ଥିରୁବନ୍ତପୁରମ୍: କେରଳର ଥିରୁବନ୍ତପୁରମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତାକାଲି ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ। ମୁମ୍ବାଇ ମ୍ୟାଚ୍ ଜିତି ୨-୧ରେ ଆଗୁଆ ରହିଥିବା ଘରୋଇ ଭାରତ ପାଇଁ ଏହି ମ୍ୟାଚ୍ ଶୃଙ୍ଖଳା ବିଜୟ ସୁଯୋଗ ରଖିଛି। ଏହି ମ୍ୟାଚ୍ ଜିତିଲେ ଭାରତ ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୧ରେ କବ୍ଜା କରିନେବ। କେବଳ ସେତିକି ନୁହେଁ ଭାରତ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବ। ଶେଷଥର ପାଇଁ ୨୦୦୬ରେ ୱେଷ୍ଟଇଣ୍ଡିଜ୍ ନିଜ ଘରୋଇ ମାଟିରେ ଭାରତକୁ ଶୃଙ୍ଖଳା ପରାଜୟ ଦେଇଥିଲା ବେଳେ ଏହାପରଠାରୁ ଭାରତ ଆଉ ପଛକୁ ଫେରିନାହିଁ। ୨୦୦୬ ପରଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ କ୍ରମାଗତ ୭ଟି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତିସାରିଛି। ଆଉ ଆସନ୍ତାକାଲି ତିରୁବନନ୍ତପୁରମ୍ ମ୍ୟାଚ୍ ଜିତିନେଲେ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସଫଳତା ବ୍ୟବଧାନକୁ ଲମ୍ବାଇପାରିବ। ଅନ୍ୟପକ୍ଷରେ ଭାରତ ମଧ୍ୟ ଘରୋଇ ମାଟିରେ କ୍ରମାଗତ ଷଷ୍ଠ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତିବାର ଗୌରବ ପାଇବ। ଥିରୁବନ୍ତପୁରମ୍ର ଗ୍ରିନ୍ଫିଲ୍ଡ ଇଣ୍ଟରନ୍ୟାସ୍ନାଲ୍ ଷ୍ଟାଡିୟମ୍ରେ ଆସନ୍ତାକାଲି ଚଳିତ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବାକୁ ଥିଲା ବେଳେ ଏହି ଷ୍ଟାଡିୟମ୍ରେ ଖେଳାଯାଇଥିବା ଶେଷ ଦିନିକିଆ ମଧ୍ୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ସେହି ମ୍ୟାଚ୍ରେ ଭ୍ରମଣକାରୀ ଦଳ ବିଜୟୀ ହୋଇଥିଲା। ସେହି ଦୃଷ୍ଟିରୁ ଇଣ୍ଡିଜ୍ ଦଳ ମଧ୍ୟ ଏଠାରେ ଆସନ୍ତାକାଲି ମ୍ୟାଚ୍ ଜିତି ଭାରତ ସହ ଶୃଙ୍ଖଳା ବରବର (୨-୨) ରଖିବା ଲକ୍ଷ୍ୟରେ ରହିବ। ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ୩୦୦ରୁ ଅଧିକ ରନ୍ କରିବା ସତ୍ତ୍ବେ ପରାଜୟ ବରଣ କରିଥିବା ଇଣ୍ଡିଜ୍ ଦଳ ଦ୍ବିତୀୟ ମ୍ୟାଚ୍ରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଟାଇ ରଖିଥିଲା। ପୁଣି ତୃତୀୟ ମ୍ୟାଚ୍ରେ ଜବରଦସ୍ତ ବିଜୟ ହାସଲ କରି ଭାରତକୁ କଡା ଆହ୍ବାନ ଦେଇଥିଲା। ତେବେ ମୁମ୍ବାଇରେ ଚତୁର୍ଥ ମ୍ୟାଚ୍ ବଡ଼ ବ୍ୟବଧାନରେ ହାରିଯାଇଥିଲା ବେଳେ ପଞ୍ଚମ ମ୍ୟାଚ୍କୁ ଜିତି ସମ୍ମାନର ସହ ଶୃଙ୍ଖଳା ଶେଷ କରିବା ଲକ୍ଷ୍ୟ ରଖିଛନ୍ତି ଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଡର।
