ଅକ୍ଷର-ଅଶ୍ବିନଙ୍କ ସ୍ପିନ୍‌ରେ ଇଂଲଣ୍ଡ ଧରାଶାୟୀ, ପାଳି ବିଜୟ ସହ ଭାରତ ଫାଇନାଲ୍‌ରେ

ପନ୍ତ୍‌ ମ୍ୟାଚ୍‌ର ଶ୍ରେଷ୍ଠ, ଅଶ୍ବିନ ଶୃଙ୍ଖଳାର ଶ୍ରେଷ୍ଠ

ଅହମଦାବାଦ, ୬ା୩: ସ୍ପିନ୍‌ ଯୋଡ଼ି ଅକ୍ଷର ପଟେଲ୍‌ ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ୫-୫ ୱିକେଟ୍ ସଫଳତା ବଳରେ ଭାରତ ଶନିବାର ପାଳି ଓ ୨୫ ରନ୍ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ଦେଇଛି। ଏଥିସହିତ ଗୋଟିଏ ଗୁଳିରେ ତିନିଟି ଶିକାର କରିଛି ଭାରତ। ଟେଷ୍ଟ୍‌ ଶୃଙ୍ଖଳାକୁ ୩-୧ରେ ଜିତି ନେବାରୁ ଜୁନ୍‌ ମାସର ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ୍‌ ସହ ଲର୍ଡସରେ ଖେଳିବା ନିଶ୍ଚିତ ହୋଇଛି। ଆଇସିସି ମାନ୍ୟତାରେ ମଧ୍ୟ ଏକ ନମ୍ବର ସ୍ଥାନକୁ ଲମ୍ଫ ମାରିଛି। ଶତକୀୟ ପାଳି ପାଇଁ ଋଷବ ପନ୍ତ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ମୋଟ ୩୨ ୱିକେଟ୍ ଦଖଲ କରିଥିବାରୁ ଆର୍ ଅଶ୍ବିନ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହା ପରେ ମାର୍ଚ୍ଚ ୧୨ ତାରିଖରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ।
ଶନିବାର ସକାଳେ ଭାରତର ବଡ଼ ଅଗ୍ରଣୀ ପରେ ସଭିଏଁ ଘରୋଇ ଦଳ ଜିତିଯିବ ବୋଲି ଆଶା କରିଥିଲେ। କିନ୍ତୁ ଭ୍ରମଣକାରୀ ଇଂଲଣ୍ଡ ଦଳ ଯେ ମାତ୍ର ଦେଢ଼ ଅଧିବେଶନରେ ସମସ୍ତ ୱିକେଟ୍ ହରାଇଦେବ ଏହା କେହି ବିଶ୍ବାସ କରିନଥିଲେ। ତୃତୀୟ ଦିନ ଅପରାହ୍ନରେ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ଅକ୍ଷର ପଟେଲ୍‌ (୫/୪୮) ଏବଂ ରବିଚନ୍ଦ୍ରନ ଅଶ୍ବିନ୍ (୫/୪୭) ଇଂଲଣ୍ଡର ସମସ୍ତ ୧୦ ୱିକେଟ୍‌କୁ ବାଣ୍ଟି ନେଇଥିଲେ। ପୂର୍ବରୁ ସାଥିହରା ହୋଇ ୱାସିଂଟନ୍ ସୁନ୍ଦର (୯୬*, ୧୭୪ ବଲ୍‌, ୧୦ ଚୌକା, ୧ ଛକା) ଶତକରୁ ବଞ୍ଚିତ ରହିଥିଲେ। କିନ୍ତୁ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ।

