ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ୫୮ ରନ୍ର ଅପ୍ରତ୍ୟାଶିତ ପରାଜୟ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକସ୍ତାନକୁ ଭେଟିବ। ଅନ୍ୟତମ ଟ୍ରଫି ଦାବିଦାର ଭାବେ ଏହି ପ୍ରତିଯୋଗିତାକୁ ଯାଇଥିବା ହର୍ମନପ୍ରୀତ କୌରଙ୍କ ଦଳକୁ ନିଜ ଅଭିଯାନ ଟ୍ରାକ୍ରେ ରଖିବା ଲାଗି ପାକିସ୍ତାନକୁ ହରାଇବା ଏକାନ୍ତ ଅପରିହାର୍ଯ୍ୟ ହୋଇଛି। ତେବେ ପାକିସ୍ତାନ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ଶ୍ରୀଲଙ୍କାକୁ ୩୧ ରନ୍ରେ ହରାଇ ତାର ଅଭିଯାନ ଆତ୍ମବିଶ୍ବାସର ସହ ଆରମ୍ଭ କରିଥିବାରୁ ଭାରତ ପାଇଁ ଆସନ୍ତାକାଲିର ମ୍ୟାଚ୍ ସେତେଟା ସହଜ ହେବନି ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଏଣୁ ଅପରାହ୍ଣ ୩ଟା ୩୦ରୁ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ସଦୃଶ ହୋଇଛି। ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଭାରତ ଗ୍ରୁପ୍-‘ଏ’ର ଚତୁର୍ଥ ସ୍ଥାନରେ ଥିଲା ବେଳେ ରନ୍ ରେଟ୍ -୨.୯୦ରେ ପହଞ୍ଚିଯାଇଛି।
ସେଥିପାଇଁ ପରବର୍ତ୍ତୀ ରାଉଣ୍ଡକୁ ଯିବା ଲାଗି ଭାରତକୁ ତାର ପରବର୍ତ୍ତୀ ଦୁଇ ମ୍ୟାଚ୍ କେବଳ ଜିତିବାକୁ ପଡ଼ିବନି ବରଂ ବଡ଼ ବ୍ୟବଧାନରେ ଜିତିବାକୁ ହେବ। କାରଣ ଭାରତୀୟ ଦଳ ତାର ପରବର୍ତ୍ତୀ ଦୁଇ ମ୍ୟାଚରେ ଶ୍ରୀଲଙ୍କା ସହ ଗତଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଭାରତ ପାଇଁ ସହଜ ହେବ ବୋଲି ଅନୁମାନ କରାଯାଉଥିଲା ବେଳେ ଅଷ୍ଟ୍ରେଲିଆକୁ ହରାଇବା କିନ୍ତୁ କାଠିକର ପାଠ ହେବ। ଏଣୁ ଭାରତୀୟ ଦଳ ଆସନ୍ତା ତିନିଟି ଯାକ ମ୍ୟାଚ୍ରେ କଠିନ ପରୀକ୍ଷାର ସମ୍ମୁଖୀନ ହେବ। ରବିବାର ମ୍ୟାଚ୍ କଥା ବିଚାରକୁ ନେଲେ ଭାରତ-ପାକିସ୍ତାନର ଗତ ୫ ଲଢ଼େଇରେ ଭାରତ ୪ଟି ମ୍ୟାଚ୍ ଜିତିଛି। ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଭାରତ ଜୟ-ପରାଜୟ ରେକର୍ଡ ୫-୨ ଥିଲାବେଳେ ମୋଟ ଉପରେ ୧୨-୩ରେ ରହିଛି। ପରିସଂଖ୍ୟାନ ଦୃଷ୍ଟିରୁ ଭାରତ ଢେର ଆଗରେ ଥିଲେ ମଧ୍ୟ ଶ୍ରୀଲଙ୍କାକୁ ହରାଇବା ପରେ ପାକିସ୍ତାନ ଦ୍ବିତୀୟ ବିପର୍ଯ୍ୟୟ ଲକ୍ଷ୍ୟରେ ଥିବା କହି ହର୍ମନପ୍ରୀତଙ୍କ ଦଳକୁ ସ୍ପଷ୍ଟ ଚେତାବନୀ ଦେଇଛି।
ସମ୍ଭାବ୍ୟ ଭାରତୀୟ ଦଳ: ହର୍ମନପ୍ରୀତ ସିଂହ (ଅଧିନାୟିକା), ସ୍ମୃତି ମନ୍ଧାନା,ଶେଫାଳି ବର୍ମା, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରିଚା ଘୋଷ, ଅରୁନ୍ଧତୀ ରେଡ୍ଡୀ, ପୂଜା ବସ୍ତ୍ରକାର, ଶ୍ରେୟଙ୍କା ପାଟିଲ, ଆଶା ଶୋଭନା, ରେଣୁକା ସିଂହ।
ସମ୍ଭାବ୍ୟ ପାକିସ୍ତାନ ଦଳ: ମୁନୀବା ଅଲ୍ଲୀ, ଗୁଲ୍ ଫିରୋଜା, ସିଦ୍ରା ଅମିନ, ଓମାଇମା ସୋହେଲ, ନିଦା ଡର୍, ତୁବା ହୁସେନ, ଫତିମା ସାନା (ଅଧିନାୟିକା), ଆଲିୟା ରିଆଜ, ଡାଏନା ବେଗ୍, ନସ୍ରା ସାନ୍ଧୁ, ସାଦିଆ ଇକବାଲ୍।
ଅଷ୍ଟ୍ରେଲିଆ, ଇଂଲଣ୍ଡ ଜିତିଲେ
ଶନିବାରର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଗତଥର ବିଜେତା ଅଷ୍ଟ୍ରେଲିଆ ଏକତରଫା ଭାବେ ୬ ୱିକେଟ୍ରେ ପରାସ୍ତ କରିଛି। ଶ୍ରୀଲଙ୍କାର ୩ଜଣ ବ୍ୟାଟର୍ଙ୍କୁ ଆଉଟ୍ କରିଥିବା ମେଗାନ ସ୍କଟ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ୨୧ ରନ୍ରେ ବାଂଲାଦେଶକୁ ହରାଇଛି।