ବ୍ରିଷ୍ଟଲ୍: ଇଂଲଣ୍ଡ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ରବିବାର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ମ୍ୟାଚ୍ରେ ହାର୍ଦିକ ପାଣ୍ଡ୍ୟା (୪-୦-୩୮-୪) ଏବଂ ରୋହିତ ଶର୍ମା (୧୦୦*, ୫୬ ବଲ୍, ୧୧ ଚୌକା, ୫ ଛକା)ଙ୍କ ପ୍ରଦର୍ଶନ ବଳରେ ଭାରତ ୭ ଓ୍ଵିକେଟ୍ରେ ଘରୋଇ ଇଂଲଣ୍ଡକୁ ହରାଇ ଦେଇଥିଲା। ଭାରତର ଏହା ଲଗାତାର ଷଷ୍ଠ ଶୃଙ୍ଖଳା ବିଜୟ। ରୋହିତ ଶର୍ମା ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଦ୍ୱିମୁକଟ ଅର୍ଜନ କରିଥିଲେ।
ରବିବାର ବିରାଟ କୋହଲି ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ି ଜାସନ୍ ରୟ ଏବଂ ଜୋସ୍ ବଟଲର୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଜାସନ୍ ରୟ ୨୩ ବଲ୍ରୁ ଅର୍ଧଶତକ ହାସଲ କରି ଇଂଲଣ୍ଡକୁ ଉଡ଼ନ୍ତା ଆରମ୍ଭ ଦେଇଥିଲେ। ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଦ୍ରୁତ ବୋଲର୍ ଦୀପକ ଚହର ପାଳିର ପ୍ରଥମ ଓଭର ବୋଲିଂ କରି ୧୩ ରନ୍ ଦେଇ ନିରାଶ ହୋଇଥିଲେ। ପାଓ୍ଵାର୍ ପ୍ଲେ’ର ଶେଷ ଓଭର (ଷଷ୍ଠ) ବୋଲିଂ କରିଥିବା ହାର୍ଦିକ ପାଣ୍ଡ୍ୟା (୪,୪,୬,୬,୧,୧) ୨୨ରନ୍ ବ୍ୟୟ କରିଥିଲେ ମଧ୍ୟ ନିଜର ଦ୍ୱିତୀୟ ଓଭରରେ ମାତ୍ର ୨ ରନ୍ ଦେଇ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। ଏଥିରେ ଉତ୍ସାହିତ ହୋଇ ଶେଷକୁ ପାଳିର ସଫଳତମ ବୋଲର ହୋଇଥିଲେ ହାର୍ଦିକ (୪-୦-୩୮-୪)। ଦ୍ୱିତୀୟ ସ୍ପେଲ୍ର ୩ ଓଭରରେ ସେ ୧୬ ରନ୍ ଦେଇ ନେଇଥିଲେ ଇଂଲଣ୍ଡର ୪ ପ୍ରମୁଖ ବ୍ୟାଟସମ୍ୟାନ୍ ଇଅନ୍ ମୋର୍ଗାନ୍ (୬), ଆଲେକ୍ସ ହେଲ୍ସ (୩୦, ୨୪ ବଲ୍, ୩ ଚୌକା, ୨ ଛକା), ବେନ୍ ଷ୍ଟୋକ୍ସ (୧୪, ୧୦ ବଲ୍, ୨ ଚୌକା) ଏବଂ ଜନି ବେୟାରଷ୍ଟୋ (୨୫, ୧୪ ବଲ୍, ୨ ଚୌକା, ୨ ଛକା)ଙ୍କ ଓ୍ଵିକେଟ୍। ଏହା ପୂର୍ବରୁ ସିଦ୍ଧାର୍ଥ କଉଲ୍ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଜୋସ୍ ବଟଲର୍ (୩୪, ୨୧ ବଲ୍, ୭ଚୌକା)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜାସନ୍ ରୟ (୬୭, ୩୧ ବଲ୍, ୪ ଚୌକା, ୭ ଛକା)ଙ୍କୁ ନିଜ ପ୍ରଥମ ଅର୍ନ୍ତଜାତୀୟ ଓ୍ଵିକେଟ୍ ବନାଇ ପ୍ରାରମ୍ଭିକ ଧୂଲେଇର ମଧୁର ପ୍ରତିଶୋଧ ନେଇଥିଲେ। ପ୍ରଥମରୁ ୧୦ ରନ୍ ହାରରେ ରନ୍ ସଂଗ୍ରହ କରୁଥିବା ଇଂଲଣ୍ଡ କିନ୍ତୁ ହାର୍ଦିକ ପାଣ୍ଡ୍ୟାଙ୍କ ଓ୍ଵିକେଟ୍ ଦଖଲ କ୍ଷମତା ଆଗରେ ଆତ୍ମସମର୍ପଣ କରିବାରୁ ଶେଷ ୭ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୮/୯ରେ ସୀମିତ ରହିଥିଲା।
