ଭୁବନେଶ୍ବର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ, କୁଟନୈତିକ ଓ କ୍ରୀଡ଼ା ସମ୍ପର୍କ ଯେତେ ତିକ୍ତ ହେଉ ପଛେ ଖେଳାଳିଙ୍କ ପାଇଁ ଏସବୁର କିଛି ମାନେ ନାହିଁ। ଖେଳ ପଡ଼ିଆ ଭିତରେ ଏବଂ ବାହାରେ ସେମାନେ ସବୁକିଛିକୁ ଖେଳୁଆଡ ମନୋଭାବରେ ଗ୍ରହଣ କରି ନେଇଥାନ୍ତି। ସେଭଳି ଆଚରଣରେ ବି ବିଶ୍ବାସ ରଖିଛନ୍ତି ପାକିସ୍ତାନ ବିଶ୍ବକପ୍ ଦଳର ପ୍ରଶିକ୍ଷକ ରେହାନ୍ ବଟ୍ଟ। ଓଡ଼ିଶା ବିଶ୍ବକପ୍‌ରେ ଦଳର ସମ୍ଭାବନା ଏବଂ ଭୁବନେଶ୍ବର ଗସ୍ତର ଅନୁଭବକୁ 'ସମ୍ବାଦ' ସହିତ ବାଣ୍ଟିବା ବେଳେ ରେହାନ୍ କହିଥିଲେ ଅନେକ କଥା।

Advertisment

ଭୁବନେଶ୍ବର ଆମ ପାଇଁ ଅଭୁଲା ରହିବ। ୨୦୧୪ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଏଠାରେ ରୌପ୍ୟ ପଦକ ଜିତିଥିଲା। 'ଓଡ଼ିଶା ହକି ବିଶ୍ବକପ୍‌' ମଧ୍ୟ ଆମକୁ ଅବିସ୍ମରଣୀୟ ଅନୁଭବ ପ୍ରଦାନ କରୁଛି। ୪ ବର୍ଷ ତଳର ଘଟଣା (ଚାମ୍ପିଅନ୍ସ ଟ୍ରଫିରେ କଳିଙ୍ଗ ପ୍ରଶଂସକଙ୍କୁ ପାକିସ୍ତାନ ଖେଳାଳିଙ୍କ ଦୁର୍ବ୍ୟବହାର)କୁ ଓଡ଼ିଶା ହକି ପ୍ରେମୀ ଭୁଲି ଯାଇଛନ୍ତି। ତାହା ଏକ ଭୁଲ ବୁଝାମଣା ଥିଲା, ଏବେ ଅତୀତ ହୋଇଯାଇଛି। ମୁଁ ଯେତେଥର ଭାରତ ଆସିଛି, ଭଲ ଲାଗିଥାଏ। ଘର ଭଳି ଲାଗିଥାଏ। ଏହା ମୋତେ ଦୁଇଟି ନାମରେ ଥିବା ଗୋଟିଏ ଦେଶ ଭଳି ଅନୁଭବ ଦିଏ। ଏଥର ଓଡ଼ିଶାରେ ଖାଦ୍ୟ, ପାନୀୟ, ଆତିଥେୟତା, ଅଭ୍ୟର୍ଥନା ଏବଂ ସମର୍ଥନରେ କିଛି ବି ଉଣା ହୋଇନାହିଁ। ଏଠାରୁ ମିଳିଥିବା ଭଲପାଇବାକୁ ଆମେ ଭଲ ପାଇବାରେ ପରିଶୋଧ କରିବୁ। ମୁଁ ଏସବୁରେ ଅଭିଭୂତ ବୋଲି ପ୍ରକାଶ କରିଛନ୍ତି ୩୮ ବର୍ଷୀୟ ଏହି ପୂର୍ବତନ ମିଡ୍‌ଫିଲଡର୍‌। ଦେଶ ପାଇଁ ୩ ଅଲିମ୍ପିକ୍ସ (୨୦୦୪, ୨୦୦୮, ୨୦୧୨)ରେ ପ୍ରତିନିଧିତ୍ବ ଏବଂ ୩ ଚାମ୍ପିଅନ୍ସ ଟ୍ରଫି କାଂସ୍ୟ ବିଜୟର ଅଂଶୀଦାର (୨୦୦୨, ୨୦୦୩, ୨୦୦୪) ଥିଲେ। ଏସୀୟ କ୍ରୀଡ଼ା (୨୦୧୦ ସ୍ବର୍ଣ୍ଣ, ୨୦୦୬ କାଂସ୍ୟ) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ (୨୦୦୬)ରୁ ମଧ୍ୟ ହାତେଇଥିଲେ ୩ ପଦକ। ପାକିସ୍ତାନକୁ ଚଳିତ ବିଶ୍ବକପ୍‌ରେ ପ୍ରଥମେ କ୍ବାର୍ଟର ଫାଇନାଲ୍‌ ପହଞ୍ଚାଇବା ଲକ୍ଷ୍ୟରେ ରହିଛୁ ବୋଲି ମଧ୍ୟ ଆତ୍ମବିଶ୍ବାସର ସହ କହିଥିଲେ।

ପାକିସ୍ତାନ ଭରସାରେ ଦୁଇ ଭାଇ
ପାକିସ୍ତାନ ଦଳରେ ଅଛନ୍ତି ଦୁଇ ଭାଇ। ଉଭୟଙ୍କ ଉପରେ ରହିଛି ପାକିସ୍ତାନର ଭାର ଓ ଭରସା। ସେମାନେ ଆଉ କେହି ନୁହନ୍ତି ପ୍ରଶିକ୍ଷକ ଦାୟିତ୍ବରେ ଥିବା ରେହାନ ବଟ୍ଟ ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ସାନ ଭାଇ ଇମ୍ରାନ ବଟ୍ଟ। କ୍ରିକେଟ୍‌ରୁ ହକିକୁ ଆସିଥିବା ୩୦ ବର୍ଷୀୟ ଇମ୍ରାନ ଦେଶ ପାଇଁ ୧୪୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି ଏବଂ ଦଳର ପ୍ରଥମ ପସନ୍ଦର ଗୋଲ୍‌ରକ୍ଷକ। ମୋ ପ୍ରେରଣାରେ ସେ ଖେଳିଥିଲା ଏବଂ ଦେଶର ଏକ ନମ୍ବର ଗୋଲ୍‌ରକ୍ଷକ ହୋଇଥିବାରୁ ମୁଁ ଖୁସୀ ବୋଲି ମଧ୍ୟ 'ସମ୍ବାଦ'କୁ କହିଛନ୍ତି ରେହାନ। ପାକିସ୍ତାନ ଦଳରେ ଯେ ଏହି ଏକମାତ୍ର ଭାଇ ରହିଛନ୍ତି ତା ନୁହେଁ। ୨୬ ବର୍ଷୀୟ ମିଡ୍‌ଫିଲଡର୍ ଅର୍ସଦ ତୌସିଦ ଏବଂ ୨୧ ବର୍ଷୀୟ ଫରୱାର୍ଡ ଆତିକ ମହମ୍ମଦ ମଧ୍ୟ ଦୁଇ ଭାଇ। ତୌସିକ ୧୧୬ ଏବଂ ଆତିକ ୩୬ ମ୍ୟାଚ୍ ଖେଳି ସାରିଛନ୍ତି ପାକିସ୍ତାନ ପାଇଁ।