ମେଲବର୍ଣ୍ଣ: ପାଖି ୩୭ ବର୍ଷ ପରେ ଏସିଆ ମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମେଲ୍ବର୍ଣ୍ଣ କ୍ରିକେଟ୍ ପଡ଼ିଆରେ ଏକ ଆନ୍ତର୍ଜାତିକ ମ୍ୟାଚ୍ରେ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ୧୯୮୫ ବେନ୍ସନ୍ ଆଣ୍ଡ୍ ହେଜେସ୍ ବିଶ୍ବ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଏହି ପଡ଼ିଆରେ ଦୁଇ ଦଳ ଖେଳିଥିଲେ। ସେହି ମ୍ୟାଚ୍ ଭାରତୀୟ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ପାଇଁ ଅଧିନାୟକ ଭାବେ ଶେଷ ମ୍ୟାଚ୍ ଥିଲା। ତେବେ ଅଲ୍ରାଉଣ୍ଡର ରବି ଶାସ୍ତ୍ରୀଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ସେହି ମୁକାବିଲାକୁ ଭାରତ ଜିତି ଗାଭାସ୍କରଙ୍କୁ ସ୍ମରଣୀୟ ଟ୍ରଫି ଭେଟି ଦେଇଥିଲା। ଶାସ୍ତ୍ରୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ସ୍ବରୂପ ଏକ ଅଡି କାର୍ ପାଇଥିଲେ। ପ୍ରାୟ ୩୦ ହଜାର ପ୍ରଶଂସକଙ୍କ ଉପସ୍ଥିତିରେ ସେହି କାର୍ରେ ବିଜେତା ଦଳର ଖେଳାଳିମାନେ ପଡ଼ିଆ ସାରା ବୁଲିବାର ମୁହୂର୍ତ୍ତ ଏବେ ବି ମନରେ ତାଜା ରହିଛି। ସେବେଠାରୁ ଭାରତ ଓ ପାକିସ୍ତାନ କ୍ରିକେଟ୍ ମୁକାବିଲାକୁ ନେଇ ସାରା ବିଶ୍ବରେ ଉତ୍ତେଜନା ସୃଷ୍ଟି ହୋଇଥାଏ। ଫଳରେ ୩୭ ବର୍ଷ ପରେ ପୁଣି ଥରେ ଭାରତ ଓ ପାକିସ୍ତାନ ବେଲ୍ବର୍ଣ୍ଣ ପଡ଼ିଆରେ ଆସନ୍ତାକାଲି ଲଢ଼ିବେ।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ମହମ୍ମଦ ରିଜୱାନ୍, ବାବର ଆଜମ୍, ହାଇଦର ଅଲ୍ଲୀ, ଫକର ଜମନ୍, ଇଫ୍ତିକାର ଅହମ୍ମଦ, ଆସିଫ ଅଲ୍ଲୀ, ସଦାବ୍ ଖାନ୍, ମହମ୍ମଦ ନୱାଜ୍, ସାହିନ୍ ଆଫ୍ରିଦି, ନସିମ୍ ଶାହ, ହାରିସ୍ ରୌଫ୍।
ଆଫ୍ରିଦିଙ୍କୁ ‘ଭି’ ମଧ୍ୟରେ ଖେଳିବାକୁ ସଚିନ୍ଙ୍କ ପରାମର୍ଶ
ବିଶ୍ବର ଶ୍ରେଷ୍ଠ ତଥା ଘାତକ ଦ୍ରୁତ ବୋଲରଙ୍କ ମଧ୍ୟରେ ପାକିସ୍ତାନର ସାହିନ୍ ଆଫ୍ରିଦି ପରିଗଣିତ ହେଉଛନ୍ତି। ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ବ୍ୟାଟର୍ଙ୍କୁ ଧୂଳି ଚଟେଇଥିବା ଆଫ୍ରିଦିଙ୍କୁ ରବିବାର ସାମ୍ନା କରିବା ବେଳେ ତାଙ୍କୁ ଅଧିକ ସିଧା ଖେଳିବାକୁ ଭାରତୀୟ କ୍ରିକେଟ କିଂବଦନ୍ତି ସଚିନ୍ ତେନ୍ଦୁଲକର ପରାମର୍ଶ ଦେଇଛନ୍ତି। ସଚିନ୍ ତାଙ୍କ ଖେଳିବା ସମୟରେ ୱାସିମ୍ ଆକ୍ରମ୍ଙ୍କ ଭଳି ବାମହାତୀ ବୋଲରଙ୍କୁ ସାମ୍ନା କରିଥିବାରୁ ସମାନ ଅଭିଜ୍ଞତାକୁ ବର୍ତ୍ତମାନର ଦଳ ପ୍ରୟୋଗ କରିବା ପାଇଁ ସେ ମନ୍ତ୍ରଣା ଦେଇଛନ୍ତି। ସାହିନ୍ ଜଣେ ଆକ୍ରମଣାତ୍ମକ ବୋଲର ଏବଂ ସେ ସବୁବେଳେ ୱିକେଟ୍ ନେବା ପାଇଁ ପ୍ରୟାସ କରିଥା’ନ୍ତି। ତାଙ୍କ ବଲ୍ ଦ୍ରୁତ ଗତିରେ ଆସି ଅଧିକ ବାଉନ୍ସ ହୋଇଥାଏ ଏବଂ ଭଲ ସୁଇଂ କରିପାରନ୍ତି। ତେଣୁ ତାଙ୍କୁ ସାମ୍ନା କରିବାକୁ ହେଲେ ସିଧା ‘ଭି’ ଆକୃତି ମଧ୍ୟରେ ଖେଳିବାକୁ ପଡ଼ିବ। ବ୍ୟାକ୍ଫୁଟ୍ରେ ନଯାଇ ବଲ୍ ଉପରେ ଖେଳିବାକୁ ହେବ ବୋଲି ସଚିନ୍ ପରାମର୍ଶ ଦେଇଛନ୍ତି।