ପାକିସ୍ତାନକୁ ପୁଣି ହରାଇବାକୁ ଭାରତ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ର ଅଛି: କ୍ଲୁଜନର

ନୂଆଦିଲ୍ଲୀ: ୟୁଏଇରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଆସନ୍ତା ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁଜନର ବିଶ୍ବାସ କରନ୍ତି ଯେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌କୁ ଜିତିବା ଲାଗି ଭାରତ ପାଖରେ ପର୍ଯ୍ୟାପ୍ତ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ରହିଛି। କାରଣ ୨୦୦୭ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବା ପରଠାରୁ ଭାରତ ପାଞ୍ଚଥର ପାକିସ୍ତାନକୁ ଏଥିରେ ଭେଟିଛି। ସବୁଥର ଟିମ୍ ଇଣ୍ଡିଆ ହିଁ ବିଜୟୀ ହୋଇଛି। ଭାରତୀୟ କ୍ରିକେଟ୍ ଦଳ ଆଗାମୀ ମହାଲଢ଼େଇରେ ମଧ୍ୟ ଏହି ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିବ।

ଆଫଗାନିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା କ୍ଲୁଜନର ଏକ ସାକ୍ଷାତକାରରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ଥିବା ଗ୍ରୁପ୍‌କୁ ଏକ କଠିନ ଗ୍ରୁପ୍ ଭାବେ ବର୍ଣ୍ଣନା କରିଛନ୍ତି। ତେବେ ଆଫଗାନିସ୍ତାନ କେବଳ ବିଜୟ ଉପରେ ଲକ୍ଷ୍ୟ ରଖିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭରତୀୟ ଦଳର ମାର୍ଗଦର୍ଶକ ନିଯୁକ୍ତ କରାଯିବା ଉପରେ ମତ ଦେବାକୁ ଯାଇ ସେ କହିଛନ୍ତି ‘‘ସବୁକିଛି ଖେଳାଳିଙ୍କ ଉପରେ ନିର୍ଭରକରେ। ତେବେ ଧୋନିଙ୍କ ଅଭିଜ୍ଞତାରୁ ଭାରତକୁ ନିଶ୍ଚିତ ଭାବେ ଫାଇଦା ମିଳିବ’’। ବେନ୍ ଷ୍ଟୋକ୍ସଙ୍କୁ ସଂପ୍ରତି ବିଶ୍ବର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବର୍ଣ୍ଣନା କରିଥିବା କ୍ଲୁଜନର ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥି‌ଲେ। ଅନ୍ୟପକ୍ଷରେ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଭାରତପାଇଁ ସର୍ବାଧିକ ମହତ୍ବ ରଖିବ ବୋଲି ମତ ପ୍ରକାଶ କରିଥିଲେ। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସେ କହିଥିଲେ ଯେ ପାକିସ୍ତାନ ପାଖରେ ଏଥର ବହୁତ ଭଲ ବ୍ୟାଟର ଅଛନ୍ତି। ଭାରତ ପାଖରେ ଅବଶ୍ୟ ସେମାନଙ୍କୁ ନିଷ୍ପ୍ରଭ କରିବା ଲାଗି ଶକ୍ତି ଓ ସାମର୍ଥ୍ୟ ରହିଛି। ଭାରତ ପାଇଁ ଏକ ଖରାପ ଦିନ ଥିଲେ ପାକିସ୍ତାନ କିନ୍ତୁ ଏହାର ପୂରା ଫାଇଦା ଉଠାଇବ। ସେମାନେ ସହଜରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିପାରିବେ। ପାକିସ୍ତାନ କ୍ରିକେଟ୍ ଦଳର ଅସ୍ଥିର ସ୍ବଭାବ ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ସେଥିପାଇଁ ଏହି ମ୍ୟାଚ୍‌ର କିଏ ବିଜେତା ହେବ ତହା ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର। ଏବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ କଠିନତମ ବୋଲି ମତ ଦେଇଛନ୍ତି କ୍ଲୁଜନର। ୧୯୯୯ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌କୁ ନିଜ ଜୀବନର ସ୍ମରଣୀୟ କ୍ରିକେଟ୍ ମୁହୂର୍ତ ଭାବେ ବିବେଚିତ କରିଥିଲେ ସେ। ଋଷଭ ପନ୍ତଙ୍କୁ ଦିନେ ସେ ଭାରତୀୟ ଦଳର ଅଧିନାୟକ ଭାବେ ଦେଖିବାକୁ ଚାହିବେ ବୋଲି କହି ନିଜ ବକ୍ତବ୍ୟ ଶେଷ କରିଥିଲେ ବିଗତ ଦିନର ଏହି ବିସ୍ଫୋରକ ଅଲରାଉଣ୍ଡର।

ସମ୍ବନ୍ଧିତ ଖବର