ବେଙ୍ଗାଲୁରୁ: ପାକିସ୍ତାନ ଏବଂ ଦୁବାଇରେ ଚଳିତ ମାସ ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପ୍ ଲାଗି ଭାରତୀୟ ଦଳ ପୂରା ପ୍ରସ୍ତୁତ। ୧୭ ଜଣିଆ ଭାରତୀୟ ଦଳର ଏକମାସ ଧରି ବେଙ୍ଗାଲୁରୁର ଗୋପାଳନ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପ୍ରଶିକ୍ଷଣ ଶିବିର ବୁଧବାର ଶେଷ ହୋଇଛି। ଏବେ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବାକୁ ବ୍ୟଗ୍ର। ଭାରତୀୟ ଦଳ ସଂପ୍ରତି ବେଙ୍ଗାଲୁରୁରେ ଥିଲା ବେଳେ ଗୁରୁବାର ଦିଲ୍ଲୀ ଯାତ୍ରା କରିବ। ସେଠାକୁ ପାକିସ୍ତାନ କିମ୍ବା ଦୁବାଇ ଯାଇ ବିଶ୍ୱକପରେ ଅଂଶ ଗ୍ରହଣ କରିବ। ଭାରତୀୟ ଦଳ ତା’ର ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ଥାନକୁ ୮ ତାରିଖରେ ଭେଟିବ। ସୂଚନାଯୋଗ୍ୟ ଯେ ଦୃଷ୍ଟିହୀନ ବିଶ୍ୱକପର ପଞ୍ଚମ ସଂସ୍କରଣକୁ ପାକିସ୍ତାନ ଆୟୋଜନ କରୁଛି। ଏଥିରେ ପାକିସ୍ତାନ ସହ ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ଦଳ ଅଂଶ ଗ୍ରହଣ କରିବେ।
ଓଡ଼ିଶାରୁ ଜାଫର ଏବଂ ପଙ୍କଜ ୫୦ ଓଭରିଆ ଦୃଷ୍ଟିହୀନ ବିଶ୍ୱକପର ପଞ୍ଚମ ସଂସ୍କରଣ ଲାଗି ଘୋଷିତ ହୋଇଥିବା ଭାରତୀୟ ଦଳରେ ଓଡ଼ିଶାର ଦୁଇ ଜଣ ଖେଳାଳି ମହମ୍ମଦ ଜାଫର ଇକବାଲ ଏବଂ ପଙ୍କଜ ଭୂଏ ସ୍ଥାନ ପାଇଛନ୍ତି। ଉଭୟ ବେଙ୍ଗାଲୁରୁ ପ୍ରଶିକ୍ଷଣ ଶିବରରେ ଯୋଗ ଦେଇ ନିଜ ପ୍ରତିଭାକୁ ଆହୁରି ଶାଣିତ କରି ସାରିଛନ୍ତି। ଉଭୟ ଜାଫର ଏବଂ ପଙ୍କଜ ପୂର୍ବରୁ ମଧ୍ୟ ଭାରତୀୟ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହି ସାରିଛନ୍ତି। ଏଥର ବି ଭାରତୀୟ ଦଳ ବିଶ୍ୱ ବିଜେତା ହେବାକୁ ଚେଷ୍ଟା କରିବ ବୋଲି ଜାଫର ଓ ପଙ୍କଜ କହିଛନ୍ତି। ଅନ୍ୟତମ ଓଡ଼ିଆ ସୁଖରାମ ମାଝୀ ବି ବେଙ୍ଗାଲୁରୁରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଥିଲେ। ହେଲେ ତାଙ୍କୁ ଷ୍ଟାଣ୍ଡବାଏ ରଖା ଯାଇଥିଲା। ମୂୂଳ ଦଳରେ ଥିବା ୧୭ ଜଣ ଯାକ ଖେଳାଳି ସୁସ୍ଥ ଥିବାରୁ ସେ ଗୁରୁବାର ଓଡ଼ିଶା ଫେରି ଆସିବେ। ଅନ୍ୟ ପକ୍ଷରେ ଜାଫର ଏବଂ ପଙ୍କଜ ପୁନର୍ବାର ବିଶ୍ୱକପ୍ ଖେଳିବାର ସୌଭାଗ୍ୟ ଲାଭ କରିବେ।
ଭାରତୀୟ ଦଳ: ଅଜୟ କୁମାର ରେଡ୍ଡୀ (ଅଧିନାୟକ), ମହମ୍ମଦ ଜାଫର ଇକବାଲ, ପଙ୍କଜ ଭୂଏ, ନରେଶ ଭାଇ ତୁମ୍ବା, ମହିନ୍ଦର ବୈଷ୍ଣବ, ସୋନୁ ଗୋଲକର, ପ୍ରେମ୍ କୁମାର, ବସପ୍ପା ଭଦଗୋଲ, ଡି ଭେଙ୍କଟେଶ୍ୱର ରାଓ, ଗଣେଶ ଭାଇ ମୁହୁଦକର, ସୁରଜିତ ଘରା, ଅନୀଲଭାଇ ଗରିଆ, ପ୍ରକାଶ ଜୟରମାୟା, ଦୀପକ ମଲ୍ଲିକ, ସୁନୀଲ ରମେଶ, ଟି ଦୁର୍ଗା ରାଓ, ରାମବୀର। ପାକିସ୍ତାନ ଅଡ଼ୁଆଚଳିତ ଥର ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍କୁ ପାକିସ୍ତାନ ଆୟୋଜନ କରୁଛି। ଯାହା ଭାରତ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଭାରତୀୟ ଖେଳାଳିମାନେ ଶନିବାର ପାକିସ୍ତାନ ଯିବାର ଥିଲା। ହେଲେ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଘନ କରୁଥିବାରୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସେଠାକୁ ଯିବାକୁ ଭାରତୀୟ ଦଳକୁ ଅନୁମତି ଦେଇ ନାହାନ୍ତି। ତେବେ ଭାରତୀୟ ଦଳ ୫ ତାରିଖ ପର୍ଯ୍ୟନ୍ତ ଏଥିଲାଗି ଅପେକ୍ଷା କରିବ। ନହେଲେ ୬ ତାରିଖରେ ଦୁବାଇ ଯାଇ ସେଠାରେ ମ୍ୟାଚ୍ ଖେଳିବ ବୋଲି ଭାରତୀୟ ଦଳର ସଦସ୍ୟ ତଥା ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଦଳର ଅଧିନାୟକ ମହମ୍ମଦ ଜାଫର ଇକବାଲ କହିଛନ୍ତି। ମୂଳସୂଚୀ ଅନୁଯାୟୀ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ ଲାହୋରରେ ପାକିସ୍ତାନ ବିପକ୍ଷରେ ଖେଳିବାର ଥିଲା। ହେଲେ କେନ୍ଦ୍ର ସରକାର ପାକିସ୍ତାନ ଗସ୍ତ ଲାଗି ଅନୁମତି ନଦେଲେ ଭାରତୀୟ ଦଳ ସିଧା ଦୁବାଇ ଯାଇ ସେଠାରେ ଖେଳିବ। ଏଭଳି ପରିସ୍ଥିତିରେ ଭାରତ-ପାକିସ୍ତାନ ମ୍ୟାଚ୍ ଦୁବାଇକୁ ସ୍ଥାନାନ୍ତର ହେବ ବୋଲି ସେ କହିଛନ୍ତି। ପ୍ରକାଶଯୋଗ୍ୟ ଯେ ଏହି ବିଶ୍ୱକପ୍ ଲାହୋର ଏବଂ ଦୁବାଇରେ ଖେଳାଯିବାର ଅଛି।