ଭାରତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପହଞ୍ଚିଲେ ଏସିଆ କପ୍‌ ସ୍ଥଗିତ ରହିବ

କରାଚି : ଚଳିତ ବର୍ଷ ଜୁନ୍‌ରେ ଏସିଆ କପ୍‌ ଆୟୋଜିତ ହେବାର ସମ୍ଭାବନା ରହିଛି। ପୁଣି ସେହି ମାସରେ ଲଣ୍ଡନରେ ବିଶ୍ବ ଟେଷ୍ଟ୍‌ ଚାମ୍ପିଆନ୍‌ସିପ୍‌ ମଧ୍ୟ ଆୟୋଜିତ ହେବ। ଏପରିସ୍ଥଳେ ଭାରତୀୟ କ୍ରିକେଟ୍‌ ଦଳ ଯଦି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌କୁ ଯୋଗ୍ୟତା ହାସଲ କରେ ତାହାଲେ ଏସିଆ କପ୍‌ ସ୍ଥଗିତ ହେବାର ଆଶଙ୍କା ବ୍ୟକ୍ତ କରିଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)। ଏଭଳି ସ୍ପଷ୍ଟ ସଂକେତ ଦେଇଛନ୍ତି ପିସିବି ଅଧ୍ୟକ୍ଷ ଏହାସାନ୍‌ ମନି। ଏସିଆ କପ୍‌ ବାସ୍ତବରେ ଗତବର୍ଷ ଆୟୋଜିତ ହେବାର ଥିଲା। ହେଲେ ଏହାକୁ ଚଳିତ ବର୍ଷକୁ ସ୍ଥଗିତ ରଖାଯାଇଥିଲା। ଏହାକୁ ଆୟୋଜନ ପାଇଁ ଶ୍ରୀଲଙ୍କା‌ କୁହାଯାଇଥିଲା। କିନ୍ତୁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଜୁନ୍‌ରେ ହେବାର ଥିବାରୁ ଏସିଆ କପ୍‌ ଆୟୋଜନ ଆଶଙ୍କା ଭିତରେ ରହିଯାଇପାରେ ବୋଲି ଏହସାନ କହିଛନ୍ତି। ଉଭୟ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଏବଂ ଏସିଆ କପ୍‌ ତାରିଖ ପ୍ରାୟତଃ ଏକ ସମୟରେ ରହିଥିବାରୁ ଏସିଆ କପ୍‌ ଆଗକୁ ବଢ଼ିବା ସମ୍ଭାବନା କମ୍‌ ରହିବ। ଏପରିକି ଏସିଆ କପ୍‌ ୨୦୨୩କୁ ଘୁଞ୍ଚିପାରେ ବୋଲି ଏହସାନ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ଭାରତ ବିଶ୍ବ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପହଞ୍ଚିଲେ ଏସିଆ କପ୍‌କୁ ସ୍ଥଗିତ ରଖାଯିବା ଉଚିତ ବୋଲି କହିଛନ୍ତି ପିସିବି ସିଇଓ ୱାସିମଖ ଖାନ୍‌।

ସମ୍ବନ୍ଧିତ ଖବର