ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ବକପ୍‌ ଲାଗି ଆଇସିସି ସୋମବାର ମ୍ୟାଚ୍‌ ସୂଚୀ ଘୋଷଣା କରିଛି। ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ୮ ଦଳୀୟ ପ୍ରତିଯୋଗିତା ଭାରତର ୪ ସହର ବେଙ୍ଗାଲୁରୁ, ଭାଇଜାଗ୍‌, ଇନ୍ଦୋର, ଗୁଆହାଟୀ ଏବଂ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଏହା ହାଇବ୍ରିଡ୍‌ ମଡେଲରେ ଶ୍ରୀଲଙ୍କାରେ ଆୟୋଜିତ ହେବ। ତେଣୁ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍‌ କଲମ୍ବୋରେ ଖେଳିବ। ବେଙ୍ଗାଲୁରୁରେ ଉଦ୍‌ଘାଟନୀ ମୁକାବିଲାରେ ଆୟୋଜକ ଭାରତ ଓ ସହ ଆୟୋଜକ ଶ୍ରୀଲଙ୍କା ମୁହାଁମୁହିଁ ‌ହେବେ। ଭାରତ ତା’ର ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ ଅକ୍ଟୋବର‌ ୫ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ କଲମ୍ବୋରେ ଭେଟିବ। ସମସ୍ତ ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ।

Advertisment

ଏହି ରାଉଣ୍ଡ ରବିନ୍‌ ପଦ୍ଧତି ‌ଖେଳାଯିବାକୁ ଥିବା ଏହି ବିଶ୍ବକପ୍‌ର ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ। ପାକିସ୍ତାନ ଯଦି ସେମିଫାଇନାଲ୍‌ରେ ପହଞ୍ଚେ ତେବେ ପ୍ରଥମ ସେମିଫାଇନାଲ୍‌‌ ୨୯ ଅକ୍ଟୋବରରେ କଲମ୍ବୋରେ ଖେଳାଯିବ ନହେଲେ ଗୁଆହାଟୀରେ ଆୟୋଜିତ ହେବ। ‌୩୦ ଅକ୍ଟୋବରରେ ଖେଳାଯିବାକୁ ଥିବା ‌ଦ୍ବିତୀୟ ସେମିଫାଇନାଲ୍‌ ବେଙ୍ଗାଲୁରୁରେ ଖେଳାଯିବ। ସେହିପରି ଯଦି ପାକିସ୍ତାନ  ଫାଇନାଲ୍‌ରେ ପହଞ୍ଚିବ, ତେବେ ଏହା କଲମ୍ବୋରେ, ନ ‌ହେଲେ ଏହା ବେଙ୍ଗାଲୁରୁରେ ଖେଳାଯିବ ବୋଲି ଆଇସିସି ସ୍ପଷ୍ଟ କରିଛି। ମୁଖ୍ୟ ମ୍ୟାଚ୍‌ ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍‌ ସେପ୍ଟେମ୍ବର ୨୪‌ରେ ଇଂଲଣ୍ଡ ବିପକ୍ଷରେ ବେଙ୍ଗାଲୁରୁରେ ଏବଂ ୨୭ ତାରିଖରେ ଗୁଆହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।