ରୁପ୍-ସି’ରେ ଥିବା ଭାରତ ଲଗାତାର ଦ୍ବିତୀୟ ପରାଜୟ ବରଣ କରି ନକ୍ଆଉଟ୍ ପର୍ଯ୍ୟାୟ ପୂର୍ବରୁ ବିଦାୟ ନେଇଛି। ରବିବାର ଚାଇନିଜ୍ ତାଇପେଠୁ ହାରିଥିବା ଭାରତ ସୋମବାର ନିଜର ଦ୍ବିତୀୟ ମୁକାବିଲାରେ ମାଲେସିଆଠୁ ୦-୫ରେ ପରାସ୍ତ ହୋଇଛି। ଆଜି ଭାରତର ଦୁଇ ତାରକା ସଟଲର କିଦାମ୍ବି ଶ୍ରୀକାନ୍ତ ଓ ପିଭି ସିନ୍ଧୁ କିଛି କରି ପାରିନଥିଲେ। ପ୍ରଥମ ମ୍ୟାଚ୍ରେ ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁବ କପିଳ ଓ ଅଶ୍ବିନୀ ପୋନ୍ନାପ୍ପା ୧୬-୨୧, ୧୭-୨୧ରେ ବିଶ୍ବର ୮ ନମ୍ବର ଯୋଡ଼ି ଗୋ ସୁନ ହୁଆତ ଓ ଲାଇ ସେଭନ ଜେମିଙ୍କଠୁ ହାରି ଯାଇଥିଲେ।
ଏହାପରେ ପୁରୁଷ ଏକକରେ ଶ୍ରୀକାନ୍ତ ୧୬-୨୧, ୧୧-୨୧ରେ ବିଶ୍ବର ୮ ନମ୍ବର ଲି ଜି ଜିଆଙ୍କଠୁ, ମହିଳା ଏକକରେ ବିଶ୍ବର ୧୨ ନମ୍ବର ସିନ୍ଧୁ ୨୧-୧୪, ୧୦-୨୧, ୨୦-୨୨ରେ ୩୦ ମାନ୍ୟତାପ୍ରାପ୍ତ ଗୋ ଜିନ୍ ୱେଇଙ୍କଠୁ ପରାସ୍ତ ହେବାରୁ ଭାରତ ୦-୩ରେ ପଛରେ ପଡ଼ିଥିଲା। ଶେଷରେ ପୁରୁଷ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏବଂ ମହିଳା ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ପରାଜୟ ବରଣ କରିବାରୁ ଭାରତ ୦-୫ରେ ମୂଳପୋଛ ହୋଇଥିଲା।