ଭାରତ-ପାକିସ୍ତାନ ବିଶ୍ବକପ୍‌ ମୁକାବିଲାର ୫ ସ୍ମରଣୀୟ ମୁହୂର୍ତ୍ତ

କଟକ: ବିଶ୍ବକପ୍‌ ମୁକାବିଲାରେ ଭାରତ ପ୍ରତ୍ୟେକଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଉପରେ ଆଧିପତ୍ୟ ବିସ୍ତାର କରିଆସିଛି। ଗତବର୍ଷ ଶେଷ ହୋଇଥିବା ବିଶ୍ବକପ୍‌ରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତ ଚମତ୍କାର ବିଜୟ ହାସଲ କରିଥିଲା। ବିଶ୍ବକପ୍‌ରେ ପରସ୍ପର ମଧ୍ୟରେ ଖେଳାଯାଇଥିବା ସମସ୍ତ ୭ ମୁକାବିଲାରେ ଭାରତ ଅପରାଜେୟ ରହିଛି। ତେବେ ବିଶ୍ବକପ୍‌ରେ ଏହି ଦୁଇ ଦଳଙ୍କ ଭିତରେ ଘଟିଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ଉପରେ ଆସନ୍ତୁ ନଜର ପକାଇବା…

ଭେଙ୍କଟେଶ ପ୍ରସାଦ ବନାମ ଆମିର ସୋହେଲ (୧୯୯୬)
ବିଶ୍ବକପ୍‌ର ଶ୍ରେଷ୍ଠ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରେ ୧୯୯୬ ବିଶ୍ବକପ୍‌ରେ ପଡ଼ିଆ ଭିତରେ ଭେଙ୍କଟେଶ ପ୍ରସାଦ ଓ ଆମିର ସୋହେଲଙ୍କ ମଧ୍ୟରେ ହୋଇଥିବା କଟା କଟାକଟି ପ୍ରଥମରେ ରହିବ। ୨୮୮ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ଦମ୍‌ଦାର ଆରମ୍ଭ କରିଥିଲା। ଆମିର ଓ ସଇଦ ଅନଵର ପ୍ରଥମ ଵିକେଟରେ ୮୪ ରନ୍‌ ଯୋଡ଼ିଥିଲେ। ୪୮ ରନ୍‌ରେ ଅନ୍‌ଵର ଆଉଟ୍‌ ହେବା ପରେ ସୋହେଲ ପାଳିକୁ ଆଗକୁ ନେଇଥିଲେ ଏବ˚ ମିଡ୍‌ ଅଫ୍‌ ଅଞ୍ଚଳକୁ ଚୌକା ମାରି ଅର୍ଧଶତକ ଅର୍ଜନ କରିଥିଲେ। ଏହାପରେ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳୁଥିବା ସୋହେଲ ଭେଙ୍କଟେଶଙ୍କୁ ଇଙ୍ଗିତ କରି ପରବର୍ତ୍ତୀ ବଲ୍‌ରେ ସମାନ ଅଞ୍ଚଳକୁ ଆଉ ଏକ ଚୌକା ମାରିବେ ବୋଲି କହିଥିଲେ। ହେଲେ ଭେଙ୍କଟେଶ ପରବର୍ତ୍ତୀ ବଲ୍‌କୁ ଅଫ୍‌ ଷ୍ଟମ୍ପ ବାହାରେ ପକାଇଥିଲେ। ଯାହାକୁ ସୋହେଲ ଖେଳିବାରେ ବିଫଳ ହୋଇଥିଲା ବେଳେ ବଲ୍‌ ସୁଇ˚ ଯୋଗୁଁ ବୋଲ୍ଡ ହୋଇଯାଇଥିଲେ। ଫଳରେ ଉତ୍‌କ୍ଷିପ୍ତ ଭେଙ୍କଟେଶ ସୋହେଲ୍‌ଙ୍କୁ ପାଭିଲିଅନ ଚାଲିଯିବାକୁ କହିଥିଲେ। ଆଉଟ୍‌ ହୋଇ ଫେରୁଥିଲା ବେଳେ ସୋହେଲଙ୍କ ସହ ତାଙ୍କର ସାମାନ୍ୟ କଥା କଟାକଟି ହୋଇଥିବା ଦେଖାଯାଇଥିଲା।

