ନୂଆଦିଲ୍ଲୀ : ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିବା ପାଇଁ ଭାରତ ପ୍ରସ୍ତୁତ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ପାଖରେ ୨୦୨୩ରେ ହେବାକୁ ଥିବା ଆଓସି ଅଧିବେଶନରେ ଭାରତ ଏ ସମ୍ପର୍କରେ ପ୍ରସ୍ତାବ ଦେବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର କହିଛନ୍ତି।

Advertisment

ଠାକୁର କହିଲେ ଯେ, ଭାରତରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିବା ପାଇଁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ (ଆଇଓଏ)ର ପ୍ରସ୍ତାବକୁ ସରକାର ସମର୍ଥନ କରିବେ। ଯଦି ଆଇଓସି ରାଜି ହୁଏ ତେବେ ଭାରତର ଅହମଦାବାଦ ନଗରୀରେ ହିଁ ଏହାର ଆୟୋଜନ କରାଯିବ କାରଣ ସେଠ‌ାରେ ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ସମସ୍ତ ବିଶ୍ବସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ରହିଛି। ଏହା ପୂର୍ବରୁ ୧୯୮୨ ଏସୀୟ କ୍ରୀଡ଼ା ଏବଂ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତରେ ଅନୁଷ୍ଠିତ ହୋଇଥିଲା। ସମର ଅଲିମ୍ପିକ୍ସ ହେଉଛି ଆମର ପରବର୍ତ୍ତୀ ଲକ୍ଷ୍ୟ। ଯଦି ଭାରତ ଜି୨୦ର ଅଧ୍ୟକ୍ଷତା ଦାୟିତ୍ବ ମୁଣ୍ଡାଇ ଏଡ଼େ ବିଶାଳ ଆକାରରେ ଭାରତରେ ଏହି ସମ୍ମିଳନୀ ଆୟୋଜନ କରିପାରୁଛି, ତେବେ ମୋର ବିଶ୍ବାସ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ମଧ୍ୟ ଭାରତ ଅତ୍ୟନ୍ତ ସଫଳତାର ସହ କରିପାରିବ ବୋଲି ଠାକୁର କହିଥିଲେ।