ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ କେବଳ ଏସିଆ ମହାଦେଶ ନୁହେଁ ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। ବିଶ୍ବ କ୍ରିକେଟ୍ର ଏହି ଦୁଇ ଲୋକପ୍ରିୟ ଦଳ ବି ରବିବାର ନିଜ ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଅତୀତ ପରିସଂଖ୍ୟାନ ସହ ଦଳର ଅଭିଜ୍ଞତା ଏବଂ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ପାକିସ୍ତାନଠାରୁ ଭାରତ ଢେର ଆଗରେ ରହିବ। ଦୁବାଇରେ ଆଇପିଏଲ୍ ଖେଳି ଭାରତୀୟ ଖେଳାଳିମାନେ ମଧ୍ୟ ନିଜ ନିଜ ଦକ୍ଷତାକୁ ଆହୁରି ଶାଣିତ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ବିଶ୍ବକପ୍ ପୂର୍ବରୁ ଅଭ୍ୟାସ କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇନି। ଅବଶ୍ୟ ଦୁବାଇରେ ଖେଳିବାର ଢେର ଅଭିଜ୍ଞତା ଏବେକାର ପାକିସ୍ତାନ ଦଳ ଓ ଖେଳାଳିଙ୍କର ବି ରହିଛି। ଉଭୟ ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି।
ପାକିସ୍ତାନ ଦଳ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ। ଯାହା ଭାରତର ଚିନ୍ତା ବଢ଼ାଇବ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଏହାର ଜ୍ବଳନ୍ତ ଉଦାହରଣ। ଏହି ମ୍ୟାଚ୍ରେ ଭାରତ ଜିତିବ ବୋଲି ସମସ୍ତେ କହୁଥିଲା ବେଳେ ପାକିସ୍ତାନ ଧମାକାଦାର ବିଜୟ ହାସଲ କରିଥିଲା। ତା’ ଛଡ଼ା ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଘଣ୍ଟାକେ ଘୋଡ଼ା ଛୁଟେ। ଅର୍ଥାତ୍ କିଛି କ୍ଷଣ ଓ କିଛି ବଲ୍ ଭିତରେ ହିଁ ମ୍ୟାଚ୍ର ଗତିପଥ ବଦଳିଯାଇଥାଏ। ତା’ ଛଡ଼ା ଦୁବାଇରେ କାକର ଏକ ସମସ୍ୟା ହୋଇପାରେ। ଏଣୁ ଟସ୍ ମହତ୍ବପୂର୍ଣ୍ଣ ରହିବ। ଭାରତ ପାଇଁ ତା’ର ଶୀର୍ଷ ୩ ରୋହିତ ଶର୍ମା, କେଏଲ୍ ରାହୁଲ ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଢେର ଗୁରୁତ୍ବ ବହନ କରିବ। ସେହିଭଳି ପାକିସ୍ତାନ ପାଇଁ ଫକର ଜମନ ଓ ବାବର ଆଜମ ଟ୍ରମ୍ପ କାର୍ଡ ହେବେ। ଭାରତ ପାଖରେ ବରୁଣ ଚକ୍ରବର୍ତ୍ତୀଙ୍କ ରୂପରେ ଜଣେ ବିସ୍ମୟ ସ୍ପିନର ଅଛନ୍ତି। ତେବେ ତାଙ୍କ ଫିଟନେସ୍ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ରାହୁଲ ମଧ୍ୟ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ବିଶ୍ବକପ୍ ପୂର୍ବରୁ ଖେଳିଥିବା ଦୁଇଟି ଯାକ ଅଭ୍ୟାସ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଚମକହୀନ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିବା ପରେ ଦକ୍ଷିଣ ଆଫ୍ରିକାଠାରୁ ଶେଷ ଓଭରରେ ହାରି ଯାଇଥିଲା।
ବିରାଟ ଓ ବାବରଙ୍କ ଉପରେ ନଜର
ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିଶ୍ବ କ୍ରିକେଟ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ର ମାନ୍ୟତା ମିଳେ। କୋହଲିଙ୍କର ଅନେକ ରେକର୍ଡକୁ ବାବର ଭାଙ୍ଗି ସାରିଛନ୍ତି। ତା’ ଛଡ଼ା ଏହି ଦୁଇ ଜଣ ନିଜ ନିଜ ଦଳର ନେତୃତ୍ବ ନେଉଛନ୍ତି। ସେହିଦୃଷ୍ଟିରୁ ରବିବାର ମୁକାବିଲାରେ କୋହଲି ଓ ବାବରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଗତ କିଛି ମାସ ହେବ କୋହଲିଙ୍କ ବ୍ୟାଟ୍ ଆପାତତଃ ଶାନ୍ତ ରହିଛି। ଅନ୍ୟପକ୍ଷରେ ବାବର ଉଚ୍ଚକୋଟୀର ପ୍ରଦର୍ଶନ କରିଆସୁଛନ୍ତି। ବାବର ସଂପ୍ରତି ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି। ହେଲେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ କୋହଲିଙ୍କ ରେକର୍ଡ ହେଉଛି ଅତୁଳନୀୟ। ମଜାଦାର କଥା ହେଲା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ କୋହଲିଙ୍କୁ ଆଜି ପର୍ଯ୍ୟନ୍ତ ପାକିସ୍ତାନ ବୋଲର ଆଉଟ୍ କରି ପାରିନାହାନ୍ତି। ଫଟାଫଟ୍ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୩ ମ୍ୟାଚ୍ରେ ସେ ଯଥାକ୍ରମେ ୭୮*, ୩୬* ଓ ୫୫* ରନ୍ କରିଛନ୍ତି। ଗତ ଦୁଇ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ କୋହଲି ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ରହିଆସିଛନ୍ତି। ପାକିସ୍ତାନର ଦୁଇ ଉତ୍ସାହୀ ସ୍ପିନ୍ ବୋଲର ଇମଦ ୱାସିମ ଓ ସଦାବ ଖାନ୍ ତାଙ୍କୁ ପରୀକ୍ଷାରେ ପକାଇବେ। ବାବର (୧୩୬୩ ରନ୍, ୧୩୪.୭ ଷ୍ଟ୍ରାଇକ୍ ରେଟ୍) କିନ୍ତୁ ହେଉଛନ୍ତି ଚଳିତବର୍ଷର ଅନ୍ୟତମ ସର୍ବାଧିକ ଟ୍ବେଣ୍ଟି-୨୦ ରନ୍ ସଂଗ୍ରହକାରୀ। ପାକିସ୍ତାନର ଅନ୍ୟତମ ଯୁବ ତାରକା ମହମ୍ମଦ ରିଜୱାନ (୧୪୬୨ ରନ୍, ୧୩୩.୪ ଷ୍ଟ୍ରାଇକ୍ ରେଟ୍) ମଧ୍ୟ ଭଲ ଫର୍ମରେ ରହିଛନ୍ତି।
ଷଷ୍ଠ ସ୍ଥାନରେ ବ୍ୟାଟିଂ କରିପାରନ୍ତି ପାଣ୍ଡ୍ୟା
ପାକିସ୍ତାନ ବିପକ୍ଷ ଏହି ଚର୍ଚ୍ଚିତ ମୁକାବିଲା ପୂର୍ବରୁ ଭାରତ ତାର ରଣନୀତି ଲୁଚାଇ ରଖିଛି। ଅର୍ଥାତ୍ ଚୂଡ଼ାନ୍ତ ଦଳ ଘୋଷଣା କରିନି। ତଥାପି ଅଧିନାୟକ ବିରାଟ କୋହଲି ଦଳଗଠନ ନେଇ କିଛିଟା ସମ୍ୟକ୍ ସୂଚନା ଦେଇଛନ୍ତି। ତଦନୁଯାୟୀ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବେ। ଭାରତ ଆସନ୍ତାକାଲି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ କିମ୍ବା ରାହୁଲ ଚହରଙ୍କ ଭିତରୁ ଜଣକୁ ଖେଳାଇବ। ସେହିଭଳି ଦ୍ରୁତ ବୋଲିଂର ଗୋଟିଏ ସ୍ଥାନ ପାଇଁ ଭୁବନେଶ୍ବର କୁମାର ଓ ଶାର୍ଦୁଳ ଠାକୁର ପ୍ରତିଦ୍ବନ୍ଦ୍ବିତା କରିବେ। ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍ରା ଚୂଡ଼ାନ୍ତ ଦଳରେ ରହିବା ଏକପ୍ରକାର ନିଶ୍ଚିତ। ରୋହିତ ଶର୍ମା ଓ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ। କୋହଲି ନିଜେ ତୃତୀୟ ସ୍ଥାନରେ ଖେଳିବେ। ଏହା ପରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ଖେଳିବେ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ/ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର, ଭୁବନେଶ୍ବର କୁମାର/ଶାର୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମ୍ରା।
୩ ପେସର୍ଙ୍କୁ ଖେଳାଇବ ପାକିସ୍ତାନ
ଭାରତ ବିପକ୍ଷ ପ୍ରତୀକ୍ଷିତ ମୁକାବିଲା ଲାଗି ପାକିସ୍ତାନ ୧୨ ଜଣିଆ ଦଳ ଘୋଷଣା କରିଛି। ସର୍ଫରାଜ ଅହମ୍ମଦ, ମହମ୍ମଦ ୱାସିମ ଓ ମହମ୍ମଦ ନୱାଜ ଦଳରୁ ବାଦ ପଡ଼ିଛନ୍ତି। ଫଳରେ ସାହିନ ସାହ ଆଫ୍ରିଦି, ହାରିସ୍ ରୌଫ ଓ ହାସନ ଅଲ୍ଲୀଙ୍କ ରୂପରେ ତିନି ଜଣ ପେସର ଏବଂ ଇମଦ ୱାସିମ ଓ ସଦାବ ଖାନଙ୍କ ରୂପରେ ଦୁଇ ଜଣ ସ୍ପିନର ପାକିସ୍ତାନ ଖେଳାଇବା ସ୍ପଷ୍ଟ ହୋଇଛି। ପାକିସ୍ତାନ ଶୀର୍ଷକ୍ରମ ପ୍ରାୟତଃ ଅଭ୍ୟାସ ମ୍ୟାଚ୍ ଭଳି ରହିବ। ଭାରତୀୟ ବୋଲରଙ୍କୁ ବାବର ଆଜମ ଓ ଫକର ଜମନଙ୍କୁ ସଅଳ ପ୍ୟାଭିଲିୟନ ଫେରାଇବାକୁ ହେବ।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ଉପଅଧିନାୟକ), ଫକର ଜମନ, ମହମ୍ମଦ ହାଫିଜ, ସୋଏବ ମଲ୍ଲିକ, ଆସିଫ ଅଲୀ, ଇମଦ ୱାସିମ, ସଦାବ ଖାନ୍, ହାସନ ଅଲ୍ଲୀ, ହାରିସ୍ ରୌଫ, ସାହିନ ସାହ ଆଫ୍ରିଦି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/gdjgdjgdjgdjjjjjjjjjjjjjjjjjjjjjjjjjjjjjjjj.jpg)