ସଚିନ ତେନ୍ଦୁଲକରଙ୍କ ୯୮ (୨୦୦୩)
୨୭୬ ରନ୍‌କୁ ପିଛା କରିବାକୁ ଯାଇ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହଵାଗଙ୍କ ଯୋଡ଼ି ଭାରତ ପାଇଁ ଏକ ବିସ୍ଫୋରକ ଆରମ୍ଭ କରିଥିଲେ। ଯାହାଫଳରେ ମାତ୍ର ୫ ଓଭରରେ ଭାରତ ୫୩ ରନ୍‌ରେ ପହଞ୍ଚିଯାଇଥିଲା। ହେଲେ ଵାକର ୟୁନିସ୍‌ ପ୍ରଥମେ ସେହଵାଗ ଓ ପରେ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଲଗାତାର ବଲ୍‌ରେ ଆଉଟ୍‌ କରିଥିଲେ। କିନ୍ତୁ ସଚିନ୍‌ ତାଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନଥିଲେ। ଵିକେଟ୍‌ ଝଡୁଥିବା ସତ୍ତ୍ବେ ସେ ୭୫ ବଲ୍‌ରୁ ୧୩୦.୬୬ ଷ୍ଟ୍ରାଇକ୍‌ ରେଟ୍‌ରେ ୯୮ ରନ୍‌ର ଅବିଶ୍ବସନୀୟ ପାଳି ଖେଳିଥିଲେ। ଏହି ପାଳିରେ ୧୨ ଚୌକା ଓ ୧ ଛକା ସାମିଲ ଥିଲା। ଶେଷରେ ଭାରତ ମ୍ୟାଚ୍‌କୁ ଜିତି ନେଇଥିଲା।

ବିରାଟ କୋହଲିଙ୍କ ଶତକ (୨୦୧୫)
୨୦୧୫ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ନିରାଶାଜନକ ରହିଥିଲା। ଯେଉଁଥିପାଇଁ ବିଶ୍ବକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ବିଦା ହୋଇଯିବାର ଅନୁମାନ କରାଯାଉଥିଲା। କିନ୍ତୁ ଦଳର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୭୬ ରନ୍‌ରେ ଭାରତ ପରାସ୍ତ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲା। ଏହା ସମ୍ଭବ ହୋଇଥିଲା ବିରାଟ କୋହଲିଙ୍କ ଶତକୀୟ ପାଳି ଯୋଗୁଁ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୧୨୬ ବଲ୍‌ରୁ ୧୦୭ ରନ୍‌ କରିଥିଲେ। ଯାହାଫଳରେ ସେ ପ୍ରଥମ ଭାରତୀୟ ଭାବେ ପାକିସ୍ତାନ ବିପକ୍ଷରେ କୌଣସି ବିଶ୍ବକପ୍‌ରେ ଶତକ ଅର୍ଜନ କରିବାର କୀର୍ତ୍ତିମାନ କରିଥିଲେ। ଭାରତ ଏହି ମ୍ୟାଚ୍‌ରେ ୩୦୦ ରନ୍‌ ସ˚ଗ୍ରହ କରିଥିଲା ବେଳେ ପାକିସ୍ତାନକୁ ୪୭ ଓଭରରେ ୨୨୪ ରନ୍‌ରେ ସୀମିତ ରଖିପାରିଥିଲା।

