୨ୟ ଟି-୨୦: ଫିକା ପଡ଼ିଲା ମିଲରଙ୍କ ଶତକ, ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ପରାସ୍ତ କରି ଭାରତର ସିରିଜ୍‌ କବ୍‌ଜା

ଗୁଆହାଟୀ: ଗୁଆହାଟୀସ୍ଥିତ ବାରସପରା କ୍ରିକେଟ ଷ୍ଟାଡିୟମ୍‌ରେ ଚାଲିଥିବା ୨ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ପରାସ୍ତ କରିଛି ଭାରତ । ରୋମାଞ୍ଚକର ମ୍ୟାଚର ଦ୍ବିତୀୟ ପାଳି‌ରେ ଦକ୍ଷିଣ ଆଫ୍ରିକା ୨୩୮ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୩ୱିକେଟ ହରାଇ ୨୨୧ ରନ୍‌ର ଲଢୁଆ ବ୍ୟାଟିଂ କରିଥିଲେ ସୁଦ୍ଧା ମ୍ୟାଚ ଜିତିପାରିନାହିଁ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୧୦୬ ରନ୍‌ କରିଥିବା ବେଳେ ଆଡେନ ମାରକ୍ରାମ ୧୯ ବଲରେ ୩୩ ରନ୍‌ ଓ କ୍ୱିଣ୍ଟନ୍ ଡି କକ୍ ୪୮ ବଲରେ ୬୯ ରନ୍‌ କରିଥିଲେ ସୁଦ୍ଧା  ଦଳକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ଭାରତ ପକ୍ଷରୁ ପ୍ରଥମରୁ ଭଲ ବୋଲିଂ ଦେଖିବାକୁ ମିଳିଥିଲା । ଅର୍ଶଦୀପ ସିଂ ୨ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟେ ୱିକେଟ ନେଇଥିଲେ। ଦ୍ବିତୀୟ ଟି-୨୦ ଜିତି ଭାରତ ସିରିଜ କବ୍‌ଜା କରିଛି।

ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। କେ.ଏଲ୍‌. ରାହୁଲ ଓ ଅଧିନାୟକ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ଯୋଡ଼ିରେ ୯୬ ରନ୍‌ର ଭାଗିଦାରୀ ହେବା ସହିତ ଦଳକୁ ମଜବୁତ ସ୍ଥିତିରେ ପହଂଚାଇ ଦେଇଥିଲେ। କେ.ଏଲ୍‌. ରାହୁଲ ୨୮ଟି ବଲ୍‌ ସାମ୍ନା କରି ୫ ଚୌକା ଓ ୪ ଛକା ବଳରେ ବ୍ୟକ୍ତିଗତ ଭାବେ ୫୭ ରନ୍‌ ସଂଗ୍ରହ କରିଥିଲେ। ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ରନ୍‌ ଥିଲା ୪୩ ରନ୍‌। ସେ ୩୭ଟି ବଲ୍‌ ଖେଳି ୭ ଚୌକା ଓ ଗୋଟିଏ ଛକା ମାରିଥିଲେ। ଭାରତ ପ୍ରଥମ ୱିକେଟ୍‌ ଭାବେ ରୋହିତ ଓ ସ୍କୋର ୧୦୭ ରନ୍‌ରେ ‌କେଏଲ୍‌ ରାହୁଲଙ୍କୁ ହରାଇଥିଲା।

ତେବେ ୩ୟ ୱିକେଟ୍‌ ପାଇଁ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ୧୦୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ସୂର୍ଯ୍ୟକୁମାର ଯାଦବ (୬୧ ରନ୍‌) ୨୨ଟି ବଲ୍‌ ଖେଳି ୫ଟି ଚୌକା ଓ ସମାନ ପରିମାଣର ଛକା ମାରିଥିଲେ। ବିରାଟ କୋହଲି ୨୮ଟି ବଲ୍‌ ଖେଳି ୪୯ ରନ୍‌ ସଂଗ୍ରହ କରିଥିଲେ। ସେ ୭ଟି ଚୌକା ଓ ଗୋଟିଏ ଛକା ମାରି ଅପରାଜିତ ପାଭଲିଅନକୁ ଫେରିଥିଲେ। ଦିନଶେ କାର୍ତ୍ତିକ ୭ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୧୭ ଅପରାଜିତ ୧୭ ରନ୍‌ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ କେଶବ ମହାରାଜଙ୍କୁ ୨ଟି ୱିକେଟ ମିଳିଥିଲା।

ସମ୍ବନ୍ଧିତ ଖବର