ଏସିଆ କପ୍ : ଶ୍ରୀଲଙ୍କା ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ସୁପର-୪ ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ  ୧୭୪ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ମାତ୍ର ୪୧ ବଲରେ ୭୨ ରନ କରି ଦଳକୁ ଏଲ ଭଲ ଆରମ୍ଭ ଦେଇଥିଲେ ବି ଅନ୍ୟ ବ୍ୟାଟ୍ସମ୍ୟାନମାନେ ପୁଣି ନିରାଶ କରିଥିଲେ । ଧୀରେ ଧୀରେ ଫର୍ମକୁ ଫେରୁଥିବାର ସଂକେତ ଦେଇଥିବା ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଏହା ଦଳ ପାଇଁ ଏକ ଶକ୍ତ ଧକ୍କା ସଦୃଶ ଥିଲା । ତେବେ ସୂର୍ଯ୍ୟକୁମାର ଯାଦବ ୩୪ ରନ କରିଥିବାବେଳେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ ଲେଖାଏଁ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶଙ୍କା ୩ଟି ଓ୍ବିକେଟ ନେଇଥିବାବେଳେ ଚାମିକା କରୁଣାରତ୍ନେ ଓ ଦାସୁନ ସନକା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ନିଜର ପ୍ରଥମ ସୁପର-୪ ମ୍ୟାଚରେ ପାକିସ୍ତାନଠାରୁ ହାରିଯାଇଥିବା ଭାରତ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । ଏସିଆ କପରେ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେବ । ଅନ୍ୟପକ୍ଷରେ ଏହି ମ୍ୟାଚରେ ହାରିଲେ ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାର ଆଶଙ୍କା କରାଯାଉଛି ।

 

ସମ୍ବନ୍ଧିତ ଖବର