ସଚିନ୍‌ଙ୍କ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସମ୍ଭାବ୍ୟ ସେମିଫାଇନାଲିଷ୍ଟ ମଧ୍ୟରେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇ ଯାଇଥିଲା ବେଳେ ଶନିବାରଠୁ ସୁପର ୧୨ ମୁକାବିଲା ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଭାରତୀୟ କ୍ରିକେଟ୍‌ କିଂବଦନ୍ତି ସଚିନ୍‌ ତେନ୍ଦୁଲକର ତାଙ୍କର ସମ୍ଭାବ୍ୟ ସେମିଫାଇନାଲିଷ୍ଟଙ୍କ ନାମ ଘୋଷଣା କରିଛନ୍ତି। ଏହି ୪ ଜଣିଆ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରଥମ ଦଳ ଭାବେ ସେ ଭାରତକୁ ବାଛିଥିଲା ବେଳେ ଦ୍ବିତୀୟ ଦଳ ଭାବେ ପାକିସ୍ତାନକୁ ରଖିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ପସନ୍ଦିତା ଦଳ ଭାବେ ସଚିନ ବାଛିଛନ୍ତି। ଭାରତୀୟ ଦଳ ପାଖରେ ଟ୍ରଫି ଜିତିବାକୁ ବହୁତ ବଡ଼ ସୁଯୋଗ ରହିଛି। ଏହା ଏକ ସନ୍ତୁଳିତ ଦଳ ଏବଂ ମ୍ୟାଚ୍‌କୁ କବ୍‌ଜାରେ ରଖିବା ଭଳି ଦକ୍ଷତା ସମସ୍ତଙ୍କ ପାଖରେ ରହିଛି। ତେଣୁ ଆମେ ସେମିଫାଇନାଲ୍‌କୁ ନିଶ୍ଚୟ ଯିବା ବୋଲି ସଚିନ ଆଶାବ୍ୟକ୍ତ କରିଛନ୍ତି। ଯଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇବ। କିନ୍ତୁ ଭାରତୀୟ ଦଳ ଏହାକୁ ଗ୍ରହଣ କରିସାରିଛି ଏବଂ ଆଗକୁ ବଢିଛି। ବୁମ୍‌ରାଙ୍କ ବଦଳରେ ଅଭିଜ୍ଞ ସାମି ଦଳକୁ ଫେରିଛନ୍ତି। ‌ସେ ନିଶ୍ଚିତ ଭାବେ ଏହି ଶୂନ୍ୟସ୍ଥାନ ପୂରଣ କରିପାରିବେ। ବିଶ୍ବକପ୍‌ ଅଭ୍ୟାସ ମ୍ୟାଚ୍‌ ଅବସରରେ ସାମି ତାହାକୁ ପ୍ରମାଣିତ କରିସାରିଛନ୍ତି ବୋଲି ସଚିନ କହିଛନ୍ତି।

ସମ୍ବନ୍ଧିତ ଖବର