ଇଣ୍ଡିଆ ରେଡ୍‌ ଜିତିଲା ଦଲିପ୍‌ ଟ୍ରଫି

ବେଙ୍ଗାଲୁରୁ: ପ୍ରିୟଙ୍କ ପାଞ୍ଚଲଙ୍କ ନେତୃତ୍ବାଧୀନ ଇଣ୍ଡିଆ ରେଡ୍‌ ଦଳ ଚଳିତ ବର୍ଷର ଦଲିପ୍‌ ଟ୍ରଫି ବିଜେତା ହୋଇଛି। ବିଶେଷକରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅଭିମନ୍ୟୁ ଈଶ୍ବରନ୍‌ଙ୍କ ଶତକ ପରେ ବୋଲରମାନଙ୍କ କମାଲ ଯୋଗୁଁ ରେଡ୍‌ ଦଳ ଏହି ୫ ଦିନିଆ ଫାଇନାଲ୍‌ ମ୍ୟାଚ୍‌କୁ ଚତୁର୍ଥ ଦିବସରେ ‌ହିଁ ଶେଷ କରିଦେଇଥିଲା। ରେଡ୍‌ ଦଳ ପ୍ରଥମ ପାଳିରେ ୩୮୮ ରନ୍‌ କରିଥିଲା ବେଳେ ପ୍ରତିପକ୍ଷ ଇଣ୍ଡିଆ ଗ୍ରିନ୍‌ ଦଳ ପ୍ରଥମ ପାଳିରେ ୨୩୧ ଓ ଦ୍ବିତୀୟ ପାଳିରେ ୧୧୯ ରନ୍‌ କରିପାରିଥିଲା। ଯାହା ଫଳରେ ରେଡ୍‌ ଦଳ ଏକ ପାଳି ଓ ୩୮ ରନ୍‌ରେ ମ୍ୟାଚ୍‌ ଜିତି ଟ୍ରଫି କବ୍‌ଜା କରିଥିଲା। ଅଭିମନ୍ୟୁ ଈଶ୍ବରନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଇଣ୍ଡିଆ ରେଡ୍‌ ଦଳ ତୃତୀୟ ଦିବସ ସ୍କୋର୍‌ ୩୪୫/୬ରୁ ଶନିବାର ଖେଳିଥିଲା। ଏହି ଦଳ ଆଉ ୪୩ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇଥିଲା। ଆଦିତ୍ୟ ସେରୱାତ ୩୮ ରନ୍‌ରେ ଆଉଟ୍‌ ହୋଇଯାଇଥିଲା ବେଳେ ଜୟଦେବ ଉନାଦକଟ୍‌ ୩୨ ରନ୍‌ରେ ଅପରାଜିତ ରହିଥିଲେ। ଏହାପରେ ଇଣ୍ଡିଆ ଗ୍ରିନ୍‌ ଦ୍ବିତୀୟ ପାଳି ସଫା କରିବା ପାଇଁ ରେଡ୍‌ ବୋଲରଙ୍କୁ ୪୦ ଓଭର ବୋଲିଂ କରିବାକୁ ପଡ଼ିଥିଲା। ସେଥିରେ ଅକ୍ଷୟ ୱାଖାରେ (୫.୫-୧-୧୩-୫) ଘାତକ ବୋଲିଂ କରି ୫ ୱିକେଟ୍‌ ସଫଳତା ସାଉଁଟିଥିଲା ବେଳେ ଅଭେଶ ଖାନ୍‌ ୩ ୱିକେଟ୍‌ ନେଇଥିଲେ। ଜୟଦେବ ଉନାଦ୍‌କଟ୍‌ଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ବେଳେ ଆହତ ମୟଙ୍କ ମାର୍କଣ୍ଡେ ବ୍ୟାଟିଂ ପାଇଁ ଆସିୁନଥିଲେ। ତେବେ ଗ୍ରିନ୍‌ ପକ୍ଷରୁ ଏହି ମ୍ୟାଚ୍‌ ଖେଳିଥିବା ଓଡ଼ିଆ ତାରକ ରାଜେଶ ମହାନ୍ତି ୪ ରନ୍‌ରେ ଅପରାଜିତ ଥି‌ଲେ। ଅନ୍ୟମାନଙ୍କ ମଧ୍ୟରେ ସିଦ୍ଦେଶ ଲାଡ୍‌ ୪୨, ଅକ୍ଷତ ରେଡ୍ଡୀ ୩୩ ଓ ଅଧିନାୟକ ଫୈଜ୍‌ ପଜଲ୍‌ ୧୦ ରନ୍‌ କରିଥିଲେ ମଧ୍ୟ ଦଳ ୩୯.୫ ଓଭରରେ ୧୧୯ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

ସମ୍ବନ୍ଧିତ ଖବର