ଡାମ୍ବୁଲା: ଚଳିତ ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଭାରତ ଦ୍ବିତୀୟ ବିଜୟ ସହ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇଥିବା ଭାରତ ‌ରବିବାର ୟୁଏଇକୁ ୭୮ ରନ୍‌ରେ ମାତ୍‌ ଦେଇଛି। ଟସ୍‌ ହାରି ବ୍ୟାଟିଂ କରିଥିବା ଭାରତ ଅଧିନାୟିକା ହର୍ମନପ୍ରୀତ କୌର (୬୬, ୪୭ ବଲ୍‌, ୭ ଚୌକା, ୧ ଛକା) ଏବଂ ରିଚା ଘୋଷ (୬୪*, ୨୯ ବଲ୍‌, ୧୨ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ଆରମ୍ଭରୁ ଭଲ ଆରମ୍ଭ କରିଥିବା ଭାରତ ୨୩ ରନ୍‌ରେ ସ୍ମୃତି ମନ୍ଧାନା (୧୩)ଙ୍କୁ ହରାଇଥିଲା।

Advertisment

ଏହାପରେ ଶେଫାଳି ବର୍ମା (୩୭, ୧୮ ବଲ୍‌, ୫ ଚୌକା, ୧ ଛକା) ଆଉଟ୍‌‌ ହୋଇଥିଲେ ମଧ୍ୟ ଦଳୀୟ ସ୍କୋର୍‌ ୫ ଓଭରରେ ୫୨ରେ ପହଞ୍ଚି ଯାଇଥିଲା। ‌ଶେଫାଳିଙ୍କ ପରେ ହେମଲତା ଦୟାଲାନ (୨) ଆଉଟ୍‌ ହେବାରୁ ଦଳ ୫୨/୩ରେ ସଂଘର୍ଷ କରିଥିଲା। ଜେମିମା ରଡ୍ରିଗୁଏଜ (୧୪) ଓ ହର୍ମନପ୍ରୀତ ଚତୁର୍ଥ ୱିକେଟ୍‌ରେ ୫୪ ରନ୍‌ର ଭାଗୀଦାରି ଗଢ଼ି ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ହର୍ମନପ୍ରୀତ ଓ ରିଚା ‌ପଞ୍ଚମ ୱିକେଟ୍‌ରେ ୭୫ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୧୮୧ରେ ପହଞ୍ଚିଥିଲା। ଶେ‌ଷ ଓଭରର ପ୍ରଥମ ବଲ୍‌ରେ ହର୍ମନପ୍ରୀତ ଆଉଟ ହୋଇଥିଲେ। ଶେଷ ୫ ବଲ୍‌ରେ ରିଚା ୨୦ ରନ୍‌ ଆଦୟ କରି ପ୍ରଥମ ଥର ଲାଗି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଭାରତର ସ୍କୋର୍‌କୁ ୨୦୦ ପାର୍‌ କରାଇଥିଲେ। ଜବାବରେ ୟୁଏଇ ୭ ୱିକେଟ୍‌ ହରାଇ ୧୨୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ରିଚା ଘୋଷ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଭାରତ ୨୦ ଓଭରରେ ୨୦୧/୫ (ହର୍ମନପ୍ରୀତ କୌର ୬୬, ରିଚା ଘୋଷ ୬୪*, ଶେଫାଳି ବର୍ମା ୩୭, କବିଶା ଗୋଡ଼ାଜେ ୨/୩୬)। ୟୁଏଇ ୨୦ ଓଭରରେ ୧୨୩/୭ (କାଭିଶା ଓସା ୪୦*, ଈଶା ଓଜା ୩୮, ଦୀପ୍ତି ଶର୍ମା ୨/୨୩, ତନୁଜା କନୱାର ୧/୧୪)।