ହାମିଲଟନ୍: ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାର ତୌରଙ୍ଗା ଚରଣରେ ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲ୍ଜିୟମ୍ ନିକଟରୁ ଗ୍ରୁପ୍ ପର୍ଯ୍ୟାୟ ସାଙ୍ଗକୁ ଫାଇନାଲ୍ରେ ହାରିଯାଇଥିବା ଭାରତୀୟ ଦଳ ହାମିଲଟନ୍ ଚରଣରେ ମଧୁର ପ୍ରତିଶୋଧ ନେଇଛି। ତୌରଙ୍ଗା ଚରଣରେ ବେଲ୍ଜିୟମ୍ ଗ୍ରୁପ୍ ମ୍ୟାଚ୍ରେ ୨-୦ ଏବଂ ଫାଇନାଲ୍ରେ ୨-୧ ଗୋଲ୍ରେ ଭାରତକୁ ପରାସ୍ତ କରିଥିଲା। ତେବେ ହାମିଲଟନ୍ ଚରଣରେ ଭାରତ ପ୍ରତିଶୋଧ ନେଇଯାଇଛି। ଏହି ଚରଣର ବୁଧବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ନ୍ୟୁଜିଲାଣ୍ଡ୍କୁ ୩-୨ ଗୋଲ୍ରେ ପରାସ୍ତ କରିଥିବା ଭାରତ ଗୁରୁବାର ଦ୍ୱିତୀୟ ମ୍ୟାଚ୍ରେ ବିଶ୍ୱ ମାନ୍ୟତାର ତୃତୀୟ ବେଲ୍ଜିୟମ୍କୁ ୫-୪ ଗୋଲ୍ରେ ପରାସ୍ତ କରିଦେଇଛି। ଏଥି ସହିତ ଭାରତ ଏହି ଚରଣର ଫାଇନାଲ୍ରେ ମଧ୍ୟ ସ୍ଥାନ ପକ୍କା କରିନେଇଛି। ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ୍ରେ ଭାରତ ୨୭ ତାରିଖ ଦିନ ଜାପାନକୁ ଭେଟିବ।
ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଡ୍ରାଗ୍ ଫ୍ଲିକ୍ ବିଶେଷଜ୍ଞ ରୂପୀନ୍ଦର ପାଲ୍ ସିଂହ (୪ ଓ ୪୨ ମିନିଟ୍) ଦୁଇଟି ଗୋଲ୍ କରିଥିଲା ବେଳେ ହର୍ମନ୍ପ୍ରୀତ୍ ସିଂହ (୪୬ ମିନିଟ୍), ଲଲିତ ଉପାଧ୍ୟାୟ (୫୩ ମିନିଟ୍) ଓ ଦିଲ୍ପ୍ରୀତ୍ ସିଂହ (୫୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ି ଭାରତକୁ ପ୍ରତିଶୋଧପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ବେଲ୍ଜିୟମ୍ ପକ୍ଷରୁ ଜନ୍ ଜନ୍ ଡୋମେନ୍ (୧୭ ମିନିଟ୍), ଫେଲିକ୍ସ ଡେନାୟେର (୩୭ ମିନିଟ୍), ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ (୪୫ ମିନିଟ୍) ଓ ଟମ୍ ବୁନ୍ (୫୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲା। ବିଶେଷକରି ୫୬ ମିନିଟ୍ ସୁଦ୍ଧା ସ୍ଥିତି ୪-୪ ରହିଥିଲା ବେଳେ ଦିଲ୍ପ୍ରୀତ୍ ହିଁ ୫୯ ମିନିଟ୍ରେ ଗୋଲ୍ କରି ଭାରତ ବିଜୟର କର୍ଣ୍ଣଧାର ସାଜିଥିଲେ।
ବେଲ୍ଜିୟମ୍ଠୁ ପ୍ରତିଶୋଧ ନେଲା ଭାରତ
ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି
/sambad/media/post_attachments/wp-content/uploads/2017/12/hockey-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)