ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ନେଇ କୋହଲିଙ୍କ ଗୁଗ୍‌ଲି: ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବୁ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍‌କୁ ନେଇ ଦେଖାଦେଇଥିବା ଆଶଙ୍କା ଉପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିସିସିଆଇ କହିଥିବା କଥାକୁ ଦୋହରାଇ କୋହଲି ଏହାର ସବୁ ଦାୟିତ୍ବ କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ମାନିବୁ ବୋଲି ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାର ପୂର୍ବଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି। ସେ କହିଛନ୍ତି, ଆମ ମତ ସିଧା ଓ ସରଳ। ଦେଶ ଯାହା କରିବାକୁ ଚାହେଁ, ଆମେ ତାହା କରିବୁ। ବିସିସିଆଇ ଯାହା କହିଛି ଆପାତତଃ ତାହା ହିଁ ଆମ ରାୟ। ସରକାର ଏବଂ ବୋର୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସମ୍ମାନ ଜଣାଇବୁ। କୋହଲି ଏହି ଅବସରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି। ଭାରତୀୟ କ୍ରିକେଟ୍ ଦଳ ଏହି ଘଟଣା ନେଇ ଅତ୍ୟନ୍ତ ମର୍ମାହତ ଓ ସ୍ତବ୍ଧ ବୋଲି ସେ କହିଥିଲେ। ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ କୋହଲିଙ୍କ କଥାକୁ ଦୋହରାଇଥିଲେ। ଏକ ଟେଲିଭିଜନ୍ ଚ୍ୟାନେଲକୁ ସାକ୍ଷାତକାର ‌ଦେଇ ସେ କହିଥିଲେ, ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ। ବିସିସିଆଇ ଓ ସରକାରଙ୍କ ଉପରେ ଆମେ ଏହି କଥା ଛାଡ଼ି ଦେଇଛୁ। ସେମାନେ ଭଲ ଭାବରେ ଜାଣିଛନ୍ତି କଣ ଘଟୁଛି? ସେମାନେ ଏହି ବିଷୟରେ ଶେଷ ନିଷ୍ପତ୍ତି ନେବେ। ସରକାର ନଖେଳିବାକୁ କହିଲେ ଆମେ ତାକୁ ନିଶ୍ଚିତ ଭାବେ ମାନିବୁ।

ଭାରତର ଅଲିମ୍ପିକ୍ସ ଆୟୋଜନ ଉପରେ ଅଙ୍କୁଶ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ଅଂଶଗ୍ରହଣ କରିବାକୁ ଥିବା ଦୁଇ ଜଣ ପାକିସ୍ତାନୀ ପ୍ରତିଯୋଗୀଙ୍କୁ ଭିସା ଦେବାକୁ ଭାରତ ମନା କରିବା ପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଶ୍ବକପ୍‌ର ମୋଟ ୧୬ ଅଲିମ୍ପିକ୍ସ କୋଟା ମଧ୍ୟରୁ ଦୁଇଟିକୁ କାଢ଼ି ନେଇଛି। ତା’ ସହ ଭାରତର ବିଭିନ୍ନ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଉପରେ ଅଙ୍କୁଶ ଲଗାଇଛି। ଭାରତ ସରକାର ଆଇଓସି ନିୟମକୁ ମାନି ସବୁ‌ ଦେଶର ଖେଳାଳିଙ୍କୁ ଭବିଷ୍ୟତରେ ଭିସା ଦେବା ନେଇ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଭାରତ ଆଇଓସି ସ୍ବୀକୃତ କୌଣସି ପ୍ରତିଯୋଗିତା ଆୟୋଜନ କରିପାରିବ ନାହିଁ। ଏପରିକି ଏଥିନେଇ ହେଉଥିବା ଆଲୋଚନାକୁ ମଧ୍ୟ ଆଇଓସି ସ୍ଥଗିତ କରି ଦେଇଛି। ଆଇଓସିର ଏହି ନିଷ୍ପତ୍ତି ପରେ ଭାରତର ୨୦୨୬ ଯୁବ ଅଲିମ୍ପିକ୍ସ ଆୟୋଜନ ବିଡ୍ ସହ ୨୦୩୦ ଏସୀୟ କ୍ରୀଡ଼ା ଓ ୨୦୩୨ ଅଲିମ୍ପିକ୍ସ ଆୟୋଜନ ବିଡ୍ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିନେଇ ଏକପତ୍ର ଆଇଓସି ଭାରତୀୟ ଅଲିମ୍ପିକ୍ସ ସଂଘକୁ ପଠାଇଛି। ଭାରତ ମଧ୍ୟ ୨୦୨୦ ବନ୍ଧୁକ ଚାଳନା ବିଶ୍ବକପ୍ ଆୟୋଜନ ହରାଇବାର ଯଥେଷ୍ଟ ଆଶଙ୍କା ରହିଛି। ଆଇଓସିର ଏହି ନିଷ୍ପତ୍ତି ଫଳରେ ଭାରତରେ ହେବାର ସମ୍ଭାବନା ଥିବା ଅନ୍ୟ କ୍ରୀଡ଼ା ପ୍ରତିଯୋଗିତା ଯଥା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍, ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି।

ଦଳୀୟ ସୁରକ୍ଷାକୁ ପ୍ରାଥମିକତା: ଆଇସିସି
ଦୁବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ରେ ଭାରତୀୟ ଖେଳାଳି, ପ୍ରଶଂସକ ଓ ଅଧିକାରୀଙ୍କ ସୁରକ୍ଷା ନେଇ ବିସିସିଆଇ ଚିନ୍ତା ଜାହିର କରିଥିଲା। ଏଥିନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଆଇସିସିକୁ ଆନୁଷ୍ଠାନିକ ଭାବେ ପତ୍ର ଲେଖିଥିଲେ। ଆଇସିସି ଶନିବାର ଏହି ମାମଲାରେ ମୁହଁ ଖୋଲିଛି। ଖେଳାଳି ଓ ମ୍ୟାଚ୍ ଅଧିକାରୀଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ଦଳ ହେଉ କି ଅନ୍ୟ ଦଳ ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବିସିସିଆଇ ଲେଖିଥିବା ପତ୍ର ପାଇଥିବା ଏହି ଅବସରରେ ସେ ସୂଚନା ଦେଇଥିଲେ। ମାର୍ଚ ୨ ତାରିଖରେ ବସିବାକୁ ଥିବା ଆଇସିସି ବୋର୍ଡ ବୈଠକରେ ବିଶ୍ବକପ୍‌ର ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ। ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ମନୋହର କହିଥିଲେ ଯେ ମାର୍ଚ ୨ ତାରିଖ ବୈଠକରେ ଆମେ ବିସିସିଆଇକୁ ସମସ୍ତ ସୁରକ୍ଷା ଯୋଜନା ଦେଖାଇବୁ। ଆଶା କରୁଛି ସେମାନେ ଏଥିରୁ ସନ୍ତୁଷ୍ଟ ହେବେ। ପ୍ରତ୍ୟେକ ସଦସ୍ୟଙ୍କର ନିଜ ଖେଳାଳି, ପ୍ରଶଂସକ ଓ ଅଧିକାରୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବାର ଅଧିକାର ଅଛି।

ସମ୍ବନ୍ଧିତ ଖବର