ବର୍ଷା ବିଗାଡ଼ିଦେଲା : ୫ମ ଟି-୨୦ ବାତିଲ, ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ

ବେଙ୍ଗାଲୁରୁ : ସିରିଜ ୨-୨ ସ୍ତରରେ ଥିଲା । ରବିବାର ଖେଳାଯାଉଥିବା ୫ମ ଟି-୨୦ ମ୍ୟାଚର ଫଳାଫଳ ସିରିଜ ବିଜେତା ପ୍ରଦାନ କରିଥାନ୍ତି । କିନ୍ତୁ ବର୍ଷା ସବୁ ବିଗାଡ଼ିଦେଲା । ପ୍ରବଳ ଯୋଗୁଁ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରିବାକୁ ମ୍ୟାଚ ରେଫରୀ ଘୋଷଣା କରିଛନ୍ତି ।

ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଟସ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ପରେ ବର୍ଷା ଛାଡ଼ିବା ପରେ ସଂଧ୍ୟା ୭ଟା ୫୦ରେ ମ୍ୟାଚ ଆରମ୍ଭ ହୋଇଥିଲା । ତେବେ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୩.୩ ଓଭରେ ୨ ଓ୍ବିକେଟ ହରାଇ ୨୮ ରନ କରିଥିଲା । ଏହି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ବହୁ ସମୟ ଧରି ବର୍ଷା ଲାଗି ରହିବାରୁ ଓ ପଡ଼ିଆରେ ପାଣି ଜମିରହିଥିବାରୁ ମ୍ୟାଚ ରେଫରି ଜଭଗଲ ଶ୍ରୀନାଥ ମ୍ୟାଚକୁ ବାତିଲ ଘୋଷଣା କରିଥିଲେ ।

ପ୍ରଥମ ୪ଟି ମ୍ୟାଚରେ ଦୁଇଦଳ ୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିଲେ ଓ ସିରିଜ ୨-୨ରେ ବରାବର ରହିଥିଲା । ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରିଥିବାବେଳେ ୩ୟ ଓ ୪ର୍ଥ ମ୍ୟାଚରେ ଭାରତ ଜିତିଥିଲା । କିନ୍ତୁ ବର୍ଷା ଯୋଗୁଁ ସିରିଜ ଅମିମାଂସିତଭାବେ ହିଁ ଶେଷ ହୋଇଗଲା ।

ସମ୍ବନ୍ଧିତ ଖବର