ନଜରରେ ରହିବେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍
ଭାରତ ଶେଷ ମ୍ୟାଚ୍ ଜିତିବାକୁ ହେଲେ ତାକୁ ଶୀର୍ଷକ୍ରମ ବ୍ୟାଟିଂ ଉପରେ ନିର୍ଭର ରହିବାକୁ ପଡ଼ିବ। ବିଶେଷକରି ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଓ ଅମ୍ବାତି ରାୟୁଡୁଙ୍କ ସ୍ଥିର ପ୍ରଦର୍ଶନ ହିଁ ଭାରତକୁ ଶୃଙ୍ଖଳା ବିଜୟ ଦେଇପାରିବ। ଏହି ତିନି ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଗତ ୪ ମ୍ୟାଚ୍ ମଧ୍ୟରେ ମିଳିତ ଭାବେ ଭାରତ ପାଇଁ ୬ ଶତକ ଜମାଇ ସାରିଛନ୍ତି। ସେଥିରୁ କୋହଲି ୩, ରୋହିତ ୨ ଓ ରାୟୁଡୁ ଗୋଟିଏ ହାସଲ କରିଛନ୍ତି। ଏହି ତିନି ଜଣଙ୍କୁ ଇଣ୍ଡିଜ୍ ବୋଲରମାନେ ରୋକି ନପାରିେଲ ଭାରତ ମ୍ୟାଚ୍ ଓ ଶୃଙ୍ଖଳା ନିଜ ପକ୍ଷକୁ ନେଇଯିବ। ଅନ୍ୟପକ୍ଷରେ ମୁମ୍ବାଇ ମ୍ୟାଚ୍ରେ ୫ ଓଭରରେ ମାତ୍ର ୧୩ ରନ୍ ବ୍ୟୟ କରି ୩ ୱିକେଟ୍ ଦଖଲ କରିଥିବା ବାମହାତୀ ଦ୍ରୁତ ବୋଲର ଖଲିଲ ଅହମ୍ମଦ ଆସନ୍ତାକାଲି ମ୍ୟାଚ୍ରେ ମଧ୍ୟ ସମସ୍ତଙ୍କ ନଜରରେ ରହିବେ। ତାଙ୍କ ସହିତ ଯଶ୍ପ୍ରିତ୍ ବୁମ୍ରା ଓ କୁଲ୍ଦୀପ୍ ଯାଦବ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ଙ୍କୁ ରୋକିପାରିଲେ ଭାରତ ବିଜୟ ସହଜ ହୋଇପାରିବ। ବିଶେଷକରି ଫର୍ମରେ ଥିବା ଇଣ୍ଡିଜ୍ର ଦୁଇ ବ୍ୟାଟ୍ସମ୍ୟାନ୍ ସିମ୍ରନ୍ ହେଟ୍ମେୟର ଓ ସାଇ ହୋପ୍ଙ୍କ ସାଙ୍ଗକୁ କିରଣ ପାୱେଲଙ୍କୁ ହିଁ ବଡ଼ ସ୍କୋର୍ କରିବାରୁ ନିବୃତ୍ତ କରିପାରିଲେ ଭାରତ ଫାଇଦାରେ ରହିବ।
ଅଦଳବଦଳ ଲକ୍ଷ୍ୟରେ ଇଣ୍ଡିଜ୍
ମୁମ୍ବାଇ ମ୍ୟାଚ୍କୁ ଅତି ସହଜରେ ଜିତି ନେଇଥିବା ଭାରତୀୟ ଦଳରେ ଆସନ୍ତାକାଲିର ମ୍ୟାଚ୍ ପାଇଁ କୌଣସି ପରିବର୍ତନର ଆଭାସ ନାର୍ହି। ନିମ୍ନକ୍ରମରେ ଜଣେ ଅଲ୍ରାଉଣ୍ଡରର ଅଭାବ ପୁରଣ ପାଇଁ ଗତ ମ୍ୟାଚ୍ରେ ଖେଳିଥିବା ରବୀନ୍ଦ୍ର ଜାଦେଜା ଚୂଡାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବା ନିଶ୍ଚିତ ଥିବାରୁ ୟୁଜ୍ବେନ୍ଦ୍ର