ବେଙ୍ଗାଲୁରୁ: ଦକ୍ଷିଣ ଏସୀୟ ଫୁଟ୍‌ବଲ୍‌ ମହାସଂଘ (ସାଫ୍‌) ଚାମ୍ପିଅନ୍‌ସିପ୍‌ ବୁଧବାରଠୁ ବେଙ୍ଗାଲୁରୁସ୍ଥିତ କାନ୍ତୀରଭା ଷ୍ଟାଡିୟମରେ ଆରମ୍ଭ ହେବ। ୮ ଦଳୀୟ ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଗ୍ରୁପ୍‌-ଏ’ର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ନେପାଳ ଓ କୁଏତ ଅପରାହ୍ଣ ୩.୩୦ରେ ମୁହାଁମୁହିଁ ହେବେ। ଏହାପରେ ରାତି ୭.୩୦ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଆୟୋଜକ ଭାରତ।

Advertisment

ଓଡ଼ିଶାରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ରବିବାର ଫାଇନାଲ୍‌ରେ ‌ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଲେବାନନ୍‌କୁ ୨-୦ରେ ହରାଇ ଟ୍ରଫି ଜିତିଥିବାରୁ ଭାରତର ମନୋବଳ ଦୃଢ଼ ରହିଛି। ତେଣୁ ଏହି ଦଳ ଆଉ ଏକ ଟ୍ରଫି ନିଜ ଘରୋଇ ମାଟିରେ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଭାରତର ତାରକା ‌ଷ୍ଟ୍ରାଇକର୍‌ ତଥା ଅଧିନାୟକ ସୁନିଲ ଛେତ୍ରୀ ପୂରା ଫର୍ମରେ ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ସେ ଦୁଇଟି ଗୋଲ୍‌ ଦେବାରେ ସଫଳ ହୋଇଥିଲେ। ସଂପ୍ରତି ତାଙ୍କ ଗୋଲ୍‌ ସଂଖ୍ୟା ୮୭ରେ ପହଞ୍ଚିଛି। ସେ ଆଉ ୨ ଗୋଲ୍‌ କଲେ ଏସୀୟ ଫୁଟ୍‌ବଲ୍‌ର ସର୍ବାଧିକ ଗୋଲ୍‌ ସ୍କୋରର୍‌ ମାଲେସିଆର ମୋଖତାର ଦାହରି (୮୯ ଗୋଲ୍‌)ଙ୍କ ସମକକ୍ଷ ହେବେ। ଛେତ୍ରୀ ନିଜର ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବା ସହ ଗତ ଥରର ବିଜେତା ଭାରତକୁ ନବମ ଥର ବିଜେତା କରିବାକୁ ଚାହିବେ। ଭାରତ ପୂର୍ବରୁ ଏହି ପ୍ରତିଯୋଗିତାରେ ୮ (୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫, ୨୦୨୧) ଥର ବିଜେତା ହୋଇଛି। ଭାରତ ବାଦ୍‌ ମାଳଦ୍ବୀପ (୨୦୦୮, ୨୦୧୮) ଦୁଇ ଥର ଏବଂ ବାଂଲାଦେଶ (୨୦୦୩) ଥରେ ବିଜେତା ହୋଇଛି। ଯଦି ଭାରତ ସାଫ୍‌ ପ୍ରତିଯୋଗିତା ଜିତେ ତେବେ ଏହାର ଫିଫା ମାନ୍ୟତାର ଉନ୍ନତି ହେବାର ସମ୍ଭାବନା ରହିଛି। ଏଥିସହ ଏଏଫ୍‌ସି ଏସୀୟ କପ୍‌ ପୂର୍ବରୁ ନିଜର ମନୋବଳକୁ ଦୃଢ଼ କରିନେବ।

