ଆୟର୍ଲାଣ୍ଡ୍‌ଠୁ ପ୍ରତିଶୋଧ ନେଲା ଭାରତ

ସୁଲ୍‌ତାନ ଆଜ୍‌ଲାନ୍‌ ଶାହ କପ୍‌ ହକି

ଇପୋ (ମାଲେସିଆ): ୨୭ତମ ସୁଲ୍‌ତାନ ଆଜ୍‌ଲାନ୍‌ ଶାହା କପ୍‌ ହକି ପ୍ରତିଯୋଗିତାରେ ବିଜୟ ସହ ଅଭିଯାନ ଶେଷ କଲା ଭାରତ। ଏହି ୬ ଦଳୀୟ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ୫ ମ୍ୟାଚ୍‌ରୁ ଗୋଟିଏ ବିଜୟ, ୩ ପରାଜୟ ଓ ଗୋଟିଏ ଅମୀମାଂସିତ ସହ ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା ଭାରତ। ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ସର୍ଦାର ସିଂହଙ୍କ ନେତୃତ୍ୱାଧୀନ ଭାରତକୁ ୩-୨ ଗୋଲ୍‌ରେ ପରାସ୍ତ କରି ଆୟର୍ଲାଣ୍ଡ୍‌ ଫାଇନାଲ୍‌ ବାଟ ଛାଡ଼ିନଥିଲା। ଏଥି ସହିତ ଆୟର୍ଲାଣ୍ଡ୍‌ ମଧ୍ୟ ପ୍ରତିଯୋଗିତାରେ ଭାରତ ଭଳି ଗୋଟିଏ ବିଜୟ ପାଇଥିଲା। ଫଳରେ ଉଭୟ ଭାରତ ଓ ଆୟର୍ଲାଣ୍ଡ୍‌ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ଖେଳିଥିଲେ। ଶନିବାର ଏହି ମୁକାବିଲାରେ କିନ୍ତୁ ଭାରତ ଗତ ମ୍ୟାଚ୍‌ରେ କରିଥିବା ତ୍ରୁଟି ସୁଧାରି ନେଇଥିଲା। ପୁଣି ୪-୧ ଗୋଲ୍‌ରେ ଆୟର୍ଲାଣ୍ଡ୍‌କୁ ପରାସ୍ତ କରି ପ୍ରତିଶୋଧ ମଧ୍ୟ ନେଇଗଲା। ଆଉ ଏହି ପ୍ରତିଶୋଧପୂର୍ଣ୍ଣ ବିଜୟ ସହ ସମ୍ମାନ ରଖିଥିବା ଭାରତ ପଞ୍ଚମ ଏବଂ ଆୟର୍ଲାଣ୍ଡ୍‌ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କଲେ। ଭାରତ ଲିଗ୍‌ ପର୍ଯ୍ୟାୟରେ ଆର୍ଜେଣ୍ଟିନାଠୁ ୨-୩, ଅଷ୍ଟ୍ରେଲିଆଠୁ ୨-୪ ଏବଂ ଆୟର୍ଲାଣ୍ଡ୍‌ଠୁ ୨-୩ ଗୋଲ୍‌ରେ ହାରିଥିଲା ବେଳେ ମାଲେସିଆକୁ ୫-୧ରେ ହରାଇଥିଲା। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଥିଲା।

