ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ଭାରତର ଅଭିଯାନ ଆରମ୍ଭ ହେବ। ଅକ୍ଟୋବର ୫ ତାରିଖରୁ ବିଶ୍ବକପ୍ ଆରମ୍ଭ ହେବାକୁ ଥିବା ବେଳେ ୮ ତାରିଖରେ ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳାଯିବ। ଅହମଦାବାଦ୍ରେ ଭାରତ ଓ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ମୁହାଁମୁହିଁ ହେବେ। ବିଶ୍ବକପ୍ ପୂର୍ବରୁ ବିସିସିଆଇ ପକ୍ଷରୁ ଆଇସିସି ଓ ବିଭିନ୍ନ ସଦସ୍ୟ ଦଳମାନଙ୍କ ପାଖକୁ ପଠାଇଥିବା ଚିଠା ଖେଳସୂଚୀରୁ ଏହା ଜଣାପଡ଼ିଛି। ସମସ୍ତଙ୍କ ପାଖରୁ ମତାମତ ଆସିବା ପରେ ଆସନ୍ତା ସପ୍ତାହରେ ସୂଚୀ ଉପରେ ଚୂଡ଼ାନ୍ତ ମୋହର ବାଜିବ ବୋଲି ଜଣାପଡ଼ିଛି।
ପ୍ରାଥମିକ ଚିଠା ଅନୁଯାୟୀ, ବିଶ୍ବକପ୍ର ଉଦ୍ଘାଟନୀ ମୁକାବିଲା ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଅହମଦାବାଦରେ ଖେଳାଯିବ। ଏହି ସ୍ଥାନରେ ନଭମ୍ବର ୧୯ ତାରିଖରେ ବିଶ୍ବକପ୍ ଫାଇନାଲ୍ ମଧ୍ୟ ଖେଳାଯିବ। ସେମିଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୫ ଓ ୧୬ ତାରିଖରେ ଖେଳାଯିବାକୁ ଦିନ ଧାର୍ଯ୍ୟ ହୋଇଥିଲେ ବି ସ୍ଥାନ ନିରୂପଣ ହୋଇପାରିନି।
ଆୟୋଜକ ଭାରତ ତାହାର ଲିଗ୍ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ୯ଟି ସହର ଚେନ୍ନାଇ, ଅହମଦାବାଦ, ପୁଣେ, କୋଲକାତା, ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଧର୍ମଶାଳା, ଲକ୍ଷ୍ନୌରେ ଖେଳିବ। ହେଲେ ପାକିସ୍ତାନ ତାହାର ମ୍ୟାଚ୍ଗୁଡ଼ିକ ୫ଟି ସହରରେ ଖେଳିବ। ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଦଳଙ୍କ ସହିତ ଅକ୍ଟୋବର ୬ ଓ ୧୨ ତାରିଖରେ ହାଇଦ୍ରାବାଦରେ ମ୍ୟାଚ୍ ଖେଳିବା ପରେ ଭାରତ ସହିତ ଅହମଦାବାଦରେ ଖେଳିବ। ଏହାପରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ (ଅକ୍ଟୋବର ୨୦), ଚେନ୍ନାଇରେ ଆଫଗାନିସ୍ତାନ (ଅକ୍ଟୋବର ୨୩), ଦକ୍ଷିଣ ଆଫ୍ରିକା (ଅକ୍ଟୋବର ୨୭), କୋଲକାତାରେ ବାଂଲାଦେଶ (ଅକ୍ଟୋବର ୩୧), ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ (ନଭେମ୍ବର ୫), କୋଲକାତାରେ ଇଂଲଣ୍ଡ (ନଭେମ୍ବର ୧୨) ସହିତ ଲିଗ୍ ପର୍ଯ୍ୟାୟ ଖେଳିବ। ଅନ୍ୟ ବଡ଼ମ୍ୟାଚ୍ଗୁଡ଼ିକ ମଧ୍ୟରେ ଦୁଇ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଳାଣ୍ଡ ଅକ୍ଟୋବର ୨୯ ତାରିଖରେ ଧର୍ମଶାଳାରେ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍ ନଭେମ୍ବର ୪ ତାରିଖରେ ଅହମଦାବାଦରେ ଖେଳାଯିବ।