ଅହମଦାବାଦ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ରବିବାର ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖିଛି ଭାରତ। ଅଷ୍ଟ୍ରେଲିଆର ମାପଚୁପ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅସଫଳ ହେବା ଫଳରେ ଭାରତ ୨୪୦ ରନ୍ରେ ଅଲଆଉଟ ହୋଇଯାଇଛି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୩୦ ରନ୍ ଥିବା ବେଳେ ଯୁବ ବ୍ୟାଟର ଗିଲ ମାତ୍ର ୪ ରନ୍ କରି ଆଉଟ ହୋଇଥିବାବେଳେ ଅଧିନାୟକ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ରନ୍ର ଗତି ଧୀମେଇ ଯାଇଥିଲା।
ତେବେ ବିରାଟ କୋହଲି ଓ କେଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। କିନ୍ତୁ ବିରାଟ ଆଉଟ ହେବା ପରେ ଦଳ ସଂକଟରେ ପଡ଼ିଯାଇଥିଲା। ରାହୁଲ ୬୬ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ୍ କରିଥିଲେ। ଶେଷ ଓ୍ବିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବାବେଳେ ଅଧିନାୟକ ପାଟ୍ କମିନ୍ସ ଓ ଜୋସ ହେଜଲଉଡ୍ ୨-୨ଟି ଓ୍ବିକେଟ ନେଇଥିଲେ। ଗ୍ଲେନ୍ ମେକ୍ସୱେଲ ଓ ଆଡାମ ଜାମ୍ପାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।