ଦୁବାଇ: ଭାରତ-ପାକିସ୍ତାନ ଲଢ଼େଇକୁ କ୍ରିକେଟ୍ପ୍ରେମୀ ଉତ୍ସାହର ସହ ପ୍ରତୀକ୍ଷା କରିଥା’ନ୍ତି। କେବଳ ଏହି ଦୁଇ ଦେଶ ନୁହେଁ, ଯେବେବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୁଅନ୍ତି, ସାରା ବିଶ୍ବର ନଜର ଏହି ମହାମୁକାବିଲା ଉପରେ ରହିଥାଏ। ବିଶ୍ବର ଯେଉଁସ୍ଥାନରେ ଖେଳା ଯାଉଥିଲେ ମଧ୍ୟ ଏହାକୁ ନେଇ ଗଳି କନ୍ଦିରୁ ସହର ବଜାର ପର୍ଯ୍ୟନ୍ତ, ସବୁଠି ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ଏଥର କିନ୍ତୁ ନାହିଁ ଆଗଭଳି ସେହି ଉତ୍ସାହ। ଏସିଆ କପ୍ର ବହୁ ପ୍ରତୀକ୍ଷିତ ମହାଲଢ଼େଇରେ ରବିବାର ଭାରତ-ପାକିସ୍ତାନ ପରସ୍ପରକୁ ଭେଟାଭେଟି ହେବାକୁ ଯାଉଥିଲା ବେଳେ ପୂର୍ବର ସେହି ଚର୍ଚ୍ଚା ଓ ଉତ୍କଣ୍ଠା ଯେମତି ଏକବାର କମିଯାଇଛି। ଟିକେଟ୍ ବିକ୍ରିରେ ଅପ୍ରତ୍ୟାଶିତ ମାନ୍ଦାବସ୍ଥା, ଆଇପିଏଲ୍ ଫ୍ରାଞ୍ଚାଇଜ୍ଗୁଡ଼ିକର ଏହି ହାଇଭୋଲ୍ଟେଜ୍ ମ୍ୟାଚ୍କୁ ବର୍ଜନ କରିବା ନିଷ୍ପତ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ପରେ ଅପରେସନ୍ ସିନ୍ଦୁରକୁ ନେଇ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହେବା ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ଏହି ମ୍ୟାଚ୍କୁ ତୀବ୍ର ବିରୋଧ କରିବାର ପ୍ରଭାବ ଅନେକାଂଶରେ ଏହା ଉପରେ ପଡ଼ିଛି। ଏକାଧିକ ରାଜନୈତିକ ଦଳ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍କୁ ବର୍ଜନ କରିବାକୁ ପ୍ରଶଂସକମାନଙ୍କୁ ଖୋଲା ଆହ୍ବାନ କରିଛନ୍ତି। ସେହିଭଳି ବଡ଼ ସ୍କ୍ରିନ୍ରେ ମ୍ୟାଚ୍ର ସିଧାପ୍ରସାରଣ କଲେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ କିଛି ସଂଗଠନ ଧମକ ଦେବା ପରେ ବିବାଦୀୟ ଓ ବିତର୍କିତ ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ ଲାଗି ଅନୁମତି ଦେଇଥିବାରୁ ଭାରତ ସରକାରଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି।
