କରାଚୀ: ଭାରତୀୟ କ୍ରିକେଟ୍‌ ଦଳର ୧୯୭୮-୭୯ ମସିହା ପାକିସ୍ତାନ ଗସ୍ତକୁ ମନେ ପକାଇଛନ୍ତି ମହାନ ବ୍ୟାଟ୍ସମ୍ୟାନ୍‌ ଜାଭେଦ୍ ମିଆଁଦାଦ। ସେଥର ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌ମାନେ କିଭଳି ଭାରତର ସ୍ପିନ୍ ତ୍ରିମୂର୍ତ୍ତି ବିଶେନ୍ ସିଂହ ବେଦୀ, ଏରାପଲ୍ଲୀ ପ୍ରସନ୍ନା ଏବଂ ଭଗବତ ଚନ୍ଦ୍ରଶେଖରଙ୍କୁ ଧୂଲେଇ କରିଥିଲେ ସେ ସଂପର୍କରେ ବର୍ଣ୍ଣନା କରିଛନ୍ତି ସେ। ବିଶ୍ବ କ୍ରିକେଟ୍‌ରେ ଏହି ୩ ସ୍ପିନର୍‌ ପ୍ରଭାବ ପକାଇଥିଲେ ମଧ୍ୟ ସେହି ଗସ୍ତରେ ମିଆଁଦାଦ ଓ ଜାହିର୍ ଆବାସ ମିଳିତ ଭାବେ ଏମାନଙ୍କ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଶୃଙ୍ଖଳା ସାରା ଧୂଲେଇ କରି ସେମାନଙ୍କ ଲୟକୁ ଲୁଟି ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେତେବେଳକୁ ମିଆଁଦାଦ ବିଶେଷ ଅଭିଜ୍ଞ ନ ଥିଲେ। ମାତ୍ର କିଛି ବର୍ଷ ତଳେ ପଦାର୍ପଣ କରିଥିଲେ। କିନ୍ତୁ ଆବାସଙ୍କ ସହ ମିଶି ଏହି ଶୃଙ୍ଖଳାରେ ଭଲ ବ୍ୟାଟିଂ କରିଥିଲେ। ଫଳରେ ପାକିସ୍ତାନ ୨-୦ରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା।

Advertisment

‘ଚନ୍ଦ୍ରଶେଖର, ବେଦୀ ଓ ପ୍ରସନ୍ନା ଥିଲେ ଭାରତର ଶକ୍ତି ଓ ସାମର୍ଥ୍ୟ। ଏଠାକୁ ଆସିବା ପରେ ଆମେ ସେମାନଙ୍କ ବିପକ୍ଷରେ ମୂଳପୋଛ ବ୍ୟାଟିଂ କରିଥିଲୁ। ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରୁ ହିଁ ଆବାସ ଓ ମୁଁ ଭାରତୀୟ ସ୍ପିନରଙ୍କୁ ଅସହାୟ କରି ଦେଇଥିଲୁ’ ବୋଲି ମିଆଁଦାଦ ପ୍ରକାଶ କରିଛନ୍ତି। ପାକିସ୍ତାନ ପାଇଁ ମିଆଁଦାଦ ୧୨୪ ଟେଷ୍ଟ୍‌ ଖେଳି ୫୨.୫୭ ହାରରେ ୮୮୩୨ ରନ୍ ସଂଗ୍ରହ କରିଥିଲେ। ‘‘ମୋର ମନେ ଅଛି ଜାହିର ଭାଇଙ୍କୁ ଚନ୍ଦ୍ରଶେଖର କିଛିଟା ଅଡୁଆରେ ପକାଉଥିଲେ। ଏପରିକି ସେ ଥରେ ମୋତେ କହିଥିଲେ, ‘ଜାଭେଦ ମୋ ପାଇଁ ତାଙ୍କୁ ମୁକାବିଲା କରିନିଅ’। ଭାଇ ଅନ୍ୟ ଦୁଇ ଜଣଙ୍କ ବିପକ୍ଷରେ ଭଲ ରନ୍‌ କରୁଥିଲେ। ମୁଁ ବି ବେଳେ ବେଳେ ତାଙ୍କୁ କହୁଥିଲି ଭାଇ ମୋତେ କିଛି ରନ୍ କରିବାର ସୁଯୋଗ ଦିଅ। ମୁଁ ଶେଷ ବଲ୍‌ରେ ସିଙ୍ଗଲ୍ ନେବି ନାହିଁ। ତୁମକୁ ବି ସୁଯୋଗ ମିଳିଯିବ। କୌଣସି ବୋଲର ସମସ୍ୟା ସୃଷ୍ଟି କଲେ ଅନ୍ୟ ବ୍ୟାଟସମ୍ୟାନକୁ ମୁକାବିଲା ଲାଗି କହିବା ଏକ ପରମ୍ପରା ଥିଲା। ସେ ସମୟରେ ଖେଳାଳିମାନେ ପରସ୍ପରକୁ ଏଭଳି ସହଯୋଗ କରୁଥିଲେ।’’ ବୋଲି ମିଆଁଦାଦ ପ୍ରକାଶ କରିଛନ୍ତି

ଫୈସଲାବାଦରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଆବାସ (୧୭୬) ଓ ମିଆଁଦାଦ (୧୫୪) ବଡ଼ ଶତକ ହାସଲ ସହିତ ଚତୁର୍ଥ ୱିକେଟ୍ ପାଇଁ ୨୫୫ ରନ୍ ଯୋଡ଼ିଥିଲେ। ପାକିସ୍ତାନର ୫୦୩/୮ ଘୋଷଣା ଜବାବରେ ଭାରତ ୪୬୨/୯ରେ ଘୋଷଣା କରିଥିଲା। ଗୁଣ୍ଡାପ୍ପା ବିଶ୍ବନାଥଙ୍କ ଶତକ ପରେ ସୁନିଲ ଗାଭାସ୍କର ଓ ଦିଲୀପ ଭେଙ୍କସରକାର ଅର୍ଧଶତକ ହାସଲ କରିଥିଲେ। ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଭାରତୀୟ ସ୍ପିନରଙ୍କ ଭାଗ୍ୟ କିନ୍ତୁ ବଦଳିନଥିଲା। ଲାହୋରରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଆବାସ ଦ୍ବିଶତକ (୨୩୫) ଜମାଇଥିଲେ ଏବଂ ପାକିସ୍ତାନ ୮ ୱିକେଟ୍‌ ବ୍ୟବଧାନରେ ଜିତିଥିଲା। କରାଚିରେ ଜାଭେଦ ମିଆଁଦାଦ ଆଉ ଏକ ଶତକ ହାସଲ କରିଥିଲେ। ସୁନିଲ ଗାଭାସ୍କରଙ୍କ ଶତକ ସତ୍ତ୍ବେ ଭାରତ କିନ୍ତୁ ପୁଣି ୮ ୱିକେଟ୍‌ରେ ହାରି ଶୃଙ୍ଖଳାକୁ ୦-୨ରେ ପରାଜୟ ବରଣ କରିଥିଲା। ଭାରତ ପାଇଁ ୫୮ ଟେଷ୍ଟ୍‌ ମ୍ୟାଚ୍‌ରୁ ୨୪୨ ୱିକେଟ୍ ନେଇଥିବା ଚନ୍ଦ୍ରଶେଖରଙ୍କ ଲାଇନ୍ ଓ ‌ଲେନ୍‌ଥକୁ କିନ୍ତୁ ମିଆଁଦାଦ ପ୍ରଶଂସା କରିଥିଲେ। ଫ୍ରଣ୍ଟ ଫୁଟ୍‌ରେ ତାଙ୍କ ବିପକ୍ଷରେ ଖେଳିବା କଷ୍ଟସାଧ୍ୟ ହୋଇଥାଏ। ତାଙ୍କ ବିପକ୍ଷ ବ୍ୟାଟିଂ ବେଳେ ମୁଁ ସବୁବ‌େ‌ଳେ ଏହା ମନରେ ରଖିଥାଏ। କ୍ଷେତ୍ରରକ୍ଷକଙ୍କୁ ଘରୋଇ ଭାରତୀୟ ସ୍ପିନର ବୋଲିଂ କରିବା ବେଳେ ମୁଁ ଆଗକୁ ଦୁଇ ପାଦ ଆସି ଖେଳିଥାଏ। କାରଣ ରନ୍‌ ନ ମିଳିଲେ ମୁଁ ଅସ୍ଥିର ହୋଇପଡେ। କ୍ରିଜ୍‌ରେ ଜମି ରହିବା ନିଶ୍ଚିତ ଭିନ୍ନ କଥା, କିନ୍ତୁ ରନ୍‌ ସଂଗ୍ରହ କରିବା ଆବଶ୍ୟକତା ମଧ୍ୟ ଥାଏ। ଯାହାକି ମୁଖ୍ୟ କାମ’ ବୋଲି ମିଆଁଦାଦ ପ୍ରକାଶ କରିଥିଲେ।