ବୁଦାପେଷ୍ଟ: ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ହେଉଥିଲା ବେଳେ ସବୁବେଳେ ଉତ୍କଣ୍ଠାପୂର୍ଣ୍ଣ ମାହୋଲ ରହିଥାଏ। ପଡ଼ିଆରେ ଯେତିକି ଉଷ୍ମତା ଥାଏ, ତାହାଠୁ ଅଧିକ ଉନ୍ମାଦନା ପ୍ରଶଂସକଙ୍କ ମଧ୍ୟରେ ଦେଖାଦେଇଥାଏ। ଏହି ଦୁଇ ଦେଶ ମଧ୍ୟରେ ଖେଳ ହେବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଲଢେଇ ତୀବ୍ର ହୋଇଯାଇଥାଏ। କ୍ରିକେଟ୍, ହକି, ଫୁଟବଲ୍ ଭଳି ଖେଳରେ ଏଭଳି ଉତ୍ତେଜନାମୂଳକ ପରିବେଶ ଦେଖାଯାଇଛି। ବର୍ତ୍ତମାନ ଦୌଡ଼କୁଦରେ ମଧ୍ୟ ସମାନ ଧରଣର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ଜାଭଲିନ୍ରେ ଭାରତୀୟ ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଓ ପାକିସ୍ତାନର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଅର୍ଶଦ ନଦୀମଙ୍କ ମଧ୍ୟରେ କିଛି ବର୍ଷ ହେବ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା ବେଳେ ଏବେ ବିଶ୍ବ ଚାମ୍ପିଅନ୍ସିପ୍ରୁ ଦୁଇ ଜଣ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି। ଏପରିକି ଯୋଗ୍ୟତା ପର୍ଯ୍ୟାୟ ମାର୍କ ଅନୁସାରେ ଫାଇନାଲ୍ ପାଇଁ ହୋଇଥିବା ତାଲିକାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଏହି ଦୁଇ ଜଣ ଅଛନ୍ତି। ତଥାପି ଫିଲ୍ଡ ଓ ଟ୍ରାକ୍ ଇଭେଣ୍ଟରେ ନୀରଜ ଓ ଅର୍ଶଦଙ୍କ ପୂର୍ବରୁ ଆଉ ଏକ ପ୍ରତିଦ୍ବନ୍ଦୀଙ୍କ ଘଟଣା ମଧ୍ୟ ଉଦାହରଣ ହୋଇ ରହିଯାଇଛି। କିଂବଦନ୍ତି ଧାବକ ମିଲ୍ଖା ସିଂହ ଓ ପାକିସ୍ତାନ ସ୍ପ୍ରିଣ୍ଟର ଅବଦୁଲ ଖଲିଦ ପୂର୍ବରୁ ପରସ୍ପରକୁ ଟ୍ରାକ୍ରେ ଟକ୍କର ଦେଉଥିଲେ।
ଏବେ ନୀରଜ ଓ ଅର୍ଶଦ ଏହି ଧାରାକୁ ଆଗେଇ ନେଉଛନ୍ତି। ବୁଦାପେଷ୍ଟରେ ଦୁହେଁ ଏବେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି। ଶୁକ୍ରବାର ଶେଷ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ପ୍ରଥମ ପ୍ରୟାସରେ ୮୮.୭୭ ଫିଙ୍ଗି ସିଧାସଳଖ ଯୋଗ୍ୟତା ପାଇଥିଲେ। କିନ୍ତୁ ଅର୍ଶଦ ପ୍ରଥମ ପ୍ରୟାସରେ ୭୦.୬୩ ମିଟର ଫିଙ୍ଗିଥିଲା ବେଳେ ଦ୍ବିତୀୟ ପ୍ରୟାସରେ ୮୬.୭୯ ମିଟର ପକାଇ ଅଲିମ୍ପିକ ଯୋଗ୍ୟତା ପାଇଥିଲେ। ଭାରତ ପାଇଁ ଫିଲ୍ଡ ଆଣ୍ଡ ଟ୍ରାକ୍ ଇଭେଣ୍ଟରେ ନୀରଜ ସବୁଠୁ ବଡ଼ ସଫଳତା ପାଲଟିଛନ୍ତି। ବିଶ୍ବସ୍ତରରେ ଏହି କ୍ରୀଡ଼ାବିତ୍ ଜଣକ ଆଧିପତ୍ୟ ବିସ୍ତାର କରିଛନ୍ତି। ୨୦ ବର୍ଷରୁ କମ୍ ବିଶ୍ବ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ଜିତିବା ପରଠୁ ସେ ଚର୍ଚ୍ଚାରେ ରହିଆସିଥିଲେ। ଏବେ ସେ ଦେଶର କ୍ରୀଡ଼ା ଜଗତର ମହାନାୟକ ପାଲଟିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତି ଅଭିନବ ବିନ୍ଦ୍ରାଙ୍କ ପରେ ଶୀର୍ଷ ମାନ୍ୟତା ପାଇଛନ୍ତି। ପରେ ଗତବର୍ଷ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକ ପାଇବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଏଥିସହ ପ୍ରଥମ ଭାରତୀୟ ଭାବେ ଡାଏମଣ୍ଟ ଲିଗ୍ରେ ଲଗାତାର ସ୍ଥିର ପ୍ରଦର୍ଶନ ଦେଇ ଡାଏମଣ୍ଡ ଟ୍ରଫି ହାତେଇଛନ୍ତି।
ଅର୍ଶଦ ମଧ୍ୟ ତାଙ୍କ ଦେଶକୁ ଗର୍ବିତ କରାଇବାରେ କିଛି କମ୍ ପରିଶ୍ରମ କରିନାହାନ୍ତି। ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ ଜିତି ପାକିସ୍ତାନ ପାଇଁ ସଫଳତାର ଫର୍ଦ ଯୋଡ଼ିଥିଲେ। ଏହିଠାରେ ନୀରଜ ସ୍ବର୍ଣ୍ଣ ଜିତିଥିଲା ବେଳେ ଉଭୟ ପୋଡିୟମ୍ର ଶୋଭା ବଢାଇଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅର୍ଶଦ ଅଷ୍ଟମରେ ରହିଥିଲା ବେଳେ ନୀରଜ ସ୍ବର୍ଣ୍ଣ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସରେ ନୀରଜ ଐତିହାସିକ ସ୍ବର୍ଣ୍ଣ ପାଇଥିଲେ। ଅର୍ଶଦ ପୋଡିୟମ୍ ଫିନିସ୍ କରିପାରିନଥିଲେ ବି ପଞ୍ଚମ ସ୍ଥାନରେ ରହିଥିଲେ। ନୀରଜଙ୍କ ସ୍ବର୍ଣ୍ଣ ପଦକଠୁ ମାତ୍ର ୩ ମିଟର ଦୂରରେ ସେ ରହିଯାଇଥିଲେ। ଦୀର୍ଘଦିନ ଧରି ଆହତରେ ରହିବା ପରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନୀରଜଙ୍କ ପୂର୍ବରୁ ୯୦ ମିଟର ପାର୍ କରିଥିଲେ। ଏଠାରେ ୯୦.୧୮ ମିଟର ସହ ଅର୍ଶଦ ସ୍ବର୍ଣ୍ଣ ପଦକ ଜିତିଥିଲେ।