ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ବକପ୍ର ତ୍ରୟୋଦଶ ସଂସ୍କରଣ। ଏହାର ଖେଳସୂଚୀ ପ୍ରକାଶ ପାଇନଥିଲେ ମଧ୍ୟ ସବୁଠାରୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ ବୋଲି ସୂଚନା ମିଳିଛି। ଭାରତ ଗସ୍ତ ନେଇ ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିବାବେଳେ ଏକ ଇଂରାଜୀ ଦୈନିକ ଖବର କାଗଜ ଏଭଳି ରିପୋର୍ଟ ପ୍ରକାଶ କରିଛି। ଏହା ସତ୍ୟ ପ୍ରମାଣିତ ହେଲେ ୭ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ମାଟିରେ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଭାରତ ମାଟିରେ ଦୁଇ ପାରମ୍ପାରିକ ପ୍ରତିଦ୍ବଦ୍ବୀ ଦେଶ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପରସ୍ପର ସହ ଲଢ଼ିଥିଲେ। ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ପାଇଁ ଦର୍ଶକଙ୍କ ଭିଡ଼ ରହୁଥିବାରୁ ଅହମଦାବାଦର ୧ ଲକ୍ଷ କ୍ଷମତା ବିଶିଷ୍ଟ ଷ୍ଟାଡ଼ିୟମକୁ ଏହି ମ୍ୟାଚ୍ ଆୟୋଜନ ଅଧିକାର ପ୍ରଦାନ କରିବାକୁ ବିସିସିଆଇ ଯୋଜନା କରିଛି। ବିଦେଶରୁ ମଧ୍ୟ ବହୁ ପ୍ରଶଂସକ ଏହି ମ୍ୟାଚ୍ ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ବିଶ୍ବର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ମାନ୍ୟତା ପାଇଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ ନିଜର ୨ଟି ଲିଗ୍ ମ୍ୟାଚ୍ ଖେଳିବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାର ଅଧିକାଂଶ ମ୍ୟାଚ୍କୁ ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବାକୁ ପସନ୍ଦ କରିଛି। କୋଲକାତାର ଇଡେନ୍ ଗାର୍ଡେନ୍ସ ଅନ୍ୟତମ ଷ୍ଟାଡିୟମ୍ ଭାବେ ବିଚାରାଧୀନ ରହିଛି।
ଆଇପିଏଲ୍ ଶେଷ ହେବା ମାତ୍ରେ ବିସିସିଆଇ ବିଶ୍ବକପ୍-୨୦୨୩ ପାଇଁ ଏକ ଗ୍ରାଣ୍ଡ୍ ଉତ୍ସବ ଆୟୋଜନ କରିବା ସହ ଖେଳସୂଚୀ ଘୋଷଣା କରିବାକୁ ଯାଉଛି। ଅକ୍ଟୋବର ୫ ତାରିଖରୁ ବିଶ୍ବକପ୍ ଆରମ୍ଭ ହେବାକୁ ଆପାତତଃ ସ୍ଥିର ହୋଇଥିବା ବେଳେ ନାଗପୁର, ବେଙ୍ଗାଲୁରୁ, ତ୍ରିଭେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୁଆହାଟୀ, ହାଇଦ୍ରାବାଦ, କୋଲକାତା, ରାଜକୋଟ, ଇନ୍ଦୋର, ବେଙ୍ଗାଲୁରୁ ଏବଂ ଧର୍ମଶାଳା ମ୍ୟାଚ୍ଗୁଡିକର ଆୟୋଜକ ହେବେ। ବିସିସିଆଇ ଭାରତୀୟ ଦଳ ସହ ପରାମର୍ଶ କରି ପସନ୍ଦର ପଡ଼ିଆ ବାଛିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ଗୁଡ଼ିକ ସ୍ପିନ୍ ପ୍ରାଧାନ୍ୟ ପଡ଼ିଆରେ ରଖିବାକୁ ମଧ୍ୟ ଭାରତୀୟ ଖେଳାଳି ପସନ୍ଦ କରିଛନ୍ତି। ଭାରତର ସ୍ଲୋ ପିଚ୍ରେ ଭାରତୀୟ ଖେଳାଳି ବିଗତ କିଛି ବର୍ଷ ହେବ ଭଲ କରିଆସୁଥିବାରୁ ଏହାର ଫାଇଦା ଉଠାଇବାକୁ ନିର୍ଧାରିତ କିଛି ପଡ଼ିଆକୁ ପସନ୍ଦ କରିଛନ୍ତି।