ଦୁବାଇ: ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରବିବାର ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା। କରାଚୀରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରି ଦୁବାଇ ଆସିଥିବା ପାକିସ୍ତାନ ଏବେ ପ୍ରବଳ ଚାପରେ ରହିଛି। ପାକିସ୍ତାନ ଏଥର ବିଜେତା ଓ ଆୟୋଜକ ଭାବେ ଖେଳୁଥିବାରୁ ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ବି ପଡ଼ିଛି। ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ହାରିଗଲେ ମହମ୍ମଦ ରିଜୱାନଙ୍କ ଦଳ ସେମିଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ଅନେକ ବର୍ଷଧରି ଭାରତକୁ ହରାଇବାରେ ପାକିସ୍ତାନ ସକ୍ଷମ ହେଉନଥିବାରୁ ଅତିରିକ୍ତ ଚାପ ବି ରହିଛି ଏହି ଦଳ ଉପରେ। ନହେଲେ ୩ ଦଶନ୍ଧି ପରେ ପାକିସ୍ତାନକୁ ମିଳିଥିବା ଆୟୋଜନର ଉତ୍ସାହ ପ୍ରଥମରୁ ଫିକା ପଡ଼ିଯିବ। ରୋହିତ ଶର୍ମାଙ୍କ ଦଳ ବି ପାକିସ୍ତାନ ବିପକ୍ଷ ଧାରାକୁ ଆଗକୁ ନେଇ ସେମିଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି। ପ୍ରଶଂସକ ମଧ୍ୟ ଏକ ଲୋମଟାଙ୍କୁରା ତଥା ଦମ୍ଦାର ମୁକାବିଲା ଦେଖିବା ଆଶାରେ ଅଛନ୍ତି।
ଆଇସିସି ଚାମ୍ପିଅନ୍ସ ଟ୍ରଫିର ୨୦୧୭ ସଂସ୍କରଣ ଫାଇନାଲ୍ରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା। ସେହିଭଳି ୨୦୨୧ ଟ୍ବେଣ୍ଟି-୨୧ ବିଶ୍ବକପ୍ରେ ମଧ୍ୟ ହରାଇବାରେ ସକ୍ଷମ ହେବାରୁ ପରାଜୟର ଲମ୍ବା ଧାରାକୁ ଭାଙ୍ଗିଥିଲା। ଏବେ କିନ୍ତୁ ପାକିସ୍ତାନର ସୀମିତ ଓଭର ଦଳ ସେଭଳି ପ୍ରଭାବୀ ଖେଳ ଖେଳୁନାହିଁ। କେବଳ ଦୁବାଇର ମନ୍ଥର ପିଚ୍ରୁ ଫାଇଦା ଉଠାଇ ପାକିସ୍ତାନ କିଛି କରିସ୍ମା କରିବା ଆଶାରେ ରହିବ। କାକର ସମସ୍ୟା ଦୁବାଇରେ ନଥିବାରୁ ଏକ ସମତୁଲ ମ୍ୟାଚ୍ ବି ନଜରକୁ ଆସିବ। ଏଭଳି ପିଚ୍ରେ କିନ୍ତୁ ଗତବର୍ଷ ଭାରତ ବିପକ୍ଷରେ ଶ୍ରୀଲଙ୍କା ଦ୍ବିପାକ୍ଷିକ ଶୃଙ୍ଖଳା ଜିତିଥିବାରୁ ଗୌତମ ଗମ୍ଭୀରଙ୍କ ଦଳ ଏଥିରୁ କିଛି ଶିଖିଥିବେ ବୋଲି ବିଶ୍ବାସ କରାଯାଉଛି। ପାକିସ୍ତାନ ବିପକ୍ଷ ବିଗତ ୧୧ ଦିନିକିଆ ମ୍ୟାଚ୍ରୁ ଭାରତ ୯ଟି ଜିତିଛି। ଏସବୁ ମ୍ୟାଚ୍ ବିଶ୍ବକପ୍, ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ରେ ଦେଖିବାକୁ ମିଳିଛି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ କିନ୍ତୁ ପାକିସ୍ତାନ ୩-୨ରେ ଆଗୁଆ ରହିଛି, ଯେଉଁଥିରେ ୨୦୧୭ ଫାଇନାଲ୍ର ଏକତରଫା ବିଜୟ ସାମିଲ ରହିଛି।
ଦୁଇ ଘଣ୍ଟା ଆଗରୁ ଅଭ୍ୟାସ କଲେ କୋହଲି
ଫର୍ମକୁ ନେଇ ସଂଘର୍ଷ କରୁଥିବା ବିରାଟ କୋହଲି ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ନିଜକୁ ଅତିରିକ୍ତ ପ୍ରସ୍ତୁତିରେ ସାମିଲ କରିଛନ୍ତି। ଶନିବାର ଆଇସିସି ଏକାଡେମିରେ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭର ୨ ଘଣ୍ଟା ପୂର୍ବରୁ କୋହଲି ହାଜର ହୋଇ ସ୍ପିନ୍ ବିପକ୍ଷରେ ଅତିରିକ୍ତ ସମୟ ବ୍ୟାଟିଂ ଅଭ୍ୟାସ କରିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ୍ ଶୃଙ୍ଖଳା ବେଳେ ଅଫଷ୍ଟମ୍ପ୍ ବାହାର ବଲ୍ ଖେଳିବାରେ ବିଫଳ ହୋଇଥିବା କୋହଲି ଏବେ ଦିନିକିଆ ଫର୍ମାଟରେ ଲେଗ୍ସ୍ପିନ୍ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ବାଂଲାଦେଶ ବିପକ୍ଷ ମୁକାବିଲାରେ ବି ଲେଗସ୍ପିନର୍ ରିଶଦ ଖାନ୍ ୩୬ ବର୍ଷୀୟ କୋହଲିଙ୍କ ପ୍ରାଇଜ୍ ୱିକେଟ୍ ପାଇଥିଲେ। ୨୦୨୪ ପ୍ରାରମ୍ଭରୁ କୋହଲି ଏପର୍ଯ୍ୟନ୍ତ ୬ଟି ଦିନିକିଆରେ ୫ ଥର ଲେଗିଙ୍କ ବଲରେ ଆଉଟ୍ ହୋଇଛନ୍ତି। ଗତ ଇଂଲଣ୍ଡ ଶୃଙ୍ଖଳାରେ ଆଦିଲ ରସିଦ୍ ତାଙ୍କୁ ୨ ଥର ଆଉଟ୍ କରିଥିଲେ। ପୂର୍ବରୁ ୱାନିନ୍ଦୁ ହସରଙ୍ଗା, ଜେଫ୍ରେ ବନ୍ଦରସେ ଓ ବାମହାତୀ ରିଷ୍ଟ୍ ସ୍ପିନର୍ ଦୁନିଥ ୱାଲାଲଗେ ବି ଆଉଟ୍ କରିଥିଲେ। ବିଗତ ୬ ଦିନିକିଆରେ କୋହଲି ୨୨.୮୩ ହାରରେ ମାତ୍ର ୧୩୭ ରନ୍ ସଂଗ୍ରହ କରିଛନ୍ତି ଏବଂ ଗୋଟିଏ ମାତ୍ର ଅର୍ଦ୍ଧଶତକ ମାରିଛନ୍ତି। ପାକିସ୍ତାନ ବିପକ୍ଷରେ କିନ୍ତୁ କୋହଲିଙ୍କ ପ୍ରଦର୍ଶନ ସୀମିତ ଓଭର ଫର୍ମାଟରେ ଚମତ୍କାର ରହିଛି। ଗତ ୨୦୨୨ ଟ୍ବେଣ୍ଟି-୨୨ ବିଶ୍ବକପ୍ରେ ମେଲବର୍ଣ୍ଣରେ କୋହଲି ୫୩ ବଲ୍ରୁ ୮୨ ରନ୍ କରିଥିଲେ। ମୋଟ ଉପରେ ପାକିସ୍ତାନ ବିପକ୍ଷରେ କୋହଲି ୧୬ ଦିନିକିଆରୁ ୫୨.୧୫ ହାରରେ ୬୭୮ ରନ୍ ସଂଗ୍ରହ କରିଛନ୍ତି। ଷ୍ଟ୍ରାଇକ୍ ରେଟ୍ ବି ଉଚ୍ଚ (୧୦୦.୨୯)ରେ ରହିଛି। ଏହା ଭିତରେ ୩ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଅଛି। କୋହଲି ରବିବାର ପାକିସ୍ତାନ ସ୍ପିନର୍ ଆବ୍ରାର ଅହମ୍ମଦଙ୍କୁ କିଭଳି ମୁକାବିଲା କରୁଛନ୍ତି ଦେଖିବାର ଅଛି। ଏକ ନିର୍ଦ୍ଦିଷ୍ଟ ଶ୍ରେଣୀୟ ବୋଲରଙ୍କ ବିପକ୍ଷରେ କୋହଲିଙ୍କ ଦୁର୍ବଳତା ପଦାରେ ପଡ଼ିଥିବାରୁ କିଂବଦନ୍ତି ବ୍ୟାଟର୍ ସୁନୀଲ ଗାଭାସ୍କର ଚିନ୍ତା ପ୍ରକଟ କରିଛନ୍ତି।
ଦୁବାଇ ପିଚ୍ରେ ଭାରତ ଗତ ବାଂଲାଦେଶ ବିପକ୍ଷ ମ୍ୟାଚ୍କୁ ଅନାୟାସରେ ଜିତିଥିବାରୁ ନିଶ୍ଚିତ ଫାଇଦାରେ ରହିବ। କିନ୍ତୁ ଦୁବାଇ ବି ପାକିସ୍ତାନର ଅନ୍ୟତମ ଘରୋଇ ଭେନ୍ୟୁ ଭାବେ ପରିଚିତ ଥିବାରୁ ଏହି ଦଳ ପାଇଁ ପିଚ୍ ପରିଚୟ ବିଶେଷ କରି ଅସୁବିଧା ଆଣିବ ନାହିଁ। ଉଭୟ ଦଳ ପାୱାର ପ୍ଲେ’ରୁ ହିଁ ଫାଇଦା ଉଠାଇ ମିଡିଲ୍ ଓଭରକୁ ମୁକାବିଲା କରିବା ଯୋଜନାରେ ରହିବେ । ଭାରତୀୟ ଦଳ ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଆଶାରେ ରହିଛି। ବଡ଼ ଖେଳାଳି ବଡ଼ ମୁକାବିଲାରେ ଭଲ କରିବାର ପରମ୍ପରା ଥିବାରୁ ଉଭୟ ଦୁବାଇରେ ଚମତ୍କାର ବ୍ୟାଟିଂ କରନ୍ତୁ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି। ବାଂଲାଦେଶ ବିପକ୍ଷରେ ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ବ୍ୟାଟିଂ କରିପାରିନଥିଲେ। ରୋହିତ ୪୧ ଓ ବିରାଟ ୨୨ ରନ୍ କରିଥିଲେ। ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଭଲ ଖେଳି ଆସିଥିବାରୁ ଏହିଠାରେ ତାଙ୍କ ବିଫଳତା ଧାରାର ଅନ୍ତ ଘଟିବ ବୋଲି ବିଶ୍ବାସ କରାଯାଉଛି। କିନ୍ତୁ ବିରାଟ ଏବେ ଏକ ବିରାଟ ସମସ୍ୟାରେ ପଡ଼ିଛନ୍ତି। ବିଗତ ୫ଟି ଦିନିକିଆ ପାଳିରେ ସେ ଲେଗସ୍ପିନର୍ଙ୍କ ଶିକାର ହୋଇଛନ୍ତି। ଏହି ୫ ପାଳିରେ ସେ ଲେଗ୍ସ୍ପିନର୍ଙ୍କ ବିପକ୍ଷରେ ୪୬ ବଲ୍ ଖେଳି ମାତ୍ର ୨୧ ରନ୍ ବି କରିଛନ୍ତି। ଅବଶ୍ୟ ପାକିସ୍ତାନ ଦଳରେ ଏବେ ସେଭଳି ପ୍ରଭାବୀ ଲେଗସ୍ପିନର୍ ନଥିବାରୁ କୋହଲି ମନସ୍ତାତ୍ତ୍ବିକ ଚାପରୁ ମୁକ୍ତ ରହି ଖେଳିପାରିବେ। ଦୁବାଇ ପିଚ୍ରେ ଜମିଗଲେ ବିରାଟ ଏକ ବହୁ ପ୍ରତୀକ୍ଷିତ ବଡ଼ ପାଳି ଖେଳିପାରିବେ। ସେହି ଦୃଷ୍ଟିରୁ ଭାରତୀୟ କ୍ରିକେଟ୍ର ଚର୍ଚ୍ଚିତ ଚେହେରା ରୋକୋ (ରୋହିତ-କୋହଲି)ଙ୍କ ପ୍ରଦର୍ଶନ ରବିବାର ନିର୍ଣ୍ଣାୟକ ହେବ ବୋଲି ବିଶ୍ବାସ କରାଯାଉଛି। କୋହଲି ଆଉ ମାତ୍ର ୧୫ ରନ୍ କରିପାରିଲେ ୧୪,୦୦୦ ଦିନିକିଆ ରନ୍ ପୂର୍ଣ୍ଣ କରିବାରେ ତୃତୀୟ ଖେଳାଳି ହେବେ ଏବଂ ଦ୍ରୁତତମ ରେକର୍ଡ କରିପାରିବେ।
ପାକିସ୍ତାନ ଦଳ କିନ୍ତୁ ସଲମାନ ଆଘା, ଖୁସଦିଲ୍ ସାହା ଓ ବାବର ଆଜମଙ୍କ ଉପରେ ନିର୍ଭର କରିବ। ବାବର ଗତ ମ୍ୟାଚ୍ରେ ମାତ୍ରାଧିକ ମନ୍ଥର ଖେଳିଥିବାରୁ ଦଳର ପରାଜୟ ହେଲା ବୋଲି ଅନେକ ମତ ଦେଇଛନ୍ତି। ଏହି ଦାଗକୁ ସେ ଲିଭାଇବାକୁ ଚେଷ୍ଟା କରିବେ। ପାକିସ୍ତାନ ପାଇଁ କିନ୍ତୁ ନୂଆ ସମସ୍ୟା ହେଉଛି, ଭାରତ ବିପକ୍ଷ ୨୦୨୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଚମତ୍କାର ବ୍ୟାଟିଂ କରିଥିବା ଫକର ଜମାନ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଇମାମ୍ ଉଲ୍ ହକ୍ଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ସେ ଖେଳିବେ କି ନା ସ୍ପଷ୍ଟ କରାଯାଇନାହିଁ। ଜମାନଙ୍କ ବଦଳରେ ରିଜର୍ଭ ବ୍ୟାଟର୍ ଉସମାନ ଖାନ୍ ପଦାର୍ପଣ କରିବା ସମ୍ଭାବନା ରହିଛି। ଘରୋଇ କ୍ରିକେଟ୍ରେ ସେ ଲିଷ୍ଟ୍-ଏରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରନ୍ତି।
ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ହର୍ଷିତ ରାଣା, ମହମ୍ମଦ ସାମି, କୁଲଦୀପ ୟାଦବ।
ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ଇମାମ ଉଲ୍ ହକ୍, ବାବର ଆଜମ, ସୌଦ ସକିଲ୍, ମହମ୍ମଦ ରିଜୱାନ (ଅଧିନାୟକ, ୱିକେଟରକ୍ଷକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ସାହା, ସାହିନ ସାହା ଆଫ୍ରିଦୀ, ନସିମ୍ ସାହା, ହାରିସ ରୌଫ, ଆବ୍ରାର ଅହମ୍ମଦ।