ନୂଆଦିଲ୍ଲୀ: ନ୍ୟୁୟର୍କରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ ଉଠା ପିଚ୍(ଡ୍ରପ୍-ଇନ୍-ପିଚ୍)ରେ ଖେଳାଯିବ। ଏହି ପିଚ୍ ସଂପୂର୍ଣ୍ଣ ଭାବେ ଅସ୍ଥାୟୀ ହୋଇଥିଲା ବେଳେ ବିଶ୍ବକପ୍ ଶେଷ ହେବା ପରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। କେବଳ ପିଚ୍ ନୁହେଁ ଷ୍ଟାଡିୟମ୍ର ଗ୍ୟାଲେରି ମଧ୍ୟ ଅସ୍ଥାୟୀ ରହିବ। ୩୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଅସ୍ଥାୟୀ ଗ୍ୟାଲେରି ପାଇଁ ସମସ୍ତ ଭିତ୍ତିଭୂମି ଲାସ୍ ଭେଗାସ୍ ଗ୍ରାଁ ପ୍ରି ଏଫ୍୧ରୁ ଅଣାଯିବ। ଆଇସିସିର ଇଭେଣ୍ଟ ନିର୍ଦ୍ଦେଶକ ଖ୍ରୀସ୍ ଟିଟ୍ଲିଙ୍କ ସୂଚନା ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ୍ ନସାଉ କାଉଣ୍ଟି ପଡ଼ିଆରେ ଖେଳାଯିବ। ଏହି ପଡ଼ିଆ ମ୍ୟାନହଟନ୍ର ପୂର୍ବ ପଟକୁ ୨୫ କିଲୋମିଟର ଦୂରରେ ଅବସ୍ଥିତ। ମ୍ୟାଚ୍ଗୁଡ଼ିକ ପାଇଁ ଉଠା ପିଚ୍ ବ୍ୟବହାର ହେବ। ସେଗୁଡ଼ିକର ନିର୍ମାଣ ମଧ୍ୟ ଶେଷ ହୋଇଛି। ପିଚ୍ ନିର୍ମାଣ ପାଇଁ ଆଡିଲେଡ୍ ଓଭାଲ୍ର କ୍ୟୁରେଟର୍ ଡାମିଏନ୍ ହଗ୍ଙ୍କ ସହାୟତା ନିଆଯାଇଥିଲା। ପିଚ୍ର ଟ୍ରେ’ଗୁଡ଼ିକୁ ସେ ପ୍ରସ୍ତୁତ କରିଥିଲା ବେଳେ ପିଚ୍ର ପ୍ରସ୍ତୁତି କାର୍ଯ୍ୟ ଫ୍ଲୋରିଡାରେ କରାଯାଉଛି। ସେଠାରେ ମଧ୍ୟ ସେ ସମସ୍ତ କାମ ତଦାରଖ କରୁଛନ୍ତି। ମ୍ୟାଚ୍ ଖେଳାଯିବାକୁ ଥିବା ପିଚ୍ ପାଇଁ ଏକାଧିକ ଟ୍ରେ’ ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକରେ ମ୍ୟାଚ୍ ସହିତ ଅଭ୍ୟାସ ପିଚ୍ ମଧ୍ୟ ରଖାଯାଇଥିବା ଟିଟଲି କହିଛନ୍ତି।
ଉଠା ପିଚ୍ କ’ଣ?
ଉଠା ପିଚ୍ କ୍ରିକେଟ୍ରେ ମାତ୍ର ହାତଗଣତି କେତୋଟି ସ୍ଥାନରେ ବ୍ୟବହାର ହୋଇଥାଏ। ଏହି ଧରଣର ପିଚ୍ ମୁଖ୍ୟତଃ ମୂଳ ଷ୍ଟାଡିୟମ୍ଠୁ ଦୂରରେ ପ୍ରସ୍ତୁତ କରାଯାଇଥାଏ। ମ୍ୟାଚ୍ ଖେଳାଯିବାର କିଛି ଦିନ ଆଗରୁ ସଂପୃକ୍ତ ପଡ଼ିଆରେ ଏହାକୁ ଖଂଜି ଦିଅାଯାଏ ଏବଂ ମ୍ୟାଚ୍ ଶେଷ ହେବା ପରେ ପୁଣି କାଢି ନିଆଯାଇ ଅନ୍ୟତ୍ର ସଂରକ୍ଷିତ କରାଯାଏ। କ୍ରିକେଟ୍ରେ ପ୍ରଥମ ଉଠା ପିଚ୍ ପର୍ଥର ୱାକା ଷ୍ଟାଡିୟମ୍ରେ ବ୍ୟବହୃତ ହୋଇଥିଲା। ଏହି ଧରଣର ପିଚ୍ରେ ଅନେକ ଉପକାରିତା ରହିଛି। ଉଠା ପିଚ୍ ରହିଲେ, ପଡ଼ିଆରେ ବହୁମୁଖୀ କ୍ରୀଡ଼ା ଆୟୋଜନ କରାଯାଇପାରିବ। କ୍ରୀଡ଼ା ବ୍ୟତୀତ ଅଣକ୍ରୀଡ଼ା କାର୍ଯ୍ୟକ୍ରମରେ ମଧ୍ୟ ପଡ଼ିଆକୁ ବ୍ୟବହାର କରାଯାଇପାରିବ। ଯାହାଫଳରେ ପିଚ୍ର କୌଣସି କ୍ଷତି ହେବନି। ଏହି ପିଚ୍ରେ ମଧ୍ୟ କ୍ୟୁରେଟର ନିଜ ଇଛା ଅନୁସାରେ ସ୍ଥିତି ବଦଳାଇପାରିବେ। ନିୟମିତ ପିଚ୍ରେ ଯାହା ହୋଇପାରି ନଥାଏ, ତାହା ଉଠା ପିଚ୍ରେ ସମ୍ଭବ ହୋଇଥାଏ। କ୍ୟୁରେଟର ଚାହିଲେ ବୋଲର୍ କିମ୍ବା ବ୍ୟାଟର୍ଙ୍କୁ ସହାୟତା ଦେଇପାରୁଥିବା ଭଳି ପିଚ୍ ଖୁବ୍ କମ୍ ସମୟରେ ପ୍ରସ୍ତୁତ କରିପାରିବେ।