ଜାକର୍ତ୍ତା (ଇଣ୍ଡୋନେସିଆ): ଆଶା ମୁତାବକ ପ୍ରଦର୍ଶନ କରି ଭାରତୀୟ ଯୁବ ଦଳ ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାରେ ଶକ୍ତିଶାଳୀ ଜାପାନ ନିକଟରୁ ପୁଲ୍ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେଇଗଲା। ପୁଲ୍ ପର୍ଯ୍ୟାୟରେ ଜାପାନ ୫-୨ ଗୋଲ୍ରେ ଭାରତକୁ ପରାସ୍ତ କରିଥିଲା। ହେଲେ ସର୍ଦାର ସିଂହଙ୍କ ପ୍ରଶିକ୍ଷିତ ଏବଂ ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଶନିବାର ସୁପର-୪ ପର୍ଯ୍ୟାୟରେ ନିଜର ପ୍ରଥମ ମ୍ୟାଚ୍ରେ ଜାପାନକୁ ୨-୧ ଗୋଲ୍ରେ ପରାସ୍ତ କରି ପ୍ରତିଶୋଧ ନେଲା। ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତ ପାଇଁ ମନ୍ଜିତ୍ ଏବଂ ପୱନ ରାଜଭର ଗୋଟିଏ ଲେଖାଏଁ ଚମତ୍କାର ଫିଲ୍ଡ ଗୋଲ୍ କରିଥିଲା ବେଳେ ଜାପାନ ପାଇଁ ଏକମାତ୍ର ଗୋଲ୍ଟି ନେୱା ଟାକୁମା କରିଥିଲେ।
ମନ୍ଜିତ୍ ପ୍ରଥମ କ୍ବାର୍ଟରର ସପ୍ତମ ମିନିଟ୍ରେ ହିଁ ଚମତ୍କାର ଗୋଲ୍ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଏହି କ୍ବାର୍ଟରରେ ମଧ୍ୟ ଭାରତ ୧-୦ରେ ଆଗୁଆ ରହିଥିଲା। ପୱନ ରାଜଭରଙ୍କଠୁ ପାଇଥିବା ପାସ୍କୁ ମନ୍ଜିତ ଗୋଲ୍ କରିବାରେ ତ୍ରୁଟି କରିନଥିଲେ। ତେବେ ଦ୍ବିତୀୟ କ୍ବାର୍ଟରରେ ଟାକୁମା (୧୮ ମିନିଟ୍)ଙ୍କ ଗୋଲ୍ ବଳରେ ଜାପାନ ସ୍ଥିତି ୧-୧ କରିଦେଇଥିଲା। କେନ୍ ନାଗାୟୋସିଙ୍କ ପ୍ରୟାସକୁ ଭାରତୀୟ ଗୋଲ୍ରକ୍ଷକ ସୁରଜ କେର୍କେଟା ବଞ୍ଚାଇ ଦେଇଥିଲେ ମଧ୍ୟ ରିବାଉଣ୍ଡକୁ ଟାକୁମା ସଫଳତାର ସହ ଗୋଲ୍ପୋଷ୍ଟକୁ ମାରି ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ସମାନ ୧-୧ ଗୋଲ୍ରେ ବରାବର ରହିଥିଲା। ପ୍ରଥମାର୍ଦ୍ଧ ତଥା ଉଭୟ କ୍ବାର୍ଟରରେ ଜାପାନ ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ ଭାରତ ବାଟ ଛାଡ଼ିନଥିଲା। ଜାପାନ ପ୍ରଥମାର୍ଦ୍ଧରେ ୪ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। ସେଥିରୁ କେବଳ ତୃତୀୟ ସୁଯୋଗରେ ଗୋଲ୍ କରିପାରିଥିଲା। ଫଳରେ ଜାପାନର ଗତିକୁ ରୋକିବାରେ ଭାରତ ସମର୍ଥ ହୋଇଥିଲା। ଏହାପରେ ଦ୍ବିତୀୟାର୍ଦ୍ଧରେ କିନ୍ତୁ ଭାରତ ଚମତ୍କାର ପ୍ରତ୍ୟାବର୍ତନ କରି ଜାପାନକୁ ଚାପରେ ରଖିଥିଲା। ତୃତୀୟ କ୍ବାର୍ଟରରେ ପୱନ କୁମାର (୩୪ ମିନିଟ୍)ଙ୍କ ଗୋଲ୍ ଭାରତର ଆତ୍ମବିଶ୍ବାସ ବଢ଼ାଇ ଦେଇଥିଲା। ଚତୁର୍ଥ କ୍ବାର୍ଟରରେ ସ୍ଥିତି ବରାବର କରିବାକୁ ଜାପାନ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଭାରତ ସୁଯୋଗ ଦେଇନଥିଲା। ଏହି ବିଜୟ ସହ ଭାରତ ମଧ୍ୟ ସୁପର-୪ ପର୍ଯ୍ୟାୟରେ ୩ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ପହଞ୍ଚିଯାଇଛି। ପୂର୍ବତନ ବିଜେତା ଭାରତର ଚମତ୍କାର ବିଜୟରେ ବିଶେଷକରି ପ୍ରଶିକ୍ଷକ ସର୍ଦାର ସିଂହ ଖୁସୀ ଜାହିର କରିଛନ୍ତି। ଯୁବ ଦଳର ଏହା ଏକ ଚମକପ୍ରଦ ବିଜୟ ବୋଲି ସର୍ଦାର ଅଭିହିତ କରିଛନ୍ତି।
ଶନିବାର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ମାଲେସିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ।
ସୁପର-୪ ପର୍ଯ୍ୟାୟରେ ଭାରତ ପରବର୍ତୀ ମ୍ୟାଚ୍ ଆସନ୍ତାକାଲି ମାଲେସିଆ ସହ ଖେଳିବ। ଏହାପରେ ତୃତୀୟ ତଥା ଶେଷ ମ୍ୟାଚ୍ରେ ମଙ୍ଗଳବାର ଦକ୍ଷିଣ କୋରିଆକୁ ଭେଟିବ। ଭାରତ ଯଦି ମାଲେସିଆକୁ ପରାସ୍ତ କରିଦିଏ ତାହାଲେ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବାର ସମ୍ଭାବନା ବଢ଼ିଯିବ। ସୁପର-୪ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ସହ ଥରେ ଲେଖାଏଁ ମୁହାଁମୁହିଁ ହେବେ। ଶ୍ରେଷ୍ଠ ଦୁଇ ଦଳ ହିଁ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବେ।