ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତ, ଫାଇନାଲ୍‌ରେ ଆଜି ଜାପାନକୁ ଭେଟିବ

ହିରୋସିମା: ଜାପାନ୍‌ର ହିରୋସିମାରେ ଚାଲିଥିବା ମହିଳା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଭାରତ ଅପରାଜେୟ ସହ ଫାଇନାଲ୍‌ରେ ପହଞ୍ଚିଛି। ଶନିବାର ସେମିଫାଇନାଲ୍‌ରେ ଚିଲିକୁ ୨-୪ ଗୋଲ୍‌ରେ ହରାଇ ରାଣୀଙ୍କ ଦଳ ରବିବାର ଫାଇନାଲ୍‌ରେ ଆୟୋଜକ ଜାପାନକୁ ଭେଟିବ। ଜାପାନ୍‌ ଅନ୍ୟଏକ ସେମିଫାଇନାଲ୍‌ରେ ୩-୧ (୧-୧) ସୁଟ୍‌ଆଉଟ୍‌ରେ ରୁଷିଆକୁ ପରାସ୍ତ କରିଥିଲା। ଜାପାନ୍‌ ଆୟୋଜକ ଦେଶ ଭାବେ ଅଲିମ୍ପିକ୍ସ ସ୍ଥାନ ପକ୍କା କରିସାରିଛି। ଫଳରେ ଏହି ପ୍ରତିଯୋଗିତାର ଫାଇନାଲିଷ୍ଟ ଭାବେ କେବଳ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ଖେଳିବା ଲାଗି ଟିକେଟ୍‌ ହାସଲ କରିଛି।

ବିଶ୍ବ ମାନ୍ୟତାର ନବମ ସ୍ଥାନରେ ଥିବା ଭାରତ ଶନିବାରର ସେମିଫାଇନାଲ୍‌ରେ ଆରମ୍ଭରୁ ଚିଲି ଉପରେ ଆକ୍ରମଣ କରିଥିଲା। ପ୍ରଥମ ମିନିଟ୍‌ରେ ଚିଲି ବଳୟ ଭିତରେ ଭାରତ ୬ ଥର ପ୍ରବେଶ କରି ୫ ଥର ଗୋଲ୍‌ ପୋଷ୍ଟ୍‌କୁ ଆକ୍ରମଣ କରିଥିଲା। ହେଲେ ଗୋଲ୍‌ ଦେବାକୁ ସକ୍ଷମ ‌ନହେବାରୁ ପ୍ରଥମ କ୍ବାର୍ଟର୍‌ ‌ଗୋଲ୍‌ ଶୂନ୍ୟଭାବେ ସରିଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟର୍‌ରେ କାରୋଲିନା ଗାର୍ସିଆ (୧୮ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ ଜରିଆରେ ଷୋଡ଼ଶ ମାନ୍ୟତା ଦଳ ଚିଲି ଆଗୁଆ ହୋଇଯାଇଥିଲା। ହେଲେ ଚିଲିର ଏହି ଖୁସି ବେଶି ସମୟ ତିଷ୍ଠି ରହିନଥିଲା। ଏହାର ୪ ମିନିଟ୍‌‌ ପରେ ଭାରତକୁ ‌ମିଳିଥିବ ପେନାଲ୍‌ଟି କର୍ନରକୁ ଗୁରଜିତ କୌର (୨୨ ମିନିଟ୍‌) ଗୋଲ୍‌ରେ ପରିଣତ କରି ସ୍ଥିତି ବରାବର କରିଦେଇଥିଲେ। ଫଳରେ ପ୍ରଥମାର୍ଧ ୧-୧ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧର ଆରମ୍ଭରେ ନବନୀତ କୌର (୩୧ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ମ୍ୟାଚ୍‌ ଭାରତ ସପକ୍ଷକୁ ଆସିଥିଲା। ୩୭ତମ ମିନିଟ୍‌ରେ ଭାରତକୁ ମିଳିଥିବା ଆଉ ଏକ ପେନାଲ୍‌ଟି କର୍ନରକୁ ଗୁରଜିତ ଗୋଲ୍‌ରେ ପରିଣିତ କରି ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ଦଳକୁ ୩-୧ରେ ଆଗୁଆ କରିଥିଲେ। ୪୩ ମିନିଟ୍‌ରେ ଚିଲିର ମାନୁଏଲା ଉରୋଜ ଫିଲ୍ଡ ଗୋଲ୍‌ ଜରିଆରେ ଆଉ ଏକ ଗୋଲ୍‌ ଶୁଝି ଦେଇଥିଲେ। ଚତୁର୍ଥ କ୍ବାର୍ଟର୍‌ରେ ଓଡ଼ିଆ ଝିଅ ଲିଲିମା ମିଞ୍ଜଙ୍କ ଏକ ସୁନ୍ଦର ପାସ୍‌କୁ ଅଧିନାୟିକା ରାଣୀ ଚିଲିର ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଭାରତକୁ ୪-୨ରେ ବିଜୟ ଭେଟି ଦେଇଥି‌ଲେ। ସୂଚନାଯୋଗ୍ୟ ଯେ ଲିଗ୍‌ ପର୍ଯ୍ୟାୟରେ ଉରୁଗୁଏ (୪-୧), ପୋଲାଣ୍ଡ (୫-୦) ଓ ଫିଜି (୧୦-୦)କୁ ହରାଇ ଅପରାଜେୟ ସହ ଭାରତ ସିଧାସଳଖ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର