ଦୁବାଇ: ଭାରତ ସୋମବାର ପ୍ରକାଶିତ ଆଇସିସି ଟେଷ୍ଟ୍‌ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସ (ଡବ୍ଲୁଟିସି) ଅନ୍ତର୍ଗତ ନ୍ୟୁଜିଲାଣ୍ଡ ବିପକ୍ଷ ୨ ମ୍ୟାଚ୍‌ ‌ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତିବା ପରେ ଭାରତ ଏହି ସ୍ଥାନକୁ ଫେରିଛି। କାନପୁରରେ ଖେଳାଯାଇଥିବା ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ଅମୀମାଂସିତ ରହିଥିଲା ଏବଂ ମୁମ୍ବାଇରେ ଦ୍ବିତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌କୁ ଭାରତ ୩୭୨ ରନ୍‌ରେ ଜିତିନେଇଥିଲା।

Advertisment

ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ଭାରତ ୧୨୪ ପଏଣ୍ଟ୍‌ ସହ ଶୀର୍ଷରେ ରହିଥିଲା ବେ‌ଳେ ଏହା ପଛକୁ ନ୍ୟୁଜିଲାଣ୍ଡ (୧୨୧), ଅଷ୍ଟ୍ରେଲିଆ (୧୦୮), ଇଂଲଣ୍ଡ (୧୦୭), ପାକିସ୍ତାନ (୯୨), ଦକ୍ଷିଣ ଆଫ୍ରିକା (୮୮), ଶ୍ରୀଲଙ୍କା (୮୩), ୱେଷ୍ଟ୍‌ଇଣ୍ଡିଜ୍‌ (୭୫), ବାଂଲାଦେଶ (୪୯) ଓ ଜିମ୍ବାୱେ (୩୧) ରହିଛନ୍ତି। ଡବ୍ଲୁଟିସି ଟେବୁଲରେ ଭାରତ ୪୨ ପଏଣ୍ଟ୍‌ ଓ ୫୮.୩୩ ବିଜୟ ପ୍ରତିଶତ ସହ ତୃତୀୟରେ ରହିଛି। ୨ ମ୍ୟାଚ୍‌ ଖେଳି ୨ ବିଜୟ ସହ ଶ୍ରୀଲଙ୍କା (୧୦୦) ଶୀର୍ଷରେ ରହିଥିଲା ବେଳେ ପାକିସ୍ତାନ (୬୬.୬୬) ଦ୍ବିତୀୟ ସ୍ଥାନରେ ରହିଛି।

ସବୁ ଫର୍ମାଟ୍‌ରେ ୫୦ ମ୍ୟାଚ୍ ଜିତିବାରେ କୋହଲି ପ୍ରଥମ

publive-image

ମୁମ୍ବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ସୋମବାର ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। କ୍ରି‌କେଟ୍‌ର ତିନିଟି ଯାକ ଫର୍ମାଟ୍‌ରେ ୫୦ଟି ଲେଖାଏଁ ମ୍ୟାଚ୍ ଜିତିବା‌‌ରେ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି ସେ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌କୁ ଭାରତ ସୋମବାର ୩୭୨ ରନ୍‌ରେ ଜିତିବା ପରେ କୋହଲି ଏହି ବିରାଟ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ବିଜୟ ସହ ଭାରତୀୟ ଦଳ ମଧ୍ୟ ୬ ମାସର ବ୍ୟବଧାନ ପରେ ପୁଣି ଥରେ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ସ୍ଥାନକୁ ଫେରିଛି।

ଭାରତ ବି ଦୁଇ ଟିକିଆ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। ଭାରତର ବୃହତ୍ ବିଜୟ ପରେ ବିସିସିଆଇ ଟ୍ବିଟ୍ କରି କୋହଲିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଥିଲା। ‘‘ବିରାଟ କୋହଲିଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। ପ୍ରତ୍ୟେକ ଫର୍ମାଟ୍‌ରେ ୫୦ ମ୍ୟାଚ୍ ଜିତିବାରେ ପ୍ରଥମ ଖେଳାଳି’’ ବୋଲି ବିସିସିଆଇ ଲେଖିଥିଲା। ୩୩ ବର୍ଷୀୟ କୋହଲି ଏବେ ୫୦ ଟେଷ୍ଟ୍, ୧୫୩ ଦିନିକିଆ ଓ ୫୯ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି।