୨ୟ ଦିନିକିଆ : ଅଷ୍ଟ୍ରେଲିଆକୁ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ, ସର୍ବାଧିକ ୯୬ ରନ୍‌ ଯୋଡ଼ିଲେ ଶିଖର ଧାଓ୍ଵନ, ରାହୁଲଙ୍କ ବି‌ସ୍ଫୋରକ ୮୦ ରନ୍‌

ରାଜକୋଟ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ ଆଜି ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି।  ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୩୪୦ ରନ୍‌ କରିବା ପରେ ଅତିଥି ଟିମ୍‌କୁ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତୀୟ ଦଳର ଓପନର ଶିଖର ଧାଓ୍ଵନ୍‌ ବିସ୍ଫୋରକ ବ୍ୟାଟିଂ କରି ସର୍ବାଧିକ ୯୬ ରନ୍‌ କରିଥିଲା ବେଳେ ଲୋକେଶ ରାହୁଲ ୮୦ ରନ୍‌ କରିଛନ୍ତି।

ମୁମ୍ବାଇରେ ଖେଳାଯାଇଥିବା ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ ତୁଳନାରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଭଲ ରହିଥିଲା । ୧୩.୩ ଓଭରରେ ଭାରତର ସ୍କୋର ୮୧ ରନ୍‌ ଥିବା ବେଳେ ପ୍ରଥମ ଓ୍ଵିକେଟ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା। ଅଷ୍ଟ୍ରେଲୀୟ ବୋଲର ଆଦାମ ଜାମ୍ପାଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିବା ପୂର୍ବରୁ ଓପନର ରୋହିତ ଶର୍ମା  ୪୨ ରନ୍‌ କରିଥିଲେ। ସେ  ୪୪ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ରୋହିତ ପଡ଼ିଆରୁ ବିଦାୟ ନେବା ପରେ ତାଙ୍କର ସ୍ଥାନ ପୂରଣ କରିଥିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି।ତେବେ ଶିଖର ଧାଓ୍ଵନଙ୍କ ବ୍ୟାଟରୁ ବେଶ୍  ଆକର୍ଷଣୀୟ  ଖେଳ ଦେଖିବାକୁ ମିଳିଥିଲା । ଧାଓ୍ଵନ ୯୦ ଟି ବଲ ଖେଳି ୧୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୯୬ ରନ୍‌ କରିଥିଲେ। ଶତକ ପାଇଁ ଆଗ୍ରସର ହେଉଥିବା ବେଳେ ଆଦାମ ଜାମ୍ପାଙ୍କ ବଲ ମିଚେଲ ଷ୍ଟାକର୍ସଙ୍କୁ କ୍ୟାଚ୍‌ ଦେଇ ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଶିକାର ହୋଇଥିଲେ।

Photo: Hindustan Times

ଭାରତ ୨୮.୪ ଓଭରରେ ଦ୍ୱିତୀୟ ଓ୍ଵିକେଟ୍‌ ହରାଇବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ଯୁବ ବ୍ୟାଟସ୍‌ମ୍ୟାନ ଶ୍ରେୟସ ଆୟର। ମାତ୍ର ଆୟର କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନଥିଲେ। ଆଦାମ ଜାମ୍ପାଙ୍କ ଦ୍ୱାରା ବୋଲ୍ଡ ହୋଇ ପଡ଼ିଆରୁ ବିଦାୟ ନେଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୧୭ଟି ବଲ ଖେଳି ଦଳ ପାଇଁ ୭ ରନ୍‌ ଯୋଡ଼ିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା। ୪୩.୧ ଓଭରରେ ଦଳୀୟ ସ୍କୋର ୨୭୬ ରନ୍‌ ଥିବା ବେଳେ ଭାରତ ୪ର୍ଥ ଓ୍ଵିକେଟ ଭାବେ ବିରାଟ କୋହଲିଙ୍କୁ ହରାଇ ଥିଲା। କୋହଲି ମଧ୍ୟ ଦର୍ଶକଙ୍କୁ ଖୁସି କଲା ଭଳି ବ୍ୟାଟିଂ କରିଥିଲେ। ସେ ୭୬ଟି ବଲ ଖେଳି ୭୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା।

ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ଲୋକେଶ ରାହୁଲଙ୍କୁ ମଧ୍ୟ ଆଜି ଉଗ୍ର ରୂପରେ ଦେଖିବାକୁ ମିଳିଥିଲା। ସେ ୫୨ଟି ବଲ ଖେଳି ୮୦ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଓ ୩ଟି ଚୌକା ସାମିଲ ଥିଲା। ଆଲେକ୍ସ କ୍ୟାରିଙ୍କ ଦ୍ୱାରା ଲୋକେଶ ରାହୁଲ ରନ୍‌ ଆଉଟ୍‌ ହୋଇଥିଲେ। ଭାରତ ୨୮୦ ରନ୍‌ରେ ୫ମ ଓ୍ଵିକେଟ୍‌ (ମନୀଷ ପାଣ୍ଡେ) ଓ ୩୩୮ ରନ୍‌ରେ ୬ଷ୍ଠ ଓ୍ଵିକେଟ (ଲୋକେଶ ରାହୁଲ) ହରାଇଥିଲା। ରବୀନ୍ଦ୍ର ଜାଜେଦା ଅପରାଜିତ ୨୦ ରନ୍‌ ଓ ମହମ୍ମଦ ସାମି ଅପରାଜିତ ୧ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଆଦାମ ଜାମ୍ପା ୩ଟି ଓ୍ଵିକେଟ ନେଇଥିବା ବେଳେ କେନ୍‌ ରିଚାର୍ଟସନ୍‌ ୨ଟି ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର