କ୍ବାଲାଲୁମ୍ପୁର : ମାଲେସିଆର କ୍ବାଲାଲୁମ୍ପୁରଠାରେ ଖେଳାଯାଉଥିବା ସୁଲତାନ ଜୋହର କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ୩-୩ ଡ୍ରରେ ଶେଷ ହୋଇଛି । ତେବେ ଏହି ଫଳାଫଳ ନୁହେଁ, ଆଉ ଏକ କାରଣ ଯୋଗୁଁ ମ୍ୟାଚଟି ଚର୍ଚ୍ଚାରେ ରହିଛି । ତାହା ହେଉଛି ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦେଶର ଖେଳାଳି ପରସ୍ପର ସହ ‘ହାଇ ଫାଇଭ’ (ଏକ ପ୍ରକାର ହାତ ମିଳାଇବା ) କରିଥିଲେ । ଏହି ଘଟଣାକୁ ଗତ ଏସିଆ କପ କ୍ରିକେଟରେ ହୋଇଥିବା ହାଣ୍ଡସେକ୍ ବିବାଦ ସହ ଯୋଡ଼ାଯାଉଛି। କୁହାଯାଉଛି ଯେ ଏସିଆ କପରେ ଦୁଇ ଦେଶର ଖେଳାଳିମାନେ ହାଣ୍ଡସେକ ନକରି ଯେଉଁ ବିବାଦ ସୃଷ୍ଟି କରିଥିଲେ ତାହାକୁ ଏଡ଼ାଇବାକୁ ଉଦ୍ୟମ କରିଛନ୍ତି ଦୁଇ ଦେଶର ହକି ଖେଳାଳି ।
ଗତ ସେପ୍ଟେମ୍ବର ମାସରେ ହୋଇଥିବା ଏସିଆ କପରେ ଭାରତ ଓ ପାକିସ୍ତାନ ଖେଳାଳିମାନେ ହାତ ନ ମିଳାଇବାରୁ ତାହା ଏକ ବଡ଼ ବିବାଦର କାରଣ ହୋଇଥିଲା । ଫାଇନାଲରେ ଏସିସି ମୁଖ୍ୟ ମୋହସିନ ନକଭିଙ୍କ ଠାରୁ ଭାରତୀୟ ଖେଳାଳିମାନେ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ । ଫଳରେ ବିଜୟୀ ହୋଇଥିଲେ ବି ଏପର୍ଯ୍ୟନ୍ତ ଟ୍ରଫି ଭାରତ ହାତକୁ ଆସିନାହିଁ ।