ମିଆଁଦାଦଙ୍କ ମାଙ୍କଡ଼ ଡିଆଁ (୧୯୯୨)
ଏହି ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ପ୍ରଥମଥର ପାଇଁ ସାମ୍ନାସାମ୍ନି ହେବା ଚର୍ଚ୍ଚାରେ ରହିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦଙ୍କ ଉତ୍‌ଫୁଲ୍ଲିତ ଆଚରଣ ଚର୍ଚ୍ଚାରେ ରହିଥିଲା। ୨୧୭ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନକୁ ଉକ୍ତ ପିଚ୍‌ରେ ଖେଳିବା ପାଇଁ ଅନେକ କଷ୍ଟର ସାମ୍ନା କରିବାକୁ ପଡୁଥିଲା। ଫଳରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମିଆଁଦାଦ ହତାଶ ହୋଇପଡ଼ିବା ସହ ୨୫ତମ ଓଭରରେ ତେନ୍ଦୁଲକରଙ୍କ ବଲ୍‌ ତାଙ୍କ ପ୍ୟାଡ୍‌ରେ ବାଜିଥିଲା। ଯାହାଫଳରେ ଵିକେଟ୍‌ରକ୍ଷକ କିରଣ ମୋରେ ବଡ଼ପାଟିରେ ଆଉଟ୍‌ ଆବେଦନ କରିଥିଲେ। ଏଭଳି ଅନାବଶ୍ୟକ ଆବେଦନକୁ ଦେଖି ହତାଶ୍‌ ମିଆଁଦାଦ୍‌ ଏହାକୁ ଏଡ଼ାଇ ଯାଇଥିଲେ। ପରବର୍ତ୍ତୀ ବଲ୍‌ ପଡ଼ିବା ପୂର୍ବରୁ ସେ ବ୍ୟାଟି˚ ସ୍ଥାନରୁ ଦୂରେଇ ଯାଇଥିଲେ ଏବ˚ ମୋରେଙ୍କ ସହ କିଛି କଥା କଟାକଟି ହୋଇଥିଲା। ପର ବଲ୍‌ରୁ ମିଆଁଦାଦ୍‌ ୧ ରନ୍‌ ଚୋରେଇ ନେବାକୁ ଚେଷ୍ଟା କରୁଥିଲା ବେଳେ ବଲ୍‌ କ୍ଷେତ୍ରରକ୍ଷକଙ୍କ ହାତରୁ ମୋରେଙ୍କ ପାଖକୁ ଫେରିଆସିବାରୁ ମିଆଁଦାଦ କ୍ରିଜ୍‌କୁ ଫେରିଆସିଥିଲେ। ଏହାପରେ ସେ ତାଙ୍କର ହତାଶା ଦେଖାଇବାକୁ ଯାଇ କ୍ରିଜ୍‌ ଭିତରେ ତିନିଥର ଡେଇଁଥିଲେ। ଯାହାକୁ ମାଙ୍କଡ଼ ଡିଆଁ ରୂପ ଦିଆଯାଇଥିଲା। ଏବେବି ତାହା ଚର୍ଚ୍ଚିତ କ୍ରିକେଟ୍‌ ଘଟଣା ଭିତରେ ଗଣାଯାଉଛି।

ଅଜୟ ଜାଦେଜା ବନାମ ୟୁନିସ (୧୯୯୬)
୧୯୯୬ରେ ଭାରତୀୟ ବ୍ୟାଟ୍ସମ୍ୟାନ ଅଜୟ ଜାଦେଜା ପାକିସ୍ତାନ ବିପକ୍ଷରେ ବିଶ୍ବକପ୍‌ର ଅନ୍ୟତମ ସ୍ମରଣୀୟ ପାଳି ଖେଳିଥିଲେ। ସେ ସମୟରେ ଵାକର ୟୁନିସ୍‌ଙ୍କୁ ଶ୍ରେଷ୍ଠ ବୋଲର ଭାବେ ଗଣାଯାଉଥିଲା ବେଳେ ଜାଜେଦାଙ୍କ ପାଇଁ ସେତେବେଳେ ଟ୍ବେଣ୍ଟି-୨୦ କ୍ରିକେଟ ଭଳି ମଜା ଦେଖିବାକୁ ମିଳିଥିଲା। ମହମ୍ମଜ ଆଝାରୁଦ୍ଦିନ୍‌ଙ୍କ ଵିକେଟ୍‌ ଯିବାପରେ ଜାଦେଜା ତାଙ୍କ ସ୍ଥାନରେ ବ୍ୟାଟି˚ କରିବାକୁ ଆସିଥିଲେ। ସବୁ ବୋଲରଙ୍କୁ ପ୍ରହାର କରି ମାତ୍ର ୨୫ ବଲ୍‌ରୁ ୧୮୦ ଷ୍ଟ୍ରାଇକ୍‌ ରେଟ୍‌ରେ ୪୫ ରନ୍‌ କରିଥିଲେ। ଆଉଟ୍‌ ହେବା ପୂର୍ବରୁ ୟୁନିସ୍‌ଙ୍କ ପ୍ରଥମ ୫ ବଲ୍‌ରୁ ଜାଦେଜା ୨୩ ରନ୍‌ ଆଦାୟ କରିବା ପରେ ଷଷ୍ଠ ବଲ୍‌ରେ ସେ ପାଭିଲିୟନ୍‌ ଫେରିଥିଲେ। ତେବେ ତାଙ୍କର ବିସ୍ଫୋରକ ପାଳି ଯୋଗୁଁ ଭାରତ ୫୦ ଓଭରରେ ୮ ଵିକେଟ ହରାଇ ୨୮୭ ରନ୍‌ କରିଥିଲା ଏବ˚ ଶେଷ ତିନି ଓଭରରେ ୫୧ ରନ୍‌ ଯୋଡ଼ିଥିଲା।

ସମ୍ବନ୍ଧିତ ଖବର