ନୂଆଦିଲ୍ଲୀରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮୮ ବର୍ଷର ପୁରୁଣା ଇତିହାସ ରହିଛି। ୧୯୩୦ ମସିହାରୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଭାରତ ୧୯୩୪ ଦ୍ୱିତୀୟ ସଂସ୍କରଣରୁ ଅଂଶଗ୍ରହଣ ଅଭିଯାନ ଆରମ୍ଭ କରିଥିଲା। ଭାରତ ପାଇଁ ଏହା ରଖିଛି ୮୪ ବର୍ଷର ଇତିହାସ। ପ୍ରତିଦ୍ୱନ୍ଦ୍ୱିତା ସ୍ତର କମ୍‌ ରହୁଥିଲେ ମଧ୍ୟ ଭାରତ ଏଭଳି ଏକ ସ୍ୱଳ୍ପ ଗୌଣ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେଭଳି ବଡ଼ ସଫଳତା ପାଇନାହିଁ। ବିଗତ ୧୯ ସଂସ୍କରଣ ମଧ୍ୟରୁ ଭାରତ ୧୬ ଥର ଭାଗ ନେଇଛି। କିନ୍ତୁ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ଥରେ ମାତ୍ର ଦ୍ୱିତୀୟ ସ୍ଥାନ। ଯାହାକି ଭାରତ ୨୦୧୦ରେ ଆୟୋଜକ ଥିବାବେଳେ ହାସଲ କରିଥିଲା। ସେଥର ଭାରତ ୩୮ ସ୍ୱର୍ଣ୍ଣ, ୨୭ ରୌପ୍ୟ, ୩୬ କାଂସ୍ୟ ପଦକ ସହିତ ମୋଟ ୧୦୧ ପଦକ ଜିତି ଶତକ ହାସଲ କରିଥିଲା। ଅଷ୍ଟ୍ରେଲିଆ ୭୪ ସ୍ୱର୍ଣ୍ଣ ସହିତ ମୋଟ ୧୭୭ ପଦକ ଜିତି ପ୍ରଥମ ସ୍ଥାନ ଦଖଲ କରିଥିଲା। ଏହା ପୂର୍ବରୁ ଭାରତର ଶ୍ରେଷ୍ଠ ସ୍ଥାନ ଥିଲା ଚତୁର୍ଥ ସ୍ଥାନ ଯାହାକୁ ଦେଶ ଦୁଇ ଥର (୨୦୦୨ ଏବଂ ୨୦୦୬)ରେ ହାସଲ କରିଥିଲା। ସେହିଭଳି ସର୍ବାଧିକ ପଦକ ୨୦୦୨ରେ ମିଳିଥିଲା ୩୦ ସ୍ୱର୍ଣ୍ଣ ସହିତ ୬୯ଟି। ସର୍ବାଧିକ ସ୍ୱର୍ଣ୍ଣ ଓ ସର୍ବାଧିକ ପଦକର କୀର୍ତିମାନ ନୂଆଦିଲ୍ଲୀ ସଂସ୍କରଣରେ ପଛରେ ପଡ଼ିଥିଲା। ଶେଷ ଥର ପାଇଁ ଭାରତ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୫ ସ୍ୱର୍ଣ୍ଣ, ୩୦ ରୌପ୍ୟ, ୧୯ କାଂସ୍ୟ ସହିତ ୬୪ ପଦକ ଜିତି ପଞ୍ଚମରେ ରହିଥିଲା।
୧୯୩୪ ମସିହାରେ ଅଂଶଗ୍ରହଣ ଅଭିଯାନ ଆରମ୍ଭ କରିବା ପରଠାରୁ ଭରତ ୩ ଥର ବିଭିନ୍ନ କାରଣରୁ ୧୯୫୦, ୧୯୬୨ ଏବଂ ୧୯୮୬ ମସିହାରେ ଭାଗ ନେଇନଥିଲା। ସେହିଭଳି ଦୁଇ ଥର (୧୯୩୮ ଓ ୧୯୫୪) ପଦକ ଖାତା ଖୋଲିବାରେ ସକ୍ଷମ ହୋଇନଥିଲା। ୧୯୩୪ରେ ପଦାର୍ପଣରେ କିନ୍ତୁ ଭରତ ଗୋଟିଏ କାଂସ୍ୟରୁ ଅଭିଯାନ ଆରମ୍ଭ କରିଥିଲା। ମୋଟ ଉପରେ ଭାରତ ଅଦ୍ୟାବଧି ୧୫୫ ସ୍ୱର୍ଣ୍ଣ, ୧୫୫ ରୌପ୍ୟ, ୧୨୮ କାଂସ୍ୟ ସହିତ ମୋଟ ୪୩୮ ପଦକ ଜିତି ଚତୁର୍ଥ ମାନ୍ୟତାରେ ରହିବା ଅବଶ୍ୟ କିଛି କମ୍‌ ଉପଲବ୍‌ଧି ନୁହେଁ।

ସମ୍ବନ୍ଧିତ ଖବର