ବ୍ରିଟେନ ବିରୋଧରେ ଭାରତର କଠୋର ଅଭିମୁଖ୍ୟ : ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଲା ଭାରତୀୟ ହକି ଦଳ

ନୂଆଦିଲ୍ଲୀ : ବ୍ରିଟେନର ବିବାଦୀୟ କ୍ବାରାଣ୍ଟାଇନ ନିୟମକୁ ନେଇ ଆହୁରି କଠୋର ହୋଇଛି ଭାରତ । ବ୍ରିଟେନର ପକ୍ଷପାତ ନୀତିକୁ ବିରୋଧ କରି ଆସନ୍ତା ବର୍ଷ ବର୍ମିହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଓହରି ଆସିଛି ।

ଏହି ନିଷ୍ପତ୍ତି ସମ୍ପର୍କରେ ହକି ଇଣ୍ଡିଆ ଅଧ୍ୟକ୍ଷ ଜ୍ଞାନେନ୍ଦ୍ରୋ ନିନଗୋମ୍ବନ ଭାରତୀୟ ଅଲମ୍ପିକ ସଂଘର ସଭାପତି ନରିନ୍ଦର ବାତ୍ରାଙ୍କୁ ଜଣାଇଦେଇଛନ୍ତି । ନିଜ ପତ୍ରରେ ସେ ଦର୍ଶାଇଛନ୍ତି ଯେ ବ୍ରିଟେନ କରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରୁ ଗୋଟିଏ ହୋଇଥିବାରୁ ସେଠାକୁ ଖେଳାଳୀଙ୍କୁ ପଠାଇବା ବିପଦ ପୂର୍ଣ୍ଣ ହେବ ।

ଏହାଛଡ଼ା ରାଜ୍ୟଗୋଷ୍ଠୀ କ୍ରୀଡା (ଜୁଲାଇ ୨୮-ଅଗଷ୍ଟ ୮, ୨୦୨୨) ତୁଳନାରେ ହାଂଝୁଠାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ( ସେପ୍ଟେମ୍ବର ୧୦-୨୫) କୁ ଅଧିକ ଗୁରୁତ୍ବ ଦେବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି । କାରଣ ଏସୀୟ କ୍ରୀଡ଼ା ହିଁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମହାଦେଶୀୟ କ୍ବାଲିଫିକେସନ ଇଭେଣ୍ଟ ଭାବେ ପରିଗଣିତ ହୋଇଥାଏ । ଏଣୁ ଏସୀୟ କ୍ରୀଡ଼ା ପୂର୍ବରୁ ହକି ଟିମର କୌଣସି ଖେଳାଳୀ କରୋନା ଆକ୍ରାନ୍ତ ହେବା ଦଳ ପାଇଁ ଶୁଭଙ୍କର ହେବ ନାହିଁ ବୋଲି ହକି ଇଣ୍ଡିଆ ମନେକରୁଛି ।

 

ସମ୍ବନ୍ଧିତ ଖବର