ଭୁବନେଶ୍ବର : ଭାରତ ୨୦ ବର୍ଷରୁ କମ୍ ସାଫ୍ ପ୍ରତିଯୋଗିତାରେ ଟ୍ରଫି ବଜାୟ ରଖିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଘରୋଇ ଦଳ ୫-୨ ଗୋଲ୍ରେ ବାଂଲାଦେଶକୁ ପରାସ୍ତ ଲଗାତାର ଦ୍ବିତୀୟ ଥର ଲାଗି ବିଜେତା ହେବାର ଗୌରବ ଅର୍ଜନ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ତେଣୁ ଫଳାଫଳ ଲାଗି ମ୍ୟାଚ୍ ଅତିରିକ୍ତ ୩୦ ମିନିଟ୍ ଖେଳାଯାଇଥିଲା। ଏଥିରେ ବାଂଲାଦେଶକୁ ଭାରତ ପଛରେ ପକାଇ ମ୍ୟାଚ୍ ଜିତି ନେଇଥିଲା। ଏଥିସହ ବାଂଲାଦେଶଠୁ ଲିଗ୍ ପର୍ଯ୍ୟାୟ ପରାଜୟର ମଧ୍ୟ ମଧୁର ପ୍ରତିଶୋଧ ନେଇଥିଲା।
ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଗୁରକିରଟ ସିଂହଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୪୫ତମ ମିନିଟ୍ରେ ବାଂଲାଦେଶର ରାଜନ ଏହି ଗୋଲ୍ଟି ଶୁଝି ପ୍ରଥମାର୍ଦ୍ଧ ସ୍ଥିତି ୧-୧ କରିଥିଲେ। ସାହିନ (୪୮ ମିନିଟ୍)ଙ୍କ ଗୋଲ୍ରେ ବାଂଲାଦେଶ ଆଗୁଆ ହୋଇଥିଲା। ହେଲେ ୬୦ତମ ମିନିଟ୍ରେ ଗୁରକିରଟ ଏହି ଗୋଲ୍ଟି ଶୁଝି ଦେଇଥିଲେ। ଫଳରେ ନିର୍ଦ୍ଧାରିତ ସମୟ ୨-୨ରେ ଶେଷ ହୋଇଥିଲା। ଅତିରିକ୍ତ ସମୟରେ ହିଂମାଶୁ ଜାଙ୍ଗ୍ରା (୯୨ ମିନିଟ୍) ଗୋଲ୍ ଦେଇ ଭାରତକୁ ଆଗୁଆ କରିଥିଲେ। ଏହାର ଗୋଟିଏ ମିନିଟ୍ ପରେ ଗୁରକିରଟ (୯୩ ମିନିଟ୍) ବ୍ୟକ୍ତିଗତ ହ୍ୟାଟ୍ରିକ ଅର୍ଜନ କରିବା ସହ ସ୍ଥିତି ୪-୨କୁ ଆଣିଥିଲେ। ୯୯ତମ ମିନିଟ୍ରେ ଗୁରକିରଟ ଚତୁର୍ଥ ଗୋଲ୍ ଦେବା ସହ ଭାରତକୁ ୫-୨ରେ ବିଜୟ ଭେଟି ଦେଇଥିଲେ। ମ୍ୟାଚ୍ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।