ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବାକୁ ଭାରତ ରାଜି

ଶ୍ରୀଲଙ୍କା ଆୟୋଜନ କରିବ ଏସିଆ କପ୍‌

ମୁମ୍ବାଇ : କୋଭିଡ୍‌-୧୯ ମହାମାରୀ ଯୋଗୁଁ କ୍ରୀଡ଼ା ଦୁନିଆ ଖୁବ୍‌ ପ୍ରଭାବିତ ହୋଇଛି। ତଥାପି ଭାରତୀୟ କ୍ରିକେଟ୍‌ ଦଳର ପ୍ରଶଂସକଙ୍କୁ ସେମାନଙ୍କ ପସନ୍ଦର ତାରକାଙ୍କୁ ପଡ଼ିଆରେ ଦେଖିବା ପାଇଁ ଅତି କମ୍‌ରେ ଆହୁରି ଦୁଇ ମାସରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ସଂପ୍ରତି ଜାତୀୟ ଲକ୍‌ଡାଉନ୍‌ରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଅଗଷ୍ଟରେ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାର ଆଭାସ ମିଳିଛି। ଅଗଷ୍ଟ ମାସରେ ସୀମିତ ଓଭର ଶୃଙ୍ଖଳା ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତ କରିବାକୁ ଭାରତ ରାଜି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତକୁ ବିସିସିଆଇ ସବୁଜ ସଂକେତ ଦେଇଛି। ହେଲେ ସବୁକିଛି ସରକାରୀ ଅନୁମୋଦନ ଉପରେ ନିର୍ଭର କରିବ ବୋଲି କହିଛି।

ଶ୍ରୀଲଙ୍କା ଗସ୍ତରେ ଭାରତ ୩ ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ପୂର୍ବରୁ ଏହି ଗସ୍ତ ସୂଚୀ ଜୁନ୍‌ ମାସ ପାଇଁ ଧାର୍ଯ୍ୟ ହୋଇଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁଁ ସ୍ଥଗିତ ରହିଛି। ତେବେ ଅଗଷ୍ଟରେ ଲକ୍‌ଡାଉନ୍‌ କୋହଳ ହେବା ସାଙ୍ଗକୁ ଆନ୍ତର୍ଜାତିକ ଭ୍ରମଣ ଉପରୁ ମଧ୍ୟ କଟକଣା ଉଠିଯିବାର ସମ୍ଭାବନା ଥିବାରୁ ଏହି ଦ୍ବିପାକ୍ଷିକ ଶୃଙ୍ଖଳା ନେଇ ଆଶା ଉଜ୍ଜୀବୀତ ହୋଇଛି। ଅନ୍ୟପକ୍ଷରେ ଭାରତ ରାଜି ଥିଲେ ମଧ୍ୟ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଏଥିପାଇଁ ସେହି ଦେଶର କ୍ରୀଡ଼ା ମନ୍ତ୍ରଣାଳୟର ଅନୁମୋଦନ ଆଣିବାକୁ ପଡ଼ିବ। ଅବଶ୍ୟ ଶ୍ରୀଲଙ୍କା ବୋର୍ଡ ଅନୁମୋଦନ ପାଇଯିବ ବୋଲି ଆଶା ବାନ୍ଧିଛି। କାରଣ ଟେଲିଭିଜନ୍‌ ଅଧିକାର ଜରିଆରେ ସିଂହଳୀ ବୋର୍ଡର ରାଜସ୍ବ ଆୟ କରିବା ସେହି ଶୃଙ୍ଖଳା ଉପରେ ନିର୍ଭର କରୁଛି।

ଶ୍ରୀଲଙ୍କା ଆୟୋଜନ କରିବ ଏସିଆ କପ୍‌
ଅନ୍ୟପକ୍ଷରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍‌ ଶ୍ରୀଲଙ୍କା ଆୟୋଜନ କରିବ ବୋଲି ଜଣାପଡ଼ିଛି। ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ପକ୍ଷରୁ ଏଭଳି ପ୍ରସ୍ତାବ ପାଇଥିବା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ କହିଛି। ବାସ୍ତବରେ ଏନେଇ ମଙ୍ଗଳବାର ଏସିସି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇପାରିନଥିଲା ବେଳେ ତାଙ୍କୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ ପ୍ରସ୍ତାବ ମିଳିଥିବା ସଂପର୍କରେ ଶ୍ରୀଲଙ୍କା କ୍ରିକେଟ୍‌ ଅଧ୍ୟକ୍ଷ ସାମି ସିଲ୍‌ଭା ଶ୍ରୀଲଙ୍କା ଗଣମାଧ୍ୟମକୁ କହିଛନ୍ତି। ପାକିସ୍ତାନ ଦ୍ବାରା ଏହି ପ୍ରତିଯୋଗିତା ସେପ୍ଟେମ୍ବରରେ ନିରପେକ୍ଷ ଭେନ୍ୟୁ ଭାବେ ୟୁଏଇରେ ହେବାର ଥିଲା। ହେଲେ ପିସିବି ଅଧ୍ୟକ୍ଷ ଏହସାନ୍‌ ମଣି ଆମ ସହ ୨୦୨୨ ପ୍ରତିଯୋଗିତାକୁ ଅଦଳବଦଳ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଆଉ ଆମେ ତା’କୁ ଗ୍ରହଣ କରିଛୁ ବୋଲି ସିଲ୍‌ଭା କହିଛନ୍ତି। ଏଥର ଏସିଆ କପ୍‌ରେ ୬ ଦଳ ଭାଗ ନେବେ। ୫ ପୂର୍ଣ୍ଣକାଳୀନ ସଦସ୍ୟ (ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍‌ଗାନିସ୍ତାନ) ବ୍ୟତୀତ ଗୋଟିଏ ଯୋଗ୍ୟତାପର୍ଯ୍ୟାୟ ଦଳ ପ୍ରତିଦ୍ବନ୍ଦ୍ବିତାକୁ ଆସିବ। ସୂଚନାଯୋଗ୍ୟ, ଭାରତ ଏବେ ବି ଏସିଆ କପ୍‌ ବିଜେତା ରହିଛି।

ସମ୍ବନ୍ଧିତ ଖବର