ଅନ୍ୟପକ୍ଷରେ ପାକିସ୍ତାନ (୧୯୫) ମାନ୍ୟତାରେ ଭାରତ (୧୦୧)ଠୁ ବହୁ ତଳେ ରହିଛି। ଏହି ଦଳ ୧୨ ଥର ଏହି ପ୍ରତିଯୋଗିତାରେ ଖେଳିଥିଲେ ମଧ୍ୟ କେବେ ହେଲେ ବିଜେତା ହୋଇପାରିନି। ୧୯୯୭ରେ ତୃତୀୟ ସ୍ଥାନରେ ରହି ପାକିସ୍ତାନ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି। ‘‘ପ୍ରଶିକ୍ଷକ ଭାବେ ମୋର ଇଚ୍ଛା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରୁ। ମୁଁ ବହୁତ ଖୁସି କାରଣ ଆମ କାର୍ଯ୍ୟ ଜାରି ରଖି ସଫଳ ହେଉଛୁ। ଆହୁରି ଭଲ କରିବୁ, ଆଗକୁ ବଢ଼ିବୁ। ଫିଫା ମାନ୍ୟତାଙ୍କୁ ଭୁଲିଯାଇଛୁ। ଆମ ଗ୍ରୁପ୍‌ ଏବଂ ଏହି ପ୍ରତିଯୋଗିତା ସ୍ବତନ୍ତ୍ର। ଗ୍ରୁପ୍‌ ପର୍ଯ୍ୟାୟରେ ସମସ୍ତ ୪ ଦଳ ନିକଟରେ କ୍ଷମତା ରହିଛି ଏବଂ ଅଲଗା ଅଲଗା ଫୁଟ୍‌ବଲ୍‌ ଖେଳନ୍ତି। ଆମେ ଏହାକୁ ଗମ୍ଭୀରତା ସହ ନେଇ ଖେଳିବୁ। ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଜିତିଥିବାରୁ ଖୁସି ଅଛୁ। ଏହା ଆମକୁ ଆଗକୁ ବଢ଼ିବାରେ ସହଯୋଗ କରିବ’’ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ କହଛନ୍ତି।

ଭାରତୀୟ ଦଳ: ଗୁରପ୍ରୀତ ସିଂହ ସାନ୍ଧୁ, ଅମ୍ରିନ୍ଦର ସିଂହ, ଫୁର୍ବା ଲାଚେନ୍‌ପା ଟେମ୍ପା (‌ଗୋଲି), ସୁଭାଶିଷ ବୋଷ, ପ୍ରୀତମ କୋଟାଲ, ସନ୍ଦେଶ ଝିଙ୍ଗାନ, ଅନୱାର ଅଲୀ, ଅକାଶ ମିଶ୍ରା, ମେହତାବ ସିଂହ, ରାହୁଲ ଭେକେ (ରକ୍ଷଣଭାଗ), ଲିଷ୍ଟନ କୋଲାକୋ, ଆଶିକ କୁରୁନିୟାନ୍‌, ସୁରେଶ ସିଂହ ୱାଙ୍ଗଜାମ, ରୋହିତ କୁମାର, ଉଡ଼ାନ୍ତ ସିଂହ, ଅନିରୁଦ୍ଧ ଥାପ୍ପା, ନାଓରେମ ମହେଶ ସିଂହ, ନିଖିଲ ପୂଜାରୀ, ଜିକସନ ସିଂହ, ସାହାଲ ଅବଦୁଲ ସାମଦ, ଲାଲେଙ୍ଗମାୱିଆ ରାଲ୍‌ଟେ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ରୋଲିନ ବୋର୍ଗେସ, ନନ୍ଦା କୁମାର ‌ଶେକର (ମଧ୍ୟଭାଗ), ସୁନିଲ ଛେତ୍ରୀ, ରହିମ ଅଲୀ, ଈଶାନ ପଣ୍ଡିତ (ପୂରୋଭାଗ)।

ଉଜବେକିସ୍ତାନଠୁ ହାରିଲା ଭାରତ
ପାଥୁମ ଥାନି (ଥାଇଲାଣ୍ଡ): ଏଠାରେ ଚାଲିଥିବା ଏଏଫ୍‌ସି ୧୭ ବର୍ଷରୁ କମ୍‌ ବାଳକ ଏସୀୟ କପ୍‌ରେ ଅମୀମାଂସିତରୁ ଅଭିଯାନ ଆରମ୍ଭ କରିଥିବା ଭାରତ ମଙ୍ଗଳବାର ୦-୧ ଗୋଲ୍‌ରେ ଉଜବେକିସ୍ତାନଠୁ ପରାସ୍ତ ହୋଇଛି। ମଙ୍ଗଳବାର କଡ଼ାସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ପ୍ରଥମ ୮୦ ମିନିଟ୍‌ ଉଜ୍‌ବେକିସ୍ତାନକୁ ବାଟ ଛାଡ଼ିନଥିଲା। ହେଲେ ୮୧ତମ ମିନିଟ୍‌ରେ ରେଇମୋଭ ଗୋଲ୍‌ ଦେଇ ଉଜ୍‌ବେକିସ୍ତାନକୁ ଆଗୁଆ କରିଥ‌ିଲେ। ଏହାପରେ ଭାରତ ଗୋଲ୍‌ ଶୁଝିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନ ହୋଇ ପରାଜୟ ବରଣ କରିଥିଲା। ଭାରତ ୨୩ ତାରିଖରେ ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଜାପାନକୁ ଭେଟିବ।