ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଦକ୍ଷିଣ ଆଫ୍ରିକା

ପ୍ରଥମ ଥର ଗୋଟିଏ ବର୍ଷ ଓ ଗୋଟିଏ ସ୍ଥାନରେ ଉଭୟ ପୁରୁଷ, ମହିଳା ଲଢ଼େଇ

ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପରବର୍ତୀ ସଂସ୍କରଣ ଆସନ୍ତାବର୍ଷ ଆୟୋଜିତ ହେବ। ପ୍ରଥମ ଥର ଲାଗି ଗୋଟିଏ ବର୍ଷ ଏବଂ ଗୋଟିଏ ଦେଶରେ ଉଭୟ ପୁରୁଷ ଓ ମହିଳା ଟ୍ବେଣ୍ଟି-୨୦ ବିଶ୍ବ କପ୍‌ ଲଢ଼େଇ ଦେଖିବାକୁ ମିଳିବ। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ଅନ୍ତର୍ଜାତୀୟ ମହିଳା ଦିବସ ଅର୍ଥାତ୍ ମାର୍ଚ ୮ରେ ଶେଷ ‌ହେବ। ଅନ୍ୟପକ୍ଷରେ ପୁରୁଷଙ୍କ ମହାମୁକାବିଲା ଅକ୍ଟୋବର ୧୮ରୁ ଉଦଘାଟିତ ହୋଇ ନଭେମ୍ବର ୧୫ରେ ଶେଷ ହେବ। ଉଭୟ ବିଶ୍ବକପ୍ ଅଷ୍ଟ୍ରେଲିଆର ୮ ସହରର ୧୩ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ପୁରୁଷ ଦଳ ଅକ୍ଟୋବର ୨୪ରେ ପର୍ଥଠା‌ରେ ତା’ର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ମହିଳା ଦଳ ଉଦଘାଟନୀ ମ୍ୟାଚ୍‌ରେ ‌ଫେବ୍ରୁଆରି ୨୧ରେ ଆୟୋଜକ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ।
ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଗ୍ରୁପ୍-ବିରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ଡ୍ର’କୁ ଆସିବାକୁଥିବା ଏକ ଦଳ ସ୍ଥାନ ପାଇଛି। ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ନାହିଁ। ପୂର୍ବ ବିଜେତା ପାକିସ୍ତାନ ଏକ ଯୋଗ୍ୟତା ପର୍ଯ୍ୟାୟ ଦଳ ଏବଂ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲାଣ୍ଡ ସହ ଗ୍ରୁପ୍-ଏରେ ସ୍ଥାନ ପାଇଛି। ଏହି ପ୍ରତିଯୋଗିତା ଲାଗି ଆଇସିସି ମାନ୍ୟତାର ଶୀର୍ଷ ୮ ସ୍ଥାନରେ ଥିବା ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ନବମ ଓ ଦଶମ ସ୍ଥାନରେ ଥିବା ଶ୍ରୀଲଙ୍କା ଓ ବାଂଲାଦେଶ ଅନ୍ୟ ୬ ଦଳ ସହ ଗିଲଙ୍ଗ ଓ ହୋବର୍ଟରେ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ। ଏହାର ଶୀର୍ଷ ଚାରି ଦଳ ମୁଖ୍ୟ ଡ୍ର’ ଖେଳିବାର ସୁଯୋଗ ପାଇବେ। ସୁପର ୧୨ ପର୍ଯ୍ୟାୟ ପର୍ଥ, ବ୍ରିସବନ୍, ହୋବର୍ଟ ଓ ମେଲବର୍ନରେ ଖେଳା ଯିବା ପରେ ସିଡ୍‌ନି କ୍ରିକେଟ୍ ପଡ଼ିଆ ଓ ଆଡିଲେଡ୍ ଓଭାଲଠାରେ ନଭେମ୍ବର ୧୧ ଓ ୧୨ରେ ସେମିଫାଇନାଲ୍ ଆୟୋଜନ କରିବେ। ଫାଇନାଲ୍ ନଭେମ୍ବର ୧୫ରେ ମେଲବର୍ନ କ୍ରିକେଟ୍ ପଡ଼ିଆରେ ଖେଳାଯିବ। ମହିଳା ବିଶ୍ବକପ୍‌ରେ ଭାରତ ଗତ ଥର ବିଜେତା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିବା ଦଳ ସହ ପୁଲ୍-ଏରେ ସ୍ଥାନ ପାଇଛି। ଭାରତ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ସେହିଭଳି ଫେବ୍ରୁଆରି ୨୪ରେ ପର୍ଥରେ ଯୋଗ୍ୟତା ପର୍ଯ୍ୟାୟ ଦଳକୁ ‌ଭେଟିବ। ତୃତୀୟ ଓ ଚତୁର୍ଥ ମୁକାବିଲା ୨୭ ଓ ୨୯ରେ ମେଲବର୍ନରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ମହିଳା ବିଶ୍ବକପ୍‌ର ଉଭୟ ସେମିଫାଇନାଲ୍ ସିଡ୍‌ନିରେ ଖେଳାଯିବା ପରେ ଫାଇନାଲ୍ ମେଲବର୍ନରେ ଆୟୋଜିତ ‌ହେବ।

କୋହଲି ଅସାଧାରଣ ଖେଳାଳି: କରନ୍‌

ଲଣ୍ଡନ,: ଇଂଲଣ୍ଡର ଯୁବ ବୋଲର ଟମ୍ କରନ୍‌ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଜଣେ ଅସାଧାରଣ ଖେଳାଳିର ଆଖ୍ୟା ଦେଇଛନ୍ତି। ସେହିଭଳି ଭବିଷ୍ୟତରେ ଦିନେ ନା ଦିନେ କୋହଲିଙ୍କୁ ଆଉଟ୍ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୂଚୀ ପ୍ରକାଶ ଉପରେ ପ୍ରତିକ୍ରିୟା ରଖିବାକୁ ଯାଇ ୨୩ ବର୍ଷୀୟ କରନ୍‌ କହିଥିଲେ, ବିଶ୍ବକପ୍‌ର ସବୁ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ। ବହୁ ଦର୍ଶକ ଷ୍ଟାଡିୟମକୁ ଆସିବେ। ଅଷ୍ଟ୍ରେଲିଆରେ ଖେଳିବାକୁ ମୁଁ ଚାହିଁ ବସିଛି। ୫୦ ଓଭର ବିଶ୍ବକପ୍ ବେଳେ ଅଷ୍ଟ୍ରେଲିଆ ଦର୍ଶକ କେତେ ଉଲ୍ଲସିତ ଥିଲେ ଆମେ ଦେଖି ସାରିଛେ। ସୂଚନାଯୋଗ୍ୟ ଯେ ୨୦୨୦ ମସିହା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ‌ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ, ଭାରତ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ସହ ଗ୍ରୁପ୍‌-ବିରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର