ପୁଣି ଶୃଙ୍ଖଳା ପୋଛିଲେ: ଶେଷ ଟ୍ବେଣ୍ଟି-୨୦କୁ ୧୭ ରନ୍‌ରେ ହାରିଲା ଇଣ୍ଡିଜ୍, ଭାରତ ୩-୦ରେ ଶୃଙ୍ଖଳା ବିଜୟୀ

କୋଲକାତା: ଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦କୁ ୧୭ ରନ୍‌ରେ ଜିତି ନେଇ ୩-୦ରେ ଶୃଙ୍ଖଳା ମୂଳ‌ପୋଛ କରିଛି ଭାରତ। ତା ସହ ଦିନିକିଆ ଏବଂ ଟ୍ବେଣ୍ଟି-୨୦କୁ ମିଶାଇ ଲଗାତାର ଅଧଡଜନ ବିଜୟ ହାସଲ କରିବାର ‌ଗୌରବ ଅର୍ଜନ କରିଛି। ଅନ୍ୟପକ୍ଷରେ ପୂରା ଗସ୍ତ‌ରେ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନପାରି ଖାଲି ହାତରେ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛି ଇଣ୍ଡିଜ୍। ଏହା ପୂର୍ବରୁ ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାକୁ ମଧ୍ୟ ଭାରତ ସମାନ ଧରଣରେ ୩-୦ରେ ପୋଛି ନେଇଥିଲା।
ରବିବାର ସାନ୍ତ୍ବନାମୂଳକ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଣ୍ଡିଜ୍ ଏକାଧିକ ପରିବର୍ତ୍ତନ କରିବା ସତ୍ତ୍ବେ ଆଶାଜନକ ଖେଳ ଖେଳି ପାରି ନଥିଲା। ଫଳରେ ସାନ୍ତ୍ବନାମୂଳକ ବିଜୟ ହାସଲ କରି କିଛିଟା ସମ୍ମାନ ସାଉଣ୍ଟିବାର ଶେଷ ସୁଯୋଗ ହରାଇଥିଲା। ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭ୍ରମଣକାରୀ ଇଣ୍ଡିଜ୍ ନିକୋଲାସ୍ ପୂରନଙ୍କ ସ୍ଥିର ପ୍ରଦର୍ଶନ ସତ୍ତ୍ବେ ପୁଣି ଥରେ ଅସ୍ଥିର ବ୍ୟାଟିଂ କରି ପରାଜିତ ହୋଇଥିଲା। ଏହି ଦଳର ଅଧିକାଂଶ ବ୍ୟାଟର୍‌ ବେପରୁଆ ଭାବେ ବଡ଼ ସଟ୍ ଖେଳି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଭାରତୀୟ ବୋଲର ବି ଷ୍ଟମ୍ପ ଟୁ ଷ୍ଟମ୍ପ ବୋଲିଂ କରି ନିୟମିତ ବ୍ୟବଧାନରେ ଏହି ଦଳକୁ ଲଗାତାର ଝଟ୍‌କା ଦେଇଚାଲିଥିଲେ। ସେଥିପାଇଁ ଇଣ୍ଡିଜ୍ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୬୭ ରନ୍ କରିପାରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି ଭେଙ୍କଟେଶ ଆୟର ପୁଣି ଥରେ ଭାରତୀୟ ଦଳରେ ନିଜ ଦୃଢ଼ ଉପସ୍ଥିତି ଜାହିର କରିଥିଲେ। ସୂର୍ଯ୍ୟକୁମାର ଯାଦବ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ମ୍ୟାଚ୍‌ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସୂର୍ଯ୍ୟଙ୍କ ଶକ୍ତିଶାଳୀ ପାଳି, ଅଭେସଙ୍କ ପଦାର୍ପଣ
ଭାରତ ଗସ୍ତର ଏହି ଶେଷ ମ୍ୟାଚ୍‌ରେ ଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଉଭୟ ଦଳ ଚାରିଟି ଲେଖାଏଁ ପରିବର୍ତ୍ତନ କରିବା ମ୍ୟାଚ୍‌କୁ ଆରମ୍ଭରୁ ରୋଚକ କରିଥିଲେ। ପ୍ରଥମ ଥର ଏକାଠି ପାଳି ଆରମ୍ଭ କରିବାର ସୁଯୋଗ ଲାଭ କରିଥିବା ଦୁଇ ଯୁବବୀର ଋତୁରାଜ ଗାଏକ୍ବାଡ୍ ଓ ଈଶାନ କିଶନଙ୍କ ଯୋଡ଼ି କିନ୍ତୁ ଭାରତକୁ ଭଲ ଆରମ୍ଭ ଦେଇ ପାରି ନଥିଲେ। ଇଶାନ ଅବଶ୍ୟ ୩୪ ରନ୍‌ର ସମ୍ମାନଜନକ ପାଳି ଖେଳିଥିଲେ। ଋତୁରାଜ କିନ୍ତୁ ମାତ୍ର ୪ ରନ୍‌ରେ ନିଜ ୱିକେଟ୍ ଫିଙ୍ଗି ଦେଇଥି‌ଲେ। ଓପନିଂରୁ ଖସି ତୃତୀୟରେ ଖେଳିଥିବା ଅଧିନାୟକ ରୋହିତ ଶର୍ମା ମଧ୍ୟ ଏକ ଅଙ୍କରେ ଅଟକି ଯାଇଥିଲେ। ଫଳରେ ଭାରତ ୬୬ ରନ୍‌ରେ ୩ ୱିକେଟ୍ ହରାଇ ଟିକିଏ ଅଡ଼ୁଆରେ ପଡ଼ିଥିଲା। ତେବେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ (୬୫) ଏବଂ ଭେଙ୍କଟେଶ ଆୟର (୩୫*)ଙ୍କ ସାହସୀ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୪ ରନ୍ କରି ନେଇଥିଲା। ବିଶେଷ କରି ସୂର୍ଯ୍ୟ ପୁଣି ଥରେ ନିଜ ଶକ୍ତିଶାଳୀ ରୂପ ଦେଖାଇ ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ସହ ଚତୁର୍ଥ ଅର୍ଦ୍ଧଶତକ ହାସଲ କରି ଇଣ୍ଡିଜ୍ ବୋଲରଙ୍କୁ ନୟାନ୍ତ କରିଥିଲେ। ତାଙ୍କ ଛକା ବର୍ଷା ବଳରେ ଶେଷ ଦୁଇଓଭରରୁ ଭାରତ ୪୨ ରନ୍ ଅମଳ କରି ନେଇଥିଲା। ଶେଷ ୪ ଓଭରରୁ ମୋଟ ଉପରେ ୬୯ ରନ୍ ପାଇଥିଲା। ଶୃଙ୍ଖଳାରେ ପ୍ରଥମ ଥର ସୁଯୋଗ ପାଇଥିବା ଶ୍ରେୟସ୍ ଆୟର ୧୬ ବଲ୍‌ରୁ ଦ୍ରୁତ ୨୫ ରନ୍ କରିଥିଲେ। ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଅଣଅନ୍ତର୍ଜାତୀୟ ଖେଳାଳି ହେବାର ଗୌରବ ଲାଭ କରିଥିବା ଅଭେସ୍ ଖାନ୍‌ଙ୍କ ପିଲାଦିନର ସ୍ବପ୍ନ ରବିବାର ପୂରଣ ହୋଇଥିଲା। ଆଜି ସେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିବାରେ ଅଭେସ ୯୬ତମ ଭାରତୀୟ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର