ଦୁବାଇ: ଚଳିତ ଏସିଆ କପ୍‌ କ୍ରିକେଟ୍ ପ୍ରତିଯୋଗିତାରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ସୁପର-୪ ଲଢ଼େଇରେ ରବିବାର ପରସ୍ପରକୁ ଭେଟିବେ। ସୁପର ସଣ୍ଡେର ଏହି ସୁପର ମୁକାବିଲା ଲିଗ୍ ଲଢ଼େଇର ପୁନରାବୃତ୍ତି ହେବ ବୋଲି ଆଶା କରାଯାଉଛି। ପାକିସ୍ତାନ ପ୍ରତିଶୋଧ ନେବାକୁ ଏବଂ ଭାରତ ତା’ର ଦବ୍‌ଦବାକୁ କାଏମ ରଖିବାକୁ ମଇଦାନକୁ ଓହ୍ଲାଇବ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ମଧ୍ୟ ଆଉ ଏକ ମହାମୁକାବିଲା ପାଇଁ ପୂରା ପ୍ରସ୍ତୁତ ରହିଛି। ପୁଣି ଚର୍ଚ୍ଚିତ କରମର୍ଦ୍ଦନ ବିବାଦ ପରେ ଉଭୟ ଦଳ ନିଜ ନିଜ କମାଲ ଦେଖାଇବାକୁ ବ୍ୟଗ୍ର ଥିଲା ବେଳେ ସାରା ବିଶ୍ବର ନଜର ମଧ୍ୟ ରବିବାରର ଏଇ ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ଉପରେ ରହିଛି।

Advertisment

ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ସହଜରେ ପାକିସ୍ତାନକୁ ଧରାଶାୟୀ କରିଥିଲା। ସୁପର-୪ରେ କିନ୍ତୁ ଟିମ୍ ଇଣ୍ଡିଆକୁ ପାକିସ୍ତାନ କଡ଼ା ଟକ୍କର ହେବ ବୋଲି ଏହି ଦେଶର ପ୍ରଶଂସକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ସଫଳ ବାହିନୀ କିନ୍ତୁ ପୂର୍ବ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌କୁ ମଧ୍ୟ ଅନାୟାସରେ ଜିତିବ ବୋଲି ଭାରତୀୟ ପ୍ରଶଂସକ ଦାବି କରିଛନ୍ତି। ଏସିଆ କପ୍ ସଫଳତା, ଦଳୀୟ ସନ୍ତୁଳନ ଓ ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଏହି ମ୍ୟାଚ୍‌ରେ ମଧ୍ୟ ଭାରତର ପଲା ଭାରି ରହିବ, ଏଥିରେ ଦ୍ବିମତ ନାହିଁ। ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌କୁ ଭାରତ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଖେଳାଳିମାନେ ସେମାନଙ୍କ ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ହାତମିଳାଇବାକୁ ମନା କରି ଦେଇଥିଲେ। ମ୍ୟାଚ୍ ପର ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଅଧିନାୟକ ସୂର୍ଯ୍ୟକୁମାର ଅପରେସନ୍ ସିନ୍ଦୁର କଥା ଉଠାଇ ପାକିସ୍ତାନକୁ ଲଜ୍ଜିତ କରିଥିଲେ। ଅନ୍ୟ କିଛି ଉପାୟ ନପାଇ ପାକିସ୍ତାନ, ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ  ପୂରା ପ୍ରତିଯୋଗିତାରୁ ବାଦ୍ ଦେବା ଜିଦ୍‌ରେ ଅଟଳ ରହିଥିଲା। ‌ଏପରିକି ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ଓହରିଯିବାର ଧମକ ଦେଇଥିଲା। ପାଇକ୍ରଫ୍ଟ ଭୁଲ୍ ମାଗିବା ପରେ ପାକିସ୍ତାନ ଖେଳାଳିମାନେ ଦଳୀୟ ହୋଟେଲରୁ ଷ୍ଟାଡିୟମ୍‌କୁ ଯାଇଥିଲେ ବୋଲି ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ଲଜ୍ଜାଜନକ ପରିସ୍ଥିତିରୁ ବର୍ତ୍ତିବା ଲାଗି ସଫେଇ ଦେଇଥିଲା। ଏହି ବିବାଦ ଯୋଗୁଁ ପାକିସ୍ତାନ-ୟୁଏଇ ମ୍ୟାଚ୍ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। ଏ ସବୁ ସତ୍ତ୍ବେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନମିଳାଇବାର ଅଭିମୁ୍‌ଖ୍ୟକୁ ସୁପର-୪ର ଏହି ପ୍ରତୀକ୍ଷିତ  ମ୍ୟାଚ୍‌ରେ ବଦଳାଇବାର କୌଣସି ସମ୍ଭାବନା ନାହିଁ।

