ଦ୍ରୁତ ବୋଲିଂ ପାଇଁ ଭାରତ ଶକ୍ତିଶାଳୀ: ଈଶାନ୍ତ

ଲଣ୍ଡନ: ଭାରତ ପାଖରେ ସଂପ୍ରତି ୮ରୁ ୯ ଜଣ ଭଲ ଦ୍ରୁତ ବୋଲର ଅଛନ୍ତି। ଦ୍ରୁତ ବୋଲିଂ ଶକ୍ତି ପାଇଁ ହିଁ ଭାରତ ଏକ ଶ୍ରେଷ୍ଠ ଟେଷ୍ଟ୍‌ ଦଳରେ ପରିଣତ ହୋଇ ପାରିିଛି। ଏଭଳି ଭାବନା ବ୍ୟକ୍ତ କରିଛନ୍ତି ବରିଷ୍ଠ ବୋଲର ଈଶାନ୍ତ ଶର୍ମା। ୮୨ ଟେଷ୍ଟ୍‌ ଖେଳି ୨୩୮ ଓ୍ଵିକେଟ୍‌ ଅକ୍ତିଆର କରିଥିବା ଈଶାନ୍ତ ଅନ୍ୟ ଦୁଇ ଦ୍ରୁତ ବୋଲର ଉମେଶ ଯାଦବ ଏବଂ ମହମ୍ମଦ ସାମିଙ୍କ ସହ ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଭାରତୀୟ ବୋଲିଂ ବାହିନୀର ନେତୃତ୍ୱ ନେବେ। ଏହା ପୂର୍ବରୁ ସେ କହିଛନ୍ତି ଯେ ସମସ୍ତ କହୁଥିଲେ ଭାରତ ଦ୍ରୁତ ବୋଲର ସୃଷ୍ଟି କରି ପାରିବ ନାହିଁ। ଆମ ପାଖରେ କିନ୍ତୁ ଏବେ ୮-୯ ଜଣ ବିଶ୍ୱସ୍ତରୀୟ ବୋଲର ଅଛନ୍ତି। ସେମାନେ ଯେ କୌଣସି ସମୟରେ ଭାରତ ପାଇଁ ଟେଷ୍ଟ୍‌ କ୍ରିକେଟ୍‌ ଖେଳି ପାରିବେ। ଦଳରେ ଦକ୍ଷ ଦ୍ରୁତ ବୋଲର ଥିବାରୁ ଆମେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।

ବିକଳ୍ପର ଅଭାବ ନାହିଁ: ଜାହିର
ଈଶାନ୍ତଙ୍କ ମନ୍ତବ୍ୟକୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍‌ ସମର୍ଥନ କରିଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଭାରତ ପାଖରେ ବିକଳ୍ପର ଅଭାବ ନାହିଁ ବୋଲି ସେ ମତ ରଖିଛନ୍ତି। ଆଘାତ ଜନିତ ସମସ୍ୟା ପାଇଁ ଦୁଇ ପ୍ରଥମ ପସନ୍ଦ ବୋଲର ଭୁବନେଶ୍ୱର କୁମାର ଏବଂ ଯସପ୍ରୀତ ବୁମ୍‌ରା ଇଂଲଣ୍ଡ ବିପକ୍ଷ ପ୍ରଥମ ତିନି ଟେଷ୍ଟ୍‌ରେ ଖେଳି ପାରିବେ ନାହିଁ। ତେବେ ସେମାନଙ୍କ ସ୍ଥାନ ପୂରଣ କରିବା ପାଇଁ ଭାରତ ପାଖରେ ଭଲ ବୋଲର ଅଛନ୍ତି ବୋଲି ଜାହିର ରବିବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଜାହିର କହିଛନ୍ତି, ଇଂଲଣ୍ଡରେ ଉମେଶ ଏବଂ ଈଶାନ୍ତ ଭଲ ବୋଲିଂ କରିବେ। ଭୁବନେଶ୍ୱରଙ୍କ ଅନୁପସ୍ଥିତି ଅବଶ୍ୟ ଅନୁଭୂତ ହୋଇପାରେ। ତଥାପି ଏହି କ୍ଷତିକୁ ଭରଣା କରିବାର ଦକ୍ଷତା ଭାରତୀୟ ବୋଲରଙ୍କ ପାଖରେ ଅଛି।

