କିମ୍ବର୍ଲି: ସ୍ମୃତି ମାନ୍ଧାନାଙ୍କ ଚିତାକର୍ଷକ ଶତକ ସାଙ୍ଗକୁ ହର୍‌ମନ୍‌ପ୍ରିତ୍‌ କୌର ଓ ଭେଡା କୃଷ୍ଣମୂର୍ତ୍ତିଙ୍କ ଅପରାଜିତ ଶତକ ପରେ ବୋଲରଙ୍କ ଘାତକ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ କ୍ରମାଗତ ଦ୍ୱିତୀୟ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଦେଇଛି। ସୋମବାର ପ୍ରଥମ ମ୍ୟାଚ୍‌କୁ ୮୮ ରନ୍‌ରେ ଜିତିସାରିଥିବା ଭାରତ ବୁଧବାର ଦ୍ୱିତୀୟ ମ୍ୟାଚ୍‌କୁ ୧୭୮ ରନ୍‌ରେ ଜିତିନେଇଛି। ଫଳରେ ଶେଷ ମ୍ୟାଚ୍‌ ପୂର୍ବରୁ ଭାରତ ତିନିଟିକିଆ ଶୃଙ୍ଖଳାକୁ ୨-୦ ଆଗୁଆ ସହ ଜିତିନେଇଛି। ଏଥି ସହିତ ଚଳିତ ଆଇସିସି ମହିଳା ପ୍ରତିଯୋଗିତାରେ ୨ ମ୍ୟାଚ୍‌ ଖେଳି ଭାରତ ୪ ପଏଣ୍ଟ୍‌ ଅକ୍ତିଆର କରିଛି।

Advertisment

ବୁଧବାର ମ୍ୟାଚ୍‌ରେ ଟସ୍‌ ଜିତି ଘରୋଇ ଦକ୍ଷିଣ ଆଫ୍ରିକା ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆହ୍ଵାନ ଜଣାଇଥିଲା। ହେଲେ ଅଧିନାୟିକାଙ୍କ ନିଷ୍ପତ୍ତିକୁ ବୋଲରମାନେ ଯଥାର୍ଥ ପ୍ରମାଣିତ କରିପାରିନଥିଲେ। ପୂନମ୍‌ ରାଉତ ଓ ସ୍ମୃତି ମାନ୍ଧାନା ଭାରତ ପାଇଁ ପାଳି ଆରମ୍ଭ କରି ୫୬ ରନ୍‌ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ପୂନମ୍‌ (୨୦)ଙ୍କ ପରେ ଅଧିନାୟିକା ମିତାଲି ରାଜ୍‌ (୨୦) ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ଦଳୀୟ ସ୍କୋର୍‌ ୧୦୭ ବେଳକୁ ଭାରତ ୨ ଓ୍ଵିକେଟ୍‌ ହରାଇଥିଲା। ହେଲେ ପ୍ରଥମ ମ୍ୟାଚ୍‌ରେ ୮୪ ରନ୍‌ର ପାଳି ଖେଳିଥିବା ମାନ୍ଧାନା ଗୋଟିଏ ପଟେ ଜମି ରହି ଦ୍ରୁତ ରନ୍‌ ସଂଗ୍ରହ କରିବାରେ ଲାଗିଥିଲେ। ସେ ୧୨୯ ବଲ୍‌ରୁ ୧୪ ଚୌକା ଓ ଗୋଟିଏ ଛକା ସହାୟତାରେ ୧୩୫ ରନ୍‌ କରିଥିଲା ବେଳେ ଆଉଟ୍‌ ହୋଇଗଲେ। ସେତେବେଳକୁ ଭାରତର ସ୍କୋର୍‌ ୨୪୧ ହୋଇଥିଲା। ଏହାପରେ ହର୍‌ମନ୍‌ପ୍ରିତ୍‌ ଓ କୃଷ୍ଣମୂର୍ତ୍ତି ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୩୮ ବଲ୍‌ରୁ ୬୧ ରନ୍‌ ଯୋଡ଼ି ସ୍କୋର୍‌ ୩୦୨ରେ ପହଞ୍ଚାଇ ଦେଇଥିଲେ। ହର୍‌ମନ୍‌ପ୍ରିତ୍‌ ୬୯ ବଲ୍‌ରୁ ୨ ଚୌକା ଓ ୧ ଛକା ସହାୟତାରେ ୫୫ ଏବଂ କୃଷ୍ଣମୂର୍ତ୍ତି ୩୩ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୫୧ ରନ୍‌ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ଲାସ୍‌, ନୋଜାଖେ ଓ ଲୁସ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ୫ ଓଭରରେ ୩୨ ରନ୍‌ ଯୋଡ଼ିଥିଲା ବେଳେ ଓ୍ଵିକେଟ୍‌ ପତନ ଆରମ୍ଭ ହୋଇଥିଲା। ଏହାପରେ ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାକୁ ଆଉ ମ୍ୟାଚ୍‌କୁ ଫେରିବାର ସୁଯୋଗ ଦେଇନଥିଲେ। ବିଶେଷକରି ପୂନମ୍‌ ଯାଦବ (୭.୫-୧-୨୪-୪), ରାଜେଶ୍ୱରୀ ଗାଏକ୍ୱାଡ୍‌ (୬-୦-୧୪-୨) ଏବଂ ଦୀପ୍ତି ଶର୍ମା (୬-୧-୩୪-୨) ଘାତକ ବୋଲିଂ କରି ଦକ୍ଷିଣ ଆଫ୍ରିକା ବ୍ୟାଟିଂକ୍ରମ ଭୁଶୁଡ଼ାଇ ଦେଇଥିଲେ। ଘରୋଇ ଦଳ ୩୦.୫ ଓଭରରେ ମାତ୍ର ୧୨୪ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇ ଶୋଚନୀୟ ପରାଜୟ ବରଣ କଲା। କେବଳ ଲି (୭୩) ଓ କାପ୍‌ (୧୭*) ଦୁଇ ଅଙ୍କ ଛୁଇବାକୁ ସମର୍ଥ ହୋଇଥିଲେ।