ସାମ୍ବାଦିକ ସମ୍ମିଳନୀ ବାତିଲ କଲା ପାକିସ୍ତାନ
ଭାରତ ବିପକ୍ଷ ସୁପର-୪ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ତା’ର ପ୍ରସ୍ତାବିତ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରି ଦେଇଛି। ଏସୀୟ କ୍ରିକେଟ୍ ପରିଷଦର ସୂଚନା ଅନୁସାରେ ଶନିବାର ସଂଧ୍ୟା ୬ଟାରେ ପାକିସ୍ତାନ ଦଳର ଜଣେ ଖେଳାଳି କିମ୍ବା ପ୍ରଶିକ୍ଷକ ମଣ୍ଡଳିର ଜଣେ ସଦସ୍ୟ ସାମ୍ବାଦିକଙ୍କୁ ସମ୍ବୋଧନ କରିବାର ଥିଲା। ସେହିଭଳି ପାକିସ୍ତାନ ଖେଳାଳିମାନେ ମଧ୍ୟ ଦୁବାଇସ୍ଥିତି ଆଇସିସି ଏକାଡେମିରେ ସଂଧ୍ୟାରେ ଅଭ୍ୟାସ କରିବାର ଥିଲା। ଅଭ୍ୟାସ ସୂଚୀ ବଦଳି ନଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀକୁ ଦଳ ବାତିଲ କରି ଦେଇଛି। ସେହିଭଳି ଭାରତ ବିପକ୍ଷରେ ଖେଳିବାର ଚାପକୁ ଦୂର କରିବା ଲାଗି ଜଣେ ପ୍ରେରଣାଦାୟୀ ବକ୍ତାଙ୍କୁ ନେଇଛି। ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ୟୁଏଇ ବିପକ୍ଷ ମ୍ୟାଚ୍‌ର ପ୍ରାକ୍ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ରଦ୍ଦ କରି ଦେଇଥିଲା। ସେହିଭଳି ଭାରତୀୟ କ୍ରି‌କେଟ୍ ଦଳ ମଧ୍ୟ ପାରମ୍ପରିକ ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ କରିନି।

ଭାରତ ତା’ର ତିନିଟିଯାକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଜିତି ସୁପର-୪କୁ ଯାଇଛି। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଭାରତ ଛଡ଼ା ଅନ୍ୟ ଦୁଇ ମ୍ୟାଚ୍‌କୁ ଜିତି ତା’ର ଅଭିଯାନକୁ ଅତୁଟ ରଖିଛି। ତେବେ ଭାରତ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଓମାନ ଭଳି ଦୁର୍ବଳ ଦଳକୁ ଶେଷ ଓଭରରେ ହରାଇବାଥିବାରୁ ଏଥିରେ ଉତ୍ସାହିତ ‌ହୋଇ ପାକିସ୍ତାନ ରବିବାର ବିଜୟୀ ହେବାର ଦମ୍ଭ କରିଛି। ତେବେ ପାକିସ୍ତାନ ଯେଊଁ ଦୁଇଟି ମ୍ୟାଚ୍ ଜିତିଛି, ସେଥିରେ ପ୍ରଭାବୀ ବ୍ୟାଟିଂ କରିନି। ବୋଲରମାନେ ଭଲ କରିଥିଲେ ମଧ୍ୟ ବ୍ୟାଟିଂ ଏହି ଦଳକୁ ଚିନ୍ତାରେ ପକାଇଛି। ଭାରତ କିନ୍ତୁ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି। ଭାରତୀୟ ବୋଲର ବି ଫର୍ମରେ ଅଛନ୍ତି। ଏଣୁ ଭାରତକୁ ହରାଇବାକୁ ହେଲେ ପାକିସ୍ତାନକୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। 

ଓମାନ ମ୍ୟାଚ୍ ଖେଳିଥିବା ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ରବିବାର ଚୂଡ଼ାନ୍ତ ଦଳ‌ରେ ରହିବେନି। ବରଂ ଯଶପ୍ରୀତ୍ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀ ଫେରିବେ। ବ୍ୟାଟିଂରେ ଶୁବମନ୍ ଗିଲ୍, ହାର୍ଦିକ ପାଣ୍ଡ୍ୟ, ଶିବମ୍ ଦୁବେ ରନ୍ କରି ନପାରିବା ସୂର୍ଯ୍ୟଙ୍କୁ କିଛିଟା ଚିନ୍ତାରେ ପକାଇପାରେ। ୟୁଏଇ ବିପକ୍ଷରେ ଫଖର ଜମାନ୍‌ଙ୍କ ଅର୍ଦ୍ଧଶତକ, ସାହିନ ସାହ ଆଫ୍ରିଦିଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଏବଂ ଅବ୍ରାର୍ ଅହମ୍ମଦଙ୍କ ସ୍ପିନ୍ ଫର୍ମକୁ ଫେରିବାରୁ ପାକିସ୍ତାନର ଆତ୍ମବିଶ୍ବାସ ବଢ଼ିଛି। ଓପନର୍ ସୈମ ଆୟୁବଙ୍କ ହ୍ୟାଟ୍ରିକ୍ ଡକ୍ ଏବଂ ୟୁଏଇ ବିପକ୍ଷରେ ମହମ୍ମଦ ହାରିସ୍‌ଙ୍କ ତୋଫାନି ସ୍ପେଲ୍ ପାଇଁ ପାକିସ୍ତାନ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ କିଛିଟା ଅଦଳ ବଦଳ କରିପାରେ। 

ସମ୍ଭାବ୍ୟ ଭାରତ:  ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ସଞ୍ଜୁ ସାମସନ୍, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍‌ରା। 

ସମ୍ଭାବ୍ୟ ପାକିସ୍ତାନ: ସାହିବଜାଦା ଫରହାନ, ସୈମ ଆୟୁବ, ଫଖର ଜମାନ, ସଲମାନ ଅଲୀ ଆଗା (ଅଧିନାୟକ), ହସନ ନୱାଜ, ଖୁସ୍‌ଦିଲ୍ ସାହ, ମହମ୍ମଦ ହାରିସ୍, ମହମ୍ମଦ ନୱାଜ, ସାହିନ ସାହା ଆଫ୍ରିଦି, ଅବ୍ରାର ଅହମ୍ମଦ।