ବିସିସିଆଇ ମଧ୍ୟ ଅନ୍ଲାଇନ୍ ଟ୍ରୋଲ୍ ଓ କଟାକ୍ଷର ସମ୍ମୁଖୀନ ହେଉଛି। ଏପରିକି ଦୁବାଇରେ ମଧ୍ୟ ପ୍ରଶଂସକମାନେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଥଣ୍ଡା ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ପ୍ରଶଂସକଙ୍କ ଭାବନାକୁ ସମ୍ମାନ ଜଣାଇ ବିସିସିଆଇର ଅଧିକାଂଶ ବରିଷ୍ଠ ଅଧିକାରୀ ବି ମ୍ୟାଚ୍ ଦେଖିବାକୁ ଯାଉନାହାନ୍ତି। ବିସିସିଆଇ ସଂପାଦକ ଦେବଜିତ ସାଇକିଆ, ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ, କୋଷାଧ୍ୟକ୍ଷ ପ୍ରଭତେଜ ଭାଟିଆ, ଯୁଗ୍ମ ସଂପାଦକ ରୋହନ ଦେଶାଇ ମ୍ୟାଚ୍ ଦେଖିବାକୁ ନଯିବାକୁ ସଙ୍କେତ ଦେଇଛନ୍ତି। ଏସୀୟ କ୍ରିକେଟ୍ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ଥିବାରୁ ବିସିସିଆଇର କାମଚଳା ସଭାପତି ରାଜୀବ ଶୁକ୍ଳା ଉପସ୍ଥିତ ରହିପାରନ୍ତି। ଅନ୍ୟପକ୍ଷରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ସଂପ୍ରତି ଆମେରିକାରେ ଥିବାରୁ ଏହି ମ୍ୟାଚ୍ ଦେଖିବାକୁ ଆସିବାର ସମ୍ଭାବନା ଆଦୌ ନାହିଁ। ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଭଳି ତାରକା ଖେଳାଳିଙ୍କ ଅନୁପସ୍ଥିତି ମଧ୍ୟ ମ୍ୟାଚ୍ର ଚମକକୁ ବହୁମାତ୍ରାରେ କମାଇ ଦେଇଛି। ଏସବୁରୁ ଦୂରେଇ ରହି ଭାରତୀୟ ଦଳ କିନ୍ତୁ ପାକିସ୍ତାନକୁ ପୁଣି ଥରେ କ୍ରିକେଟ୍ ମଇଦାନରେ ଚିତ୍ କରିବାକୁ ପୂରା ପ୍ରସ୍ତୁତ ରହିଛି। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ୟୁଏଇକୁ ମାତ୍ର ୪.୩ ଓଭର ଭିତରେ ହରାଇଛି। ପାକିସ୍ତାନ ମଧ୍ୟ ହଂକଂ ବିପକ୍ଷ ନିଜ ପ୍ରଥମ ମୁକାବିଲାରେ ବଡ଼ ବିଜୟ ପାଇଛି। ଉଭୟ ଦଳ ଅପେକ୍ଷାକୃତ ଦୁର୍ବଳ ଓ ଅନଭିଜ୍ଞ ଦଳକୁ ହରାଇବା ପରେ ରବିବାର ଅସଲ ପରୀକ୍ଷାର ସମ୍ମୁଖୀନ ହେବେ।
ସ୍ପିନ୍ ଲଢ଼େଇ
ୟୁଏଇ ବିପକ୍ଷରେ ଭାରତୀୟ ସ୍ପିନର୍ ଏବଂ ଓମାନ ବିପକ୍ଷରେ ପାକିସ୍ତାନୀ ସ୍ପିନର ନିର୍ଣ୍ଣାୟକ ଭୂମିକା ନେଇଥିଲେ। ରବିବାର ମ୍ୟାଚ୍ରେ ମଧ୍ୟ ଦୁଇ ଦଳର ସ୍ପିନର୍ ପ୍ରମୁଖ ଭୂମିକା ତୁଲାଇବେ ବୋଲି ଆଶା କରାଯାଉଛି। ଭାରତ ପାଇଁ କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ପାକିସ୍ତାନ ପାଇଁ ସୁଫିଆନ ମକିମ, ଅବରାର୍ ଅହମ୍ମଦ, ମହମ୍ମଦ ନୱାଜଙ୍କ ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ ହେବ। ଦ୍ରୁତ ବୋଲିଂ ବାହିନୀରେ ଯଶପ୍ରୀତ୍ ବୁମ୍ରା ଓ ସାହିନ ସାହ ଆଫ୍ରିଦିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ୟାଦବ, ସଞ୍ଜୁ ସାମ୍ସନ୍ଙ୍କ ସହ ହାର୍ଦିକ ପାଣ୍ଡ୍ୟା, ତିଳକ ବର୍ମା ଓ ଶିବମ ଦୁବେଙ୍କୁ ନେଇ ଭାରତୀୟ ବ୍ୟାଟିଂକ୍ରମ ବେଶ ସମୃଦ୍ଧ। ତୁଳନାତ୍ମକ ଭାବେ ପାକିସ୍ତାନ ଶୀର୍ଷକ୍ରମ ମଧ୍ୟ ବେଶ୍ ଅନଭିଜ୍ଞ। ଓମାନ ବିପକ୍ଷରେ ପାକିସ୍ତାନ ଶୀର୍ଷକ୍ରମ ସେତେଟା ପ୍ରଭାବଶାଳୀ ବ୍ୟାଟିଂ କରି ପାରି ନଥିଲା। ସୈମ୍ ଆୟୁବ୍ ଖାତା ଖୋଲି ପାରି ନଥିଲା ବେଳେ ସାହିବ୍ଜାଦା ଫରହାନ ଯେତିକି ସମୟ କ୍ରିଜ୍ରେ ଥିଲେ ସଂଘର୍ଷ କରିଥିଲେ। ଅଧିନାୟକ ସଲ୍ମାନ୍ ଆଗା, ହାସନ ନୱାଜ, ମହମ୍ମଦ ନୱାଜ, ଫହିମ ଅସ୍ରଫ ନିରାଶ କରିଥିଲେ। ୱିକେଟ୍ ରକ୍ଷକ ମହମ୍ମଦ ହାରିସଙ୍କ ୬୬ ରନ୍ ବଳରେ ହିଁ ପାକିସ୍ତାନ ୧୬୦/୭ର ସମ୍ମାନଜନକ ସ୍କୋର୍ କରିଥିଲା। ଏଣୁ ଭାରତୀୟ ବୋଲର୍ ସେମାନଙ୍କ ଦୁର୍ବଳତାରୁ ଫାଇଦା ଉଠାଇବାକୁ ନିଶ୍ଚିତ ଚେଷ୍ଟା କରିବେ।
ପରିସଂଖ୍ୟାନରେ ଭାରତ ଆଗୁଆ
ପରିସଂଖ୍ୟାନ ଦୃଷ୍ଟିରୁ ଭାରତ ଏସିଆ କପ୍ରେ ପାକିସ୍ତାନଠାରୁ ଯଥେଷ୍ଟ ଆଗରେ ରହିଛି। ଟିମ୍ ଇଣ୍ଡିଆ ସର୍ବାଧିକ ୮ଥର ଏସିଆ କପ୍ ଜିତିଛି। ପାକିସ୍ତାନ ମାତ୍ର ଦୁଇ ଥର ଏହି ମହାଦେଶୀୟ ପ୍ରତିଯୋଗିତା ଜିତିଛି। ପୁଣି ଏସିଆ କପ୍ରେ ଦୁଇ ଦଳ ଖେଳିଥିବା ୧୯ ମ୍ୟାଚ୍ରୁ ଭାରତ ୧୦ଟି ଏବଂ ପାକିସ୍ତାନ କେବଳ ୬ଟି ଜିତିଛି। ତିନିଟି ମ୍ୟାଚ୍ର ଫଳାଫଳ ମିଳିନି। ଏସିଆ କପ୍ର ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଭାରତ-ପାକିସ୍ତାନ ତୃତୀୟ ଥର ଲାଗି ଭେଟାଭେଟି ହେବେ। ପୂର୍ବର ତିନିଟି ମ୍ୟାଚ୍ରୁ ଭାରତ ଦୁଇଟି ଏବଂ ପାକିସ୍ତାନ ଗୋଟିଏ ଜିତିଛି। ତେବେ ଉଲ୍ଲେଖନୀୟ କଥା ହେଉଛି ଦୁଇ ଦଳ ଖେଳିଥିବା ଶେଷ ଏସିଆ କପ୍ ଟ୍ବେଣ୍ଟି-୨୦ରେ ପାକିସ୍ତାନ ୫ ୱିକେଟ୍ରେ ଭାରତକୁ ପରାସ୍ତ କରିଥିଲା।
ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ୍, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍ରା।
ସମ୍ଭାବ୍ୟ ପାକିସ୍ତାନ: ସାହିବଜାଦା ଫର୍ହାନ, ସୈମ ଆୟୁବ, ମହମ୍ମଦ ହାରିସ, ଫଖର ଜମନ, ସଲମାନ ଆଗା (ଅଧିନାୟକ), ହାସନ ନୱାଜ, ଫହିମ ଅସ୍ରଫ, ସାହିନ ସାହା ଆଫ୍ରିଦି, ସୁଫିଆନ ମକିମ, ଅବରାର୍ ଅହମ୍ମଦ।