ଜବାବରେ ଶିଖର ଧାଓ୍ଵନ (୫) ଏବଂ ଲୋକେଶ ରାହୁଲ (୧୯, ୧୦ ବଲ୍) ପାଓ୍ଵାର ପ୍ଲେ ଭିତରେ ଆଉଟ୍ ହୋଇଯାଇଥିଲେ ମଧ୍ୟ ଭାରତ ପାଇଁ ଏକା ରୋହିତ ଶର୍ମା ଯଥେଷ୍ଟ ହେବା ଭଳି ଅନୁଭବ ଦେଇଥିଲେ। ଅଧିନାୟକ ବିରାଟ କୋହଲି (୪୩, ୨୯ ବଲ୍, ୨ ଚୌକା, ୨ ଛକା)ଙ୍କ ସହ ମିଶି ସେ ତୃତୀୟ ଓ୍ଵିକେଟ୍ ଭାଗୀଦାରିରେ ୯.୩ ଓଭରରେ ୮୯ ରନ୍ ଯୋଡ଼ି ଭାରତ ସୁଯୋଗକୁ କାଏମ ରଖିଥିଲେ।
ରୋହିତ ନିଜର ପ୍ରଥମ ୫୦ ରନ୍କୁ ୨୮ ବଲ୍ରୁ ପୂର୍ଣ୍ଣ କରିବା ପରେ ଶତକ ହାସଲ ପାଇଁ ଆଉ ୨୮ ବଲ୍ ଖେଳିଥିଲେ। କ୍ରିସ୍ ଜୋର୍ଡାନଙ୍କ ବିପକ୍ଷରେ ଏକ ରନ୍ ସହିତ ନିଜର ତୃତୀୟ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ଶତକ ହାସଲ କରିଥିଲେ। ଏ କ୍ଷେତ୍ରରେ ସେ ନ୍ୟୁଜିଲାଣ୍ଡ୍ର କଲିନ୍ ମୁନ୍ରୋଙ୍କ ପରେ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଥିଲେ। ରୋହିତଙ୍କ ୫୬ ବଲ୍ ୧୦୦* ଭିତରେ ଥିଲା ୧୧ ଚୌକା ଏବଂ ୫ ଛକା। ଅନ୍ୟପକ୍ଷରେ ବୋଲିଂ କମାଲ୍ ପରେ ହାର୍ଦିକ ପାଣ୍ଡ୍ୟା (୩୩*, ୧୪ ବଲ୍, ୪ ଚୌକା, ୨ ଛକା) ମଧ୍ୟ ବ୍ୟାଟିଂ ବୀରତ୍ୱ ଦେଖାଇଥିଲେ ବ୍ରିଷ୍ଟଲ୍ ପଡ଼ିଆରେ। କ୍ରିିସ୍ ଜୋର୍ଡାନ୍ଙ୍କୁ ଲଙ୍ଗ୍ ଅନ୍ ଉପରେ ଏକ ଲଫ୍ଟେଡ୍ ସଟ୍ ଜରିଆରେ ଛକା ମାରି ପାଣ୍ଡ୍ୟା ଧୋନି ଷ୍ଟାଇଲ୍ରେ ମ୍ୟାଚ୍ ଶେଷ କରିଥିଲେ। ୮ ବଲ୍ ପୂର୍ବରୁ ଭାରତ ୭ ଓ୍ଵିକେଟ୍ ହାତରେ ରଖି ସହଜ ବିଜୟ ହାସଲ କରି ନେଇଥିଲା। ସୂଚନାଯୋଗ୍ୟ, ଭାରତ ପ୍ରଥମ ମ୍ୟାଚ୍କୁ ୮ ଓ୍ଵିକେଟ୍ରେ ଜିତିଥିବାବେଳେ ଶୁୁକ୍ରବାର ଦ୍ୱିତୀୟ ମ୍ୟାଚ୍ରେ ୫ ଓ୍ଵିକେଟ୍ରେ ହାରିଯାଇଥିଲା।
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୨୦ ଓଭରରେ ୧୯୮/୯ (ଜାସନ୍ ରୟ-୬୭, ଜୋସ୍ ବଟଲର୍-୩୪, ଆଲେକ୍ସ ହେଲ୍ସ-୩୦, ଜନି ବେୟାରାଷ୍ଟୋ-୨୫, ହାର୍ଦିକ ପାଣ୍ଡ୍ୟା-୪/୩୮, ସିଦ୍ଧାର୍ଥ କଉଲ୍-୨/୩୫, ଦୀପକ ଚହର-୧/୪୩, ଉମେଶ ଯାଦବ-୧/୪୮)। ଭାରତ ୧୮.୪ ଓଭରରେ ୨୦୧/୩ (ରୋହିତ ଶର୍ମା-୧୦୦*, ବିରାଟ କୋହଲି-୪୩, ହାର୍ଦିକ ପାଣ୍ଡ୍ୟା-୩୩*, ଡେଭିଡ୍ ଓ୍ଵିଲି-୧/୩୭, ଜ୍ୟାକ୍ ବଲ୍-୧/୩୯, କ୍ରିସ୍ ଜୋର୍ଡାନ୍-୧/୪୦)।