ଟେଷ୍ଟ୍‌ ଖେଳିବାର କଳା ପନ୍ତଙ୍କ ପାଖରେ ଅଛି: ଦ୍ରାବିଡ଼
ଲଣ୍ଡନ: ସୀମିତ ଓଭର କ୍ରିକେଟ୍‌ରେ ଦିଲ୍ଲୀ ଯୁବ ତାରକା ଋଷବ ପନ୍ତ ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ସେ ନିଜ ବ୍ୟାଟିଂ ଶୈଳୀରେ ବହୁ ପୂର୍ବତନ କ୍ରିକେଟରଙ୍କୁ ପ୍ରଭାବିତ କରି ପାରିଛନ୍ତି। ଏବେ ତାଙ୍କୁ ଟେଷ୍ଟ୍‌ କ୍ରିକେଟ୍‌ରେ ନିଜ ଅସାଧାରଣ ପ୍ରତିଭାର ପରିଚୟ ଦେବାର ସୁଯୋଗ ମିଳିଛି। ଇଂଲଣ୍ଡ ଶୃଙ୍ଖଳା ଲାଗି ଭାରତୀୟ ଟେଷ୍ଟ୍‌ ଦଳରେ ସେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ପନ୍ତ ଦିନିକିଆ ଭଳି ଟେଷ୍ଟ୍‌ରେ ମଧ୍ୟ ସଫଳତା ଲାଭ କରିବେ ବୋଲି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଭାରତ ‘ଏ’ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କହିଛନ୍ତି। ଏହି କ୍ରମରେ ସେ େଓ୍ଵଷ୍ଟଇଣ୍ଡିଜ୍‌ ‘ଏ’ ଏବଂ ଇଂଲଣ୍ଡ ଲାୟନ୍ସ ବିପକ୍ଷ ଚାରି ଦିନିଆ ମ୍ୟାଚ୍‌ର ଉଦାହରଣ ଦେଇଛନ୍ତି। ଦ୍ରାବିଡ଼ କହିଛନ୍ତି, ପରିବର୍ତିତ ପରିସ୍ଥିତି ଏବଂ ପରିବେଶରେ କେମିତି ବ୍ୟାଟିଂ କରିବାକୁ ହୁଏ, ତାହା ଋଷବଙ୍କୁ ଭଲ ଭାବରେ ଜଣା। ତାଙ୍କ ପାଖରେ ସେହି ଦକ୍ଷତା ଅଛି। ଇଂଲଣ୍ଡ ଲାୟନ୍ସ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ଏ’ ବିପକ୍ଷରେ ଋଷବ ଲଢ଼ୁଆ ଅର୍ଧଶତକ ଅର୍ଜନ କରିଥିଲେ।

ଅଶ୍ୱିନଙ୍କୁ କୁଲଦୀପଙ୍କ ଉପରେ ରଖିଲେ ଆଲେକ୍‌
ଲଣ୍ଡନ: ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଇଂଲଣ୍ଡ ଶୃଙ୍ଖଳାରେ ଭାରତର ପ୍ରମୁଖ ଅସ୍ତ୍ର ହେବେ ବୋଲି ଆଶା କରାଯାଉଛି। ଏପରିକି ତାଙ୍କ ରହସ୍ୟମୟ ସ୍ପିନ୍‌ ଜାଲରୁ ମୁକୁଳିବା ଇଂଲଣ୍ଡ ବ୍ୟାଟସ୍‌ମ୍ୟାନଙ୍କ ପାଇଁ ସହଜ ହେବ ନାହିଁ ବୋଲି କେତେକ ପୂର୍ବତନ କ୍ରିକେଟର କହି ସାରିଲେଣି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲେକ୍‌ ଷ୍ଟିଓ୍ଵାର୍ଟ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଭାରତୀୟ ଦଳରେ ଥିବା ଅଭିଜ୍ଞ ସ୍ପିନର୍‌ ଆର୍‌ ଅଶ୍ୱିନଙ୍କୁ ପ୍ରଶଂସା କରିବା ସହ ଟେଷ୍ଟ୍‌ରେ ବୋଲିଂ କରିବା କୁଲଦୀପଙ୍କ ପାଇଁ ସହଜ ହେବ ନାହିଁ ବୋଲି ସେ କହିଛନ୍ତି। ଦିନିକିଆ ଓ ଟେ୍ଵଣ୍ଟି-୨୦’ଠାରୁ ଟେଷ୍ଟ୍‌ ସଂପୂର୍ଣ୍ଣ ଅଲଗା। କୁଲଦୀପଙ୍କୁ ଟେଷ୍ଟ୍‌ରେ କ୍ଷେତ୍ରରକ୍ଷକଙ୍କଠାରୁ ସୀମିତ ଓଭର କ୍ରିକେଟ୍‌ ଭଳି ସମର୍ଥନ ମିଳି ନପାରେ। ଅଶ୍ୱିନଙ୍କ ପ୍ରଦର୍ଶନ କିନ୍ତୁ ମୋତେ ପ୍ରଭାବିତ କରିଛି। ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ। ଇଂଲଣ୍ଡ ବିପକ୍ଷରେ ଜାଦେଜା ମଧ୍ୟ ସଫଳତା ପାଇଛନ୍ତି। କୁଲଦୀପ ଇଂଲଣ୍ଡ ଖେଳାଳିଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ପାରନ୍ତି। ତେବେ ସେ ଇଂଲଣ୍ଡରେ ସଫଳ ହେବା ନେଇ ମୋ ମନରେ ସଂଶୟ ରହିଛି ବୋଲି ଷ୍ଟିଓ୍ଵାର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର