ଭାରତର ୨-୦ ଶୃଙ୍ଖଳା ବିଜୟ

ଜାମାଇକା: କିଙ୍ଗଷ୍ଟନ୍‌ ଟେଷ୍ଟ୍‌କୁ ସୋମବାର ଭାରତ ୨୫୭ ରନ୍‌ରେ ଜିତିବା ସହିତ ୨-୦ରେ ମୂଳପୋଛ ଭାବେ ଶୃଙ୍ଖଳା ବିଜୟ ସଫଳତା ହାସଲ କରିଛି। ଟ୍ବେଣ୍ଟି-୨୦, ଦିନିକିଆ ପରେ ଟେଷ୍ଟ୍ ଶୃଙ୍ଖଳାକୁ ଜିତି ହ୍ୟାଟ୍ରିକ୍ ସଫଳତା ହାସଲ କରିଛି ବିରାଟ କୋହଲି ଦଳ। କୋହଲି ରବିବାର ରାତିରେ ଘରୋଇ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୪୬୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହାକୁ ପିଛା କରି ସୋମବାର ଚତୁର୍ଥ ଦିନ ଚା’ପାନ ପୂର୍ବରୁ ୱେଷ୍ଟ୍‌ଇଣ୍ଡିଜ୍‌ ୨୧୦ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ବିହାରୀ (୧୧୧, ୫୩*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

୪୬୮ ରନ୍‌ ବିଜୟ ଲକ୍ଷ୍ୟରେ ଖେଳିଥିବା ଇଣ୍ଡିଜ୍‌କୁ ରବିବାର ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ପ୍ରଥମ ଦୁଇ ଝଟ୍‌କା ଦେଇଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍ (୩)ଙ୍କୁ ଈଶାନ୍ତ ଏବଂ ଜନ୍ କ୍ୟାମ୍ପ୍‌ବେଲ୍‌ (୧୬)ଙ୍କୁ ସାମି ଆଉଟ୍ କରିଥିଲେ। ଫଳରେ ତୃତୀୟ ଦିନ‌ ଖେଳ ଶେଷ ସୁଦ୍ଧା ୪୫/୨ରେ ପହଞ୍ଚିଥିଲା ଇଣ୍ଡିଜ୍। ‌ସୋମବାର ଡାରେନ୍ ବ୍ରାଭୋ ଏବଂ ସାମରା ବ୍ରୁକ୍ସ ଭାରତୀୟ ବୋଲରଙ୍କୁ ସକାଳୁଆ ସଫଳତା ‌ଦେଇନଥିଲେ। ବ୍ରାଭୋ ରିଟାର୍ଡ ‌ହର୍ଟ ହେବା ପରେ ବ୍ରୁକ୍ସଙ୍କ ସହିତ ରସ୍ତନ୍ ଚେଜ୍‌ ଯୋଗ ଦେଇ ଭାରତକୁ ଆଜି ସକାଳେ ନିରାଶ କରିଥିଲେ। କିନ୍ତୁ ରବୀନ୍ଦ୍ର ଜାଦେଜା ୨୮ତମ ଓଭରରେ ଚେଜ୍‌ (୧୨)ଙ୍କୁ ଏଲ୍‌ବିଡବୁଲ୍ୟ କରି ଦେବାର ୫ ବଲ୍ ପରେ ଈଶାନ୍ତ ସିମରନ୍ ହେଟମେୟରଙ୍କୁ ଅଗ୍ରୱାଲଙ୍କ ହାତରେ କ୍ୟାଚ୍‌ କରାଇ ଇଣ୍ଡିଜ୍‌କୁ ଯୁଗଳ ଝଟ୍‌କା ଦେଇଥିଲେ। ଏହା ପରେ କିନ୍ତୁ ବ୍ରୁକ୍ସ (୫୦, ୧୧୯ ବଲ, ୯ ଚୌକା) ଏବଂ ଜର୍ମାଇନ୍ ବ୍ଲାକଉଡ୍‌ (୩୮, ୭୨ ବଲ, ୪ ଚୌକା, ୧ ଛକା) ସାମୟିକ ଲଢ଼ିଥିଲେ। ରବୀନ୍ଦ୍ର ଜାଦେଜା, ସହମ୍ମଦ ସାମି ୱିକେଟ୍ ବାଣ୍ଟି ନେଇ ଇଣ୍ଡିଜକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ସାମି ଏବଂ ଜାଦେଜା ସର୍ବାଧିକ ୩-୩ ୱିକେଟ୍ ନେଇଥିଲେ।

ପ୍ରଥମ ପାଳିରେ ୨୯୯ ରନ୍ ଆଗୁଆ ହୋଇଥିବା ଭାରତ ରବିବାର ଅଜିଙ୍କ୍ୟ ରାହାଣେ (୬୪*, ୧୦୯ ବଲ, ୮ ଚୌକା, ୧ ଛକା) ଏବଂ ହନୁମା ବିହାରୀ (୫୩*, ୭୬ ବଲ, ୮ ଚୌକା)ଙ୍କ ଶତକୀୟ ଭାଗୀଦାରି (୧୧୧*) ବଳରେ ୧୬୮/୪ରେ ଦ୍ବିତୀୟ ପାଳି ଘୋଷଣା କରିଥିଲା। ପୂର୍ବରୁ ପ୍ରଥମ ପାଳିରେ ଭାରତର ୪୧୬ ଜବାବରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ୧୧୭ ରନ୍‌ କରିଥିଲା। ବଡ଼ ଅଗ୍ରଣୀ ସତ୍ତ୍ବେ ଫଲୋଅନ୍ ନଡାକିବାରେ ଭାରତ ତୃତୀୟ ସର୍ବାଧିକ ସ୍କୋର୍ ପାଇଥିଲା। ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ୩୧୯, ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୩୦୯ ରନ୍ ଅଗ୍ରଣୀ ଥିଲେ ମଧ୍ୟ ଫଲୋଅନ୍ ଡ଼ାକି ନଥିଲା।

ଏଥି ସହିତ ଭାରତୀୟ କ୍ରିକେଟ୍ ଇତିିହାସରେ ବିରାଟ କୋହଲି ସଫଳତମ ଅଧିନାୟକ ବିବେଚିତ ହୋଇଛନ୍ତି। ମହେନ୍ଦ୍ର ସିଂହ ଅଧିନାୟକ (୬୦ ଟେଷ୍ଟ, ୨୭ ବିଜୟ)ଙ୍କୁ କୋହଲି (୪୮ ଟେଷ୍ଟ୍‌, ୨୮ ବିଜୟ) ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ପ୍ରତିଟି ୱେଷ୍ଟଇଣ୍ଡିଜ୍ ଗସ୍ତ ସ୍ମରଣୀୟ ରହିଛି। ୨୦୧୧ରେ ଏହି ଦେଶରେ ପଦାର୍ପଣ କରିଥିବା କୋହଲି ୨୦୧୬ରେ ଦ୍ବିତଶତକ ହାସଲ କରିଥ‌ିଲେ। ଏବେ ସଫଳତମ ଭାରତୀୟ ଅଧିନାୟକ ହୋଇଛନ୍ତି। ଇଣ୍ଡିଜ୍ ବିପକ୍ଷରେ ଭାରତ ମଧ୍ୟ ଲଗାତାର ଅଷ୍ଟମ ଶୃଙ୍ଖଳା ବିଜୟ ହାସଲ କରିଛି।

ସମ୍ବନ୍ଧିତ ଖବର