ଶନିବାର ମ୍ୟାଚ୍‌ ଆରମ୍ଭରୁ ଭାରତ ଆଧିପତ୍ୟ ଜମାଇଥିଲା। ବରୁଣ କୁମାର ପଞ୍ଚମ ମିନିଟ୍‌ରେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ୩୨ ମିନିଟ୍‌ରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ କରିଥିଲେ। ତାଙ୍କ ବ୍ୟତୀତ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ୨୮ ମିନିଟ୍‌ ଏବଂ ଗୁର୍‌ଜାନ୍ତ୍‌ ସିଂହ ୩୭ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଆୟର୍ଲାଣ୍ଡ୍‌ ପକ୍ଷରୁ ଏକମାତ୍ର ଗୋଲ୍‌ ଜୁଲେନ୍‌ ଡାଲେ ୪୮ ମିନିଟ୍‌ରେ ଦେଇଥିଲେ। ପଞ୍ଚମ ମିନିଟ୍‌ରେ ଭାରତକୁ ଲାଗ ଲାଗ ଦୁଇଟି ପେନାଲ୍‌ଟି କର୍ନର ମିଳିଥିଲା। ପ୍ରଥମଟି ପ୍ରତିପକ୍ଷ ଗୋଲ୍‌ରକ୍ଷକ ଅଟକାଇ ଦେଇଥିଲା ବେଳେ ଦ୍ୱିତୀୟଟିକୁ ବରୁଣ କୁମାର ଗୋଲ୍‌ କରିବାରେ ସମର୍ଥ ହୋଇଥିଲେ। ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ରହିଥିବା ଭାରତ ପାଇଁ ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ସୁନ୍ଦରଗଡ଼ ବାଳକ ଶିଳାନନ୍ଦ ଚମତ୍କାର ଫିଲଡ୍‌ ଗୋଲ୍‌ ଦେଇଥିଲେ। ଅନ୍ୟତମ ଓଡ଼ିଆ ପୁଅ ନୀଲମ୍‌ ସଞ୍ଜିବ୍‌ ଖେସ୍‌ଙ୍କଠୁ ପାଇଥିବା ପାସ୍‌କୁ ଶିଳାନନ୍ଦ ଗୋଲ୍‌ରେ ରୂପାନ୍ତରିତ କରିଥିଲେ। ଫଳରେ ଦ୍ୱିତୀୟ କ୍ୱାର୍ଟର ଶେଷରେ ଭାରତ ୨-୦ର ଅଗ୍ରଣୀ ପାଇଥିଲା। ତୃତୀୟ କ୍ୱାର୍ଟରରେ ବରୁଣ କୁମାର ପୁଣି ଏକ ପେନାଲ୍‌ଟି କର୍ନର ଗୋଲ୍‌ କରିଥିଲା ବେଳେ ଗୁର୍‌ଜାନ୍ତ୍‌ଙ୍କ ଫିଲ୍‌ଡ ଗୋଲ୍‌ ଭାରତକୁ ୪-୦ରେ ଆଗେଇ ନେଇଥିଲା। ସିମ୍ରନ୍‌ଜିତ୍‌ ସିଂହଙ୍କଠୁ ପାଇଥିବା ପାସ୍‌କୁ ତଲ୍‌ଓ୍ଵିନ୍ଦର ସିଂହ ସଠିକ୍‌ ଢଙ୍ଗରେ ଗୁର୍‌ଜାନ୍ତ୍‌ଙ୍କ ପାଖକୁ ପଠାଇ ଦେଇଥିଲେ। ଯାହାକୁ କି ଗୁର୍‌ଜାନ୍ତ୍‌ ଗୋଲ୍‌ କରିବାରେ ତ୍ରୁଟି କରିନଥିଲେ। ତୃତୀୟ କ୍ୱାର୍ଟର ସୁଦ୍ଧା ୦-୪ରେ ପଛୁଆ ରହିଥିବା ଆୟର୍ଲାଣ୍ଡ୍‌ ପକ୍ଷରୁ ଡାଲେ ଶେଷ କ୍ୱାର୍ଟରରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଏହାପରେ ୫୦ ମିନିଟ୍‌ ବେଳକୁ ଭାରତ ଲାଗ ଲାଗ ଦୁଇଟି ପେନାଲ୍‌ଟି କର୍ନର ପାଇଥିଲେ ମଧ୍ୟ ଅଧିକ ଗୋଲ୍‌ କରିପାରିନଥିଲା।

ଆର୍ଜେଣ୍ଟିନାକୁ କାଂସ୍ୟ

ଆୟୋଜକ ମାଲେସିଆକୁ ୩-୨ ଗୋଲ୍‌ରେ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ସ୍ଥାନ ଅକ୍ତିଆର କରିବା ସହ କାଂସ୍ୟ ପଦକ ହାତେଇ ନେଇଛି। ଶନିବାର ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ଅଗ୍ରଣୀ ରହିବା ସତ୍ତ୍ୱେ ମଧ୍ୟାନ୍ତର ବେଳକୁ ମାଲେସିଆ ସ୍ଥିତି ୨-୨ କରିଦେଇଥିଲା। ଶେଷରେ ଆର୍ଜେଣ୍ଟିନା ଆଉ ଗୋଲ୍‌ ସୁଯୋଗ ନଦେଇ ମାଲେସିଆକୁ ପରାଜୟ ପାଇଁ ବାଧ୍ୟ କରିଥିଲା।

ସମ୍ବନ୍ଧିତ ଖବର