ରାଜଗିର୍: ଏସିଆ କପ୍ ହକିର ସୁପର-୪ ପର୍ଯ୍ୟାୟରେ ଆୟୋଜକ ଭାରତ ଏହି ପ୍ରତିଯୋଗିତାର ସଫଳତମ ଦଳ କୋରିଆ ସହ ପଏଣ୍ଟ୍ ବାଣ୍ଟିଛି। ଉଭୟ ଦଳ ନିର୍ଦ୍ଧାରିତ ସମୟରେ ଦୁଇଟି ଲେଖାଏଁ ଗୋଲ୍ ଦେବା ପରେ ଗୋଟିଏ ଲେଖାଏଁ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଛନ୍ତି। ଚତୁର୍ଥ ଟ୍ରଫି ଲକ୍ଷ୍ୟରେ ଥିବା ଭାରତ ତା’ର ଦ୍ବିତୀୟ ମ୍ୟାଚ୍ରେ ଗୁରୁବାର ମାଲେସିଆର ମୁକାବିଲା କରିବ। ସେହିଭଳି ତୃତୀୟ ତଥା ଶେଷ ମୁକାବିଲାରେ ଶନିବାର ଚୀନକୁ ଭେଟିବ।
ଗ୍ରୁପ୍-ଏ’ରେ ଥିବା ଭାରତ ଲିଗ୍ ପର୍ଯ୍ୟାୟରେ ତିନିଟି ଯାକ ମ୍ୟାଚ୍ ଜିତି ସୁପର-୪କୁ ଯାଇଥିଲା। ଏଣୁ ବୁଧବାର ୫ଥର ବିଜେତା କୋରିଆ ବିପକ୍ଷ ଲଢ଼େଇରେ ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଭାରତ ମଧ୍ୟ ଏହାର ସମ୍ମାନ ରଖି ଅଷ୍ଟମ ମିନିଟ୍ରେ କୋରିଆ ଉପରେ ପ୍ରଥମ ଗୋଲ୍ ଲଦି ଦେଇଥିଲା। ସଂଯୋଗବଶତଃ ଭାରତର ୮ ନମ୍ବର ଖେଳାଳି ହାର୍ଦିକ ସିଂହ ହିଁ ଏକ ସୁନ୍ଦର ଗୋଲ୍ ଦେଇ ଦଳ ସହ ଘରୋଇ ଦର୍ଶକଙ୍କୁ ମଧ୍ୟ ଖୁସି କରି ଦେଇଥିଲେ। ତେବେ ଟିମ୍ ଇଣ୍ଡିଆ ସହ ଷ୍ଟାଡିୟମ୍ ଏବଂ କୋଟିକୋଟି ଭାରତୀୟ ଟେଲିଭିଜନ୍ ଦର୍ଶକଙ୍କ ଖୁସି ମାତ୍ର ୪ ମିନିଟ୍ ଭିତରେ ଚିନ୍ତାରେ ପରିଣତ ହୋଇଯାଇଥିଲା। କୋରିଆ ଦ୍ବାଦଶ ମିନିଟ୍ରେ ପାଇଥିବା ପେନାଲ୍ଟି ଷ୍ଟ୍ରୋକ୍କୁ ଜିହାନ ୟାଙ୍ଗ ସଫଳତାର ସହ ଗୋଲ୍ରେ ରୂପାନ୍ତର କରି ପ୍ରଥମେ ସ୍ଥିତି ୧-୧ କରି ନେଇଥିଲେ। ଏହାର ୨ ମିନିଟ୍ ପରେ କୋରିଆ ଅଗ୍ରଭାଗ ଭାରତୀୟ ରକ୍ଷଣଭାଗକୁ ଚକ୍ମା ଦେଇ ଏକ ଦର୍ଶନୀୟ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ନେଇଥିଲା। ଏଥିରୁ କିମ୍ ହେନହଙ୍ଗ୍ ଗୋଲ୍ ଚୋରାଇ ନେଇ କୋରିଆକୁ ୨-୧ରେ ଅଗୁଆ କରି ନେଇଥିଲେ।
ପ୍ରଥମମାର୍ଦ୍ଧ ସୁଦ୍ଧା ଏହି ସ୍ଥିତି ଅପରିବର୍ତ୍ତିତ ରହିବା ପରେ ଭାରତ ଉପରେ ଚାପ ବଢ଼ିଥିଲା। ସେଥିପାଇଁ ମଧ୍ୟାନ୍ତର ପରେ ଭାରତ ତା’ର ରଣନୀତି ବଦଳାଇ ଆକ୍ରମଣକୁ ଆହୁରି ଜୋର୍ଦାର୍ କରିଥିଲା। ତେବେ କୋରିଆ ରକ୍ଷଣଭାଗକୁ ଭେଦ କରିବାରେ ୨୫ ମିନିଟ୍ ସମୟ ଲାଗି ଯାଇଥିଲା। ୫୩ ମିନିଟ୍ରେ ମନଦୀପ ସିଂହ ନିଜ ଅପୂର୍ବ ଷ୍ଟିକ୍ ଚାଳନା ବଳରେ ଏହି ଗତିରୋଧ ଦୂର କରି ଭାରତ ପାଇଁ ବହୁ ପ୍ରତୀକ୍ଷିତ ଦ୍ବିତୀୟ ଗୋଲ୍ ଅର୍ଜନ କରିଥିଲେ। ଉଭୟ ଦଳ ବରାବର ସ୍ଥିତିରେ ରହିବା ପରେ ଶେଷ ୭ ମିନିଟ୍ରେ ଉଭୟ ଦଳ ଆଗୁଆ ହେବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ। ୫୮ ମିନିଟ୍ରେ କୋରିଆର ଓ’ସିଓଙ୍ଗଙ୍କୁ ସବୁଜ କାର୍ଡ ମିଳିବା ପରେ ଶେଷ ୨ ମିନିଟ୍ କୋରିଆ ୧୦ ଜଣରେ ଖେଳିଥିଲା। ହେଲେ ଭାରତ ଏଥିରୁ କୌଣସି ଫାଇଦା ଉଠାଇ ପାରି ନଥିଲା। ବୁଧବାରର ଅନ୍ୟମ୍ୟାଚ୍ରେ ମାଲେସିଆ ୨-୦ରେ ଚୀନକୁ ହରାଇ ପୂରା ୩ ପଏଣ୍ଟ୍ ହାତେଇ ନେଇଥିଲେ।