ଚହଲ୍ଙ୍କୁ ପୁନର୍ବାର ବାହାରେ ବସିବାକୁ ପଡ଼ିବ। ବିଶେଷକରି ବିନା ପରିବର୍ତନରେ ଘରୋଇ ଦଳ ଆସନ୍ତାକାଲି ମ୍ୟାଚ୍ ଖେଳିବ ବୋଲି ଅଧିନାୟକ ବିରାଟ କୋହଲି ସଂକେତ ଦେଇଛନ୍ତି। ଅନ୍ୟପକ୍ଷରେ ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟରେ ରହିଥିବା ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ପରିବର୍ତନ କରିପାରେ। ପ୍ରାରମ୍ଭିକ ବ୍ୟାଟିଂକୁ ଅଧିକ ଦୃଢ଼ କରିବା ପାଇଁ କିରଣ ପାୱେଲ କିମ୍ବା ଚନ୍ଦ୍ରପଲ୍ ହେମ୍ରାଜ୍ଙ୍କ ବଦଳରେ ସୁନିଲ ଅମ୍ବ୍ରିସ୍ଙ୍କୁ ସୁଯୋଗ ଦେବା ଅଧିନାୟକ ହୋଲ୍ଡର ଯୋଜନା କରିଥିଲା ବେଳେ ସ୍ପିନ୍ ବୋଲିଂକୁ ଶାଣୀତ କରିବା ପାଇଁ ଅଲ୍ରାଉଣ୍ଡର ଫାବିଏନ୍ ଆଲେନ୍ଙ୍କ ଜାଗାରେ ଅଭିଜ୍ଞ ଦେବେନ୍ଦ୍ର ବିଶୁ ଦଳକୁ ଫେରିବା ସମ୍ଭାବନା ଅଧିକ ରହିଛି।
ବର୍ଷା ଆଶଙ୍କା
ଥିରୁବନ୍ତପୁରମ୍ର ଗ୍ରିନ୍ଫିଲ୍ଡ ଷ୍ଟାଡିୟମ୍ର ପିଚ୍ ଉଭୟ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କୁ ସମାନଭାବେ ସୁହାଇବ ବୋଲି କ୍ୟୁେରଟର କହିଛନ୍ତି। ଏଠାର ପିଚ୍ ମୁଖ୍ୟତଃ ଫ୍ଲାଟ୍ ଓ ଡ୍ରାଇ ରହିବ। ଏଠାରେ ଅଧିକ ଗୁଳିଗୁଳି ଅନୁଭୂତ ହେବ। ଗତବର୍ଷ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଏହି ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ୍ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲା ବେଳେ ପ୍ରଥମ ଥର ଦିନିକିଆ ମ୍ୟାଚ୍ ଆୟୋଜନ ହେବ। ହେଲେ ଆସନ୍ତାକାଲି ଏଠାରେ ବର୍ଷାର ଖେଳ ଦେଖିବାକୁ ମିଳିପାରେ। ପାଣିପାଗ ବିଭାଗ ଏଭଳି ଅନୁମାନ ଲଗାଇଛି।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ୍, ବିରାଟ କୋହଲି (ଅଧିନାୟକ), ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, କୁଲ୍ଦୀପ୍ ଯାଦବ, ଯଶ୍ପ୍ରିତ୍ ବୁମ୍ରା।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଦଳ: ଚନ୍ଦ୍ରପଲ୍ ହେମରାଜ୍/ସୁନିଲ ଅମ୍ବ୍ରିସ୍, କିରଣ ପାୱେଲ, ସାଇ ହୋପ୍ (ୱିକେଟ୍ରକ୍ଷକ), ସିମ୍ରନ୍ ହେଟ୍ମେୟର, ମାର୍ଲନ୍ ସାମୁଏଲ୍ସ, ରୋଭ୍ମାନ୍ ପାୱେଲ, ଜାସନ୍ ହୋଲ୍ଡର (ଅଧିନାୟକ), ଆସ୍ଲେ ନର୍ସ, କିମୋ ପଲ୍, ଦେବେନ୍ଦ୍ର ବିଶୁ/ଫବିଏନ୍ ଆଲେନ୍, କେମାର ରୋଚ୍।