ଆବୁଧାବି: ଏସିଆ କପ୍ ଆରମ୍ଭ ପୂର୍ବରୁ ଭାରତ ଓ ପାକିସ୍ତାନ ଏହି ମହାଦେଶୀୟ ପ୍ରତିଯୋଗିତାରେ ତିନି ଥର ମୁକାବିଲା କରିପାରନ୍ତି ବୋଲି ପୂର୍ବାନୁମାନ କରାଯାଇଥିଲା। ବିଗତ ଦୁଇ ରବିବାର ଏହି ପଡ଼ୋଶୀ ପ୍ରତିଦ୍ବନ୍ଦ୍ବୀ ଖେଳି ସାରିଛନ୍ତି। ତୃତୀୟ ମୁକାବିଲାଟି ଆସନ୍ତା ରବିବାରର ଫାଇନାଲ୍‌ରେ ହେବ କି ନାହିଁ ତାହା ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ସୁପର୍‌-୪ ପର୍ଯ୍ୟାୟରେ ଭାରତ ପ୍ରଥମ ପାହାଚ ଅତିକ୍ରମ କରିସାରିଥିବାରୁ ସମ୍ଭାବନା ବଢ଼ାଇଛି। ତେବେ ପାକିସ୍ତାନ ଆଶା ଓ ଆଶଙ୍କା ଭିତରେ ରହିଛି। 

Advertisment

ଭାରତଠାରୁ ହାରିବା ପରେ ଦଳ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ‘କର ବା ମର’ ସ୍ଥିତିରେ ପଡ଼ିଛି। ଏହି ପାହାଚ ଅତିକ୍ରମ କଲେ ବି ପାକିସ୍ତାନକୁ ପୁଣି ଗୁରୁବାର ବାଂଲାଦେଶକୁ ହରାଇବାକୁ ପଡ଼ିବ। ଉଭୟରୁ ଗୋଟିଏ ପରାଜୟ ବି ପାକିସ୍ତାନକୁ ଘରବାହୁଡ଼ା କରିପାରେ। ଭାରତ ବୁଧବାର ନିଜ ପରବର୍ତ୍ତୀ ମ୍ୟାଚ୍‌ ବାଂଲାଦେଶ ସହ ଖେଳିବ। ଏହାକୁ ଜିତିଲେ ଫାଇନାଲ୍‌ ଟିକେଟ୍‌କୁ ନିଶ୍ଚିତ କରିନେବ ଏବଂ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ସୂର୍ଯ୍ୟଙ୍କ ଦଳ ପାଇଁ ଗୁରୁତ୍ବ ରଖିବ ନାହିଁ।