ଶନିବାର ଭାରତର ପ୍ରଥମ ପାଳି ୨୯୪/୭ରୁ ‌ଖେଳି ୩୬୫ ରନ୍‌ରେ ଶେଷ ହୋଇଥିଲା। ପୂର୍ବ ଅପରାହ୍‌ଣରେ ଋଷବ ପନ୍ତ୍‌ଙ୍କ ସହ ଶତକୀୟ ଭାଗୀଦାରିରେ ସାମିଲ ରହିଥିବା ୱାସିଂଟନ୍ ସୁନ୍ଦର ଶନିବାର ଅକ୍ଷର ପଟେଲଙ୍କୁ ନେଇ ଆଉ ଏକ ଶତକୀୟ ଭାଗୀଦାରି ଗଢ଼ିଥିଲେ। ବ୍ୟକ୍ତିଗତ ଭାବେ ୪୩ ରନ୍ କରି ଆଉଟ୍ ହେବା ପୂର୍ବରୁ ଅକ୍ଷର ୧୦୬ ରନ୍‌ ଭାଗୀଦାରିରେ ସାମିଲ ରହିଥିଲେ। ଅକ୍ଷରଙ୍କ ରନ୍‌ ଆଉଟ୍ ସହିତ ଭାରତ ମଧ୍ୟ ‌ସେହି ୩୬୫ ରନ୍‌ରେ ଶେଷ ୩ ୱିକେଟ୍ ହରାଇଥିଲା। ଏକଦା ୧୪୬/୬ରେ ସଂଘର୍ଷ କରିଥିବା ଭାରତ ଶେଷ ୪ ୱିକେଟରେ ୨୧୯ ରନ୍‌ ଯୋଡ଼ି ସବୁ ଓଲଟପାଲଟ କରି ଦେଇଥିଲା। ବେନ୍‌ ଷ୍ଟୋକ୍ସ ଭାରତ ପାଳିରେ ଶେଷ ରେଖା ଟାଣି ୪ ୱିକେଟ୍ ନେଇଥିଲେ। ଏଥି ସହ ଭାରତକୁ ୧୬୦ ରନ୍‌ର ନିର୍ଣ୍ଣାୟକ ଅଗ୍ରଣୀ ମିଳିଯାଇଥିଲା। ଏହାକୁ ପିଛା କରିଥିବା ଇଂଲିସ୍ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ବି ନିଜକୁ ପ୍ରୟୋଗ କରି ଖେଳିନଥିଲେ। ଟେମ୍ପରାମେଣ୍ଟ, ଟେକନିକ୍ କିମ୍ବା ସଙ୍କଳ୍ପବଦ୍ଧତା‌ ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇ ଅକ୍ଷର ଓ ଅଶ୍ବିନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା ‌ଚେନ୍ନାଇରେ ପ୍ରଥମ ଟେଷ୍ଟ୍‌ ବିଜୟୀ ଜୋ ରୁଟଙ୍କ ଦଳ।
ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ବିତୀୟ ପାଳି‌ ଖେଳିଥିବା ଇଂଲଣ୍ଡକୁ ପ୍ରଥମେ ଲଗାତାର ବଲ୍‌‌ରେ ଝଟକା ଦେଇଥିଲେ ଅଶ୍ବିନ୍‌। ଜ୍ୟାକ୍ କ୍ରଲି ଏବଂ ଜନି ବେୟାରଷ୍ଟୋଙ୍କୁ ପ୍ୟାଭିଲିଅନ୍‌ ଫେରାଇ ଦେବା ପରେ ଡମ୍ ଶିବଲେଙ୍କୁ ନିଜ ପ୍ରଥମ ଶିକାର କରିଥିଲେ ଅକ୍ଷର ପଟେଲ୍‌। ଶିବଲେ ସୁଇପ୍ ସଟ୍‌ ଖେଳିଥିବା ବେଳେ ଫରୱାର୍ଡ ସର୍ଟ ଲେଗ୍‌ରେ ଥିବା ଶୁଭମନ ଗିଲଙ୍କ ପ୍ୟାଡ୍‌ରେ ବାଜି ବଲ୍‌ ଉପରକୁ ଉଠିଯିବାରୁ ଋଷବ ପନ୍ତ୍‌ ଏକ ସହଜ କ୍ୟାଚ୍‌ ନେଇଥିଲେ। ବେନ୍‌ ଷ୍ଟୋକ୍ସ ପ୍ୟାଡଲ୍ ସୁଇପ୍‌ ଖେଳିବାକୁ ଚେଷ୍ଟା କରି ବ୍ୟାକୱାର୍ଡ ସର୍ଟ ଲେଗ୍‌ରେ ବିରାଟ କୋହଲିଙ୍କ ହାତରେ ଧରାପଡ଼ିଥିଲେ। ଓଲି‌ ପୋପ୍‌ ଅଧିନାୟକ ଜୋ ରୁଟଙ୍କ ସହ ୩୫ ରନ୍‌ ଯୋଡ଼ିଥିଲେ କିନ୍ତୁ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ରୋକି ନ ପାରି ଅକ୍ଷର ପଟେଲଙ୍କୁ ଆଗକୁ ବଢ଼ି ଖେଳୁଥିବା ବେଳେ ପନ୍ତ୍‌ଙ୍କ ଦ୍ବାରା ଷ୍ଟମ୍ପ୍‌ ‌ଆଉଟ୍ ହୋଇଥିଲେ। ଏହା ପରେ ଜୋ ରୁଟ୍‌ (୩୦) ଅଶ୍ବିନଙ୍କ ଲେନ୍‌କୁ ବୁଝି ନପାରି ଲେଗ୍‌ ବିଫୋର ୱିକେଟ୍‌ ହୋଇଥିଲେ। ଡାନିଏଲ୍ ଲରେନ୍ସ ୯୫ ବଲ୍‌ ଖେଳି ୫୦ ରନ୍ କରିଥିଲେ। ସାଥି ହରା ହୋଇଯିବାରୁ ଶେଷ ୱିକେଟ୍‌ ଭା‌ବେ ଅଶ୍ବିନଙ୍କ ଦ୍ବାରା ବୋଲ୍ଡ ହେବାରୁ ଭାରତ ଅଢ଼େଇ ଦିନରେ ହିଁ ଲଢ଼େଇକୁ ଜିତି ଯାଇଥିଲା।

ଟେଷ୍ଟ୍‌ ମାନ୍ୟତା ଶୀର୍ଷରେ ଭାରତ
ଦୁବାଇ : ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାକୁ ୩-୧ରେ ଜିତିବା ପରେ ଭାରତ ଆଇସିସି ‌ଟେ‌ଷ୍ଟ୍‌ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛି। ପୂର୍ବରୁ ଦ୍ବିତୀୟ ସ୍ଥାନରେ ଥିବା ଭାରତ (୧୨୨ ପଏଣ୍ଟ୍‌) ନ୍ୟୁଜିଲାଣ୍ଡ (୧୧୮)କୁ ପଛରେ ପକାଇ ଏହି ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିଆ (୧୧୩), ଇଂଲଣ୍ଡ (୧୦୫) ଓ ପାକିସ୍ତାନ (୯୦) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ଅଶ୍ବିନଙ୍କ ବିରଳ ୩୦
ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ରବିଚନ୍ଦ୍ରନ ଅଶ୍ବିନ୍‌ ଦୁଇ ଥର ନିର୍ଦ୍ଧିଷ୍ଟ ଏକ ଟେଷ୍ଟ୍‌ ଶୃଙ୍ଖଳାରେ ୩୦ ୱିକେଟ୍ ନେବାର ବିରଳ ସଫଳତା ପାଇଛନ୍ତି। ଶନିବାର ଶେଷ‌ ହୋଇଥିବା ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ଶୃଙ୍ଖଳାରେ ଅଶ୍ବିନ୍‌ ୩୨ ୱିକେଟ୍ ନେଇଥିବା ବେଳେ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧ ୱିକେଟ୍ ସଫଳତା ପାଇଥିଲେ। ବିଶନ ସିଂହ ବେଦୀ, ବିଏସ ଚନ୍ଦ୍ରଶେଖର, କପିଳ ଦେବ, ହରଭଜନ ସିଂହ ଥରେ ଲେଖାଏଁ ଗୋଟିଏ ଶୃଙ୍ଖଳାରେ ୩୦ରୁ ଊର୍ଦ୍ଧ୍ବ ୱିକେଟ୍ ନେଇଥିଲେ। ଅଶ୍ବିନ୍ ମଧ୍ୟ ଶନିବାର ନିଜ ଟେଷ୍ଟ୍ ଜୀବନର ୩୦ତମ ୫ ୱିକେଟ୍ ସଫଳତା ପାଇଛନ୍ତି। ସେହି ଅହମଦାବାଦରେ ଖେଳାଯାଇଥିବା ଗତ ତୃତୀୟ ଟେଷ୍ଟ୍ ଅବସରରେ ଅଶ୍ବିନ୍ ଜୋଫ୍ରା ଆର୍ଚରଙ୍କୁ ନିଜ ୪୦୦ତମ ଟେଷ୍ଟ୍ ଶିକାର କରିଥିଲେ। ଏହି ମାଇଲଖୁଣ୍ଟ୍‌ ଛୁଇଁବାରେ ସେ ଚତୁର୍ଥ ଭାରତୀୟ ହୋଇଥିଲେ। ଶନିବାର ‌ଶେଷ ହୋଇଥିବା ଚତୁର୍ଥ ଟେଷ୍ଟ୍‌ରେ ଅଶ୍ବିନ୍‌‌‌ ମୋଟ ୮ ୱିକେଟ୍ ଦଖଲ କରିଥିଲେ। ଏଥି ସହିତ ଅଶ୍ବିନ୍‌ ମଧ୍ୟ ନିଜ ୧୦ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଅଷ୍ଟମ ଥର ପାଇଁ ‘ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି’ ବିବେଚିତ ହେବାର ଗୌରବ ପାଇଛନ୍ତି।

ଅକ୍ଷରଙ୍କ ପଦାର୍ପଣ ଶୃଙ୍ଖଳା କୃତିତ୍ବ

ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ ଟେଷ୍ଟରୁ ତିନିଟିରେ ଖେଳିଥିଲେ ଅକ୍ଷର ପଟେଲ୍‌। ଆହତ ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତିରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିବା ଅକ୍ଷର ନିଜର ଏହି ପଦାର୍ପଣ ଶୃଙ୍ଖଳାକୁ ସ୍ମରଣୀୟ କରିଛନ୍ତି ମୋଟ ୨୭ ୱିକେଟ୍ ଅକ୍ତିଆର କରି। ଶନିବାର ସେ ଡୋମିନିକ୍‌ ଶିବଲେ, ବେନ୍‌ ‌ଷ୍ଟୋକ୍ସ, ଓଲି ପୋପ୍‌, ବେନ୍‌ ଫୋକ୍ସ ଏବଂ ଡୋମିନିକ ବେସ୍‌ଙ୍କୁ ଆଉଟ୍ କରି ମଧ୍ୟ ଚତୁର୍ଥ ଥର ୫ ୱିକେଟ୍ ସଫଳତା ପାଇଥିଲେ। ଚେନ୍ନାଇରେ ପଦାର୍ପଣ ବେଳେ ୨/୪୦, ୫/୬୦ ସଫଳତା ପାଇଥିବା ଏହି ଗୁଜରାଟୀ ସ୍ପିନର୍‌ ନିଜ ଘରୋଇ ପରିବେଶରେ ଅହମଦାବାଦରେ ଖେଳାଯାଇଥିବା ଦୁଇ ଟେଷ୍ଟ୍‌ରେ ଯଥାକ୍ରମେ ୬/୩୮, ୫/୩୨, ୪/୬୮, ୫/୪୮ ବୋଲିଂ ଚିତ୍ର ପାଇଥିଲେ। ପଦାର୍ପଣ ଶୃଙ୍ଖଳାରେ ୨୭ ୱିକେଟ୍ ନେବାରେ ସେ ଦିଲୀପ ଦୋଶୀଙ୍କ ଭାରତୀୟ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଦୋଶୀ ୧୯୭୯-୮୦ରେ ୬ ମ୍ୟାଚ୍‌ ବିଶିଷ୍ଟ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ୨୭ ୱିକେଟ୍‌ ନେଇଥିଲେ।

 

ସମ୍ବନ୍